ରୋଗୀ ଦେଖାକୁ କେନ୍ଦ୍ର କରି ଡାକ୍ତର ଙ୍କୁ ଆକ୍ରମଣ
ଟାଙ୍ଗୀ : ୧୦/୦୭(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଡିୟୁଟିରେ ଥିବା ଡାକ୍ତର ଦେବାଶିଷ ଷଡ଼ଙ୍ଗୀଙ୍କୁ ୬ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସମ୍ପୃକ୍ତ ଡାକ୍ତର ଜଣକ ଗୁରୁତର ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଶାସ୍ତ୍ରୀନଗର ଅଞ୍ଚଳର ଜଣେ ମହିଳା ଚିକିତ୍ସା ପାଇଁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେହି ସମୟରେ ଡିୟୁଟିରେ ଥିବା ଡାକ୍ତର ଦେବାଶିଷ ଷଡ଼ଙ୍ଗୀ ଅନ୍ୟ ଏକ ଶିଶୁର ଚିକିତ୍ସା କରୁଥିବା ହେତୁ ଅପେକ୍ଷା କରିବାକୁ କହିବା ସହିତ ମହିଳାଙ୍କ ସାଥିରେ ଆସିଥିବା ୫ରୁ ୬ଜଣ ଯୁବକ ବିନା ମାସ୍କରେ ଥିବାରୁ ସେମାନଙ୍କୁ ମାସ୍କ ପିନ୍ଧି ଆସିବାକୁ କହିଥିଲେ । କିନ୍ତୁ ଯୁବକମାନେ ମାସ୍କ ପିନ୍ଧିବା ପରିବର୍ତ୍ତେ ଡାକ୍ତର ଷଡ଼ଙ୍ଗୀଙ୍କ ସହ ଅଯଥାରେ ଯୁକ୍ତିତର୍କ କରିବା ସହ ମରଣାନ୍ତକ କରିଥିଲେ । ଆକ୍ରମଣରେ ଡାକ୍ତରଙ୍କ ଆଖି, ବେକ, ମୁହଁରେ ଆଘାତ ଲାଗିଛି। ଏହା ସହ ଡାକ୍ତରଙ୍କୁ ଜୀବନରେ ମାରି ଦେବା ପାଇଁ ଯୁବକମାନେ ଧମକ ଦେଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ମେଡିକାଲର ସୁରକ୍ଷା କର୍ମୀ, ଆଟେଣ୍ଡାଣ୍ଟ ମଧ୍ୟ ଡାକ୍ତରଙ୍କୁ ବଞ୍ଚାଇବାକୁ ଯାଇ ଯୁବକମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ।
ଆକ୍ରମଣ ସମ୍ପର୍କରେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ଉତ୍ୟକ୍ତ ଯୁବକ ମାନଙ୍କୁ କାବୁ କରି ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସହଯୋଗୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଟାଙ୍ଗୀ ଥାନା ଅଧିକାରୀ ବିଜୟ ମଲ୍ଲିକ ଡାକ୍ତରଙ୍କ ଅଭିଯୋଗ କୁ ଭିତ୍ତି କରି ଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ସମସ୍ତ ଅଭିଯୁକ୍ତମାନେ ଗୋଟିଏ ପରିବାର ବୋଲି ଜଣାପଡିଛି ।
ଅନ୍ୟପଟେ ଯୁବକଙ୍କ ସଙ୍ଘବଦ୍ଧ ଆକ୍ରମଣ ରେ ଗୁରୁତର ଅବସ୍ଥାରେ ହୋଇ ଚିକିତ୍ସିତ ହେଉଥିବା ଡାକ୍ତର ଷଡ଼ଙ୍ଗୀ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ।