ନିଯୁକ୍ତି କ୍ଷେତ୍ରରେ ମୁସଲମାନମାନଙ୍କ ପ୍ରତି ଭେଦଭାବ ମିଥ୍ୟା ନା ବାସ୍ତବତା
ଭାରତରେ NDA ର ଗତ ଦଶନ୍ଧି ଦୀର୍ଘ ଶାସନ କାଳରେ ମୁସଲମାନ ସମୁଦାୟ ଅନେକ ଧ୍ୟାନ ଆକର୍ଷଣ କରିଛନ୍ତି । ଆର୍ନ୍ତଜାତୀୟ ଗଣମାଧ୍ୟମରେ ମଧ୍ୟ ଭାରତୀୟ ମୁସଲମାନ ମାନଙ୍କ ପ୍ରତି ଭେଦଭାବର ଅଭିଯୋଗ କରାଯାଇଛି । ମୁସଲମାନ ମାନଙ୍କ ମଧ୍ୟରେ ଯେ ବର୍ତ୍ତମାନ ବେକାରୀ ସମସ୍ୟା ବୃଦ୍ଧି ପାଉଛି ତାହା ଆଲୋଚନାର ପ୍ରସଙ୍ଗ ହୋଇଛି । ଏକ ରିପୋଟରେ ଦର୍ଶାଯାଇଛି ଯେ ଆର୍ôଥକ ବର୍ଷ ୨୦୨୩ରେ କେବଳ ୧୫ % ମୁସଲମାନ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ନିୟମିତ ଭାବରେ ନିୟୋଜିତ ହୋଇଛନ୍ତି । ଅନ୍ୟ ଏକ ରିପୋଟରୁ ଜଣାଯାଏ ଯେ ଭାରତରେ ଏକ ସାଧାରଣ ମୁସଲମାନ ପରିବାରର ମାସିକ ଆୟ ୨୦୦ ଡଲାରରୁ ମଧ୍ୟ କମ୍ । ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ରିପୋଟରେ ମୁସଲମାନ ମାନଙ୍କର ରାଜନୈତିକ, ସାମାଜିକ ଅବସ୍ଥା ଏବଂ ରାଜନୈତିକ ପକ୍ଷପାତିତତା ବିଷୟରେ ଅଭିଯୋଗ କରାଯାଇଛି ।
ତେଣୁ ଏହି ପରିପ୍ରେକ୍ଷୀରେ ଏହା ବୁଝିବା ଅତ୍ୟନ୍ତ ଜରୁରୀଯେ ମୁସଲମାନ ମାନଙ୍କର ଅର୍ଥନୈତିକ ଅବସ୍ଥା, ଭେଦଭାବ ଯୋଗୁଁ ନୁହେଁ ବରଂ ସେମାନଙ୍କ ଶିକ୍ଷାଗତ ସ୍ତର, କୌଶଳ, ବୈଷୟିକ ଶିକ୍ଷା ଉପରେ ଜ୍ଞାନ, ରୋଜଗାର ପ୍ରଣାଳୀ ଓ ସରକାରୀ ପ୍ରଚେଷ୍ଟା ଇତ୍ୟାଦି ସମ୍ପର୍କରେ ସଚେତନତାର ଅଭାବ ଯୋଗୁଁ ରହିଛି ।
ଅନେକ ରାଜନୈତିକ ସାର୍ଥ ପ୍ରଣୋଦିତ ବ୍ୟକ୍ତି କିମ୍ବା ସଂସ୍ଥା ଦ୍ୱାରା ଅପପ୍ରଚାର ମଧ୍ୟ ଏହି ସମସ୍ୟାକୁ ଅଧୀକ ଜଟିଳ କରିଛି । ରୋଜଗାରର ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଉଛି ଉଭୟ ଚାକିରୀର ସୁଯୋଗ ଏବଂ ଆୟ । ଭାରତର ସମ୍ବିଧାନରେ “ସମସ୍ତଙ୍କ ପାଇଁ ସମାନ ସୁଯୋଗ” ର ସିଦ୍ଧାନ୍ତ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଚାକିରି ପାଇଁ ସମାନ ସୁଯୋଗ ପ୍ରଦାନ କରିଥାଏ । ତେଣୁ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ସଂଗଠନ ଦ୍ୱାରା ଅଭିଯୋଗ ତଥ୍ୟହୀନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମନେହୁଏ । ଆର୍ନ୍ତଜାତୀୟ ରିପୋଟ ଗୁଡିକକୁ ଅନେକ ଭାରତୀୟ ସଂଗଠନ ମାନଙ୍କ ଦ୍ୱାରା ଖଣ୍ଡନ କରାଯାଇଛି । ଏହାକୁ ଭାରତର ସାମାଜିକ ସନ୍ତୁଳନକୁ ବିଗାଡିବା ତଥା ଦେଶର ପ୍ରତିଛବିକୁ ଖରାପ କରିବାର ଉଦ୍ଦେଶ୍ୟ ବୋଲି ସମାଲୋଚନା କରାଯାଇଛି । ଏହା କହିବ । ଭୁଲ ହେବ ଯେ ନିଯୁକ୍ତିରେ ଆଦୌ ଭେଦଭାବ ନାହିଁ । କିନ୍ତୁ ଏହି ଭେଦଭାବ ମୁଖ୍ୟତଃ ବେସରକାରୀ କର୍ମକ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ସରକାରଙ୍କ ଦ୍ୱାରା ପରିଚାଳିତ ସମ୍ମାନଜନକ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷା କିମ୍ବା ରାଜ୍ୟ ସ୍ତରୀୟ ନିଯୁକ୍ତି ପ୍ରଣାଳୀରେ କୌଣସି ଭେଦଭାବ ଦେଖା ଯାଇନଥାଏ । ଏହି ସବୁ ନିଯୁକ୍ତିରେ ବହୁସଂଖ୍ୟକ ମୁସଲମାନ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ ହୋଇ ସମାଜରେ ସେବା କରିବା ପାଇଁ ଯୋଗ ଦେଇଥାଆନ୍ତି । ରୋଜଗାରରେ ନିଯୁକ୍ତି ଦକ୍ଷତା, ଶିକ୍ଷା, ନିଯୁକ୍ତିରେ ସହଜତା ଇତ୍ୟାଦି ଉପରେ ନିର୍ଭର କରେ । ତେଣୁ ଆମେ ନିଯୁକ୍ତିରେ ଭେଦଭାବ ସର୍ବଭାରତୀୟ ସ୍ତରରେ ଦେଖାଯାଇଥାଏ ବୋଲି କହିବା ଉଚିତ୍ ନୁହେଁ । ଅନେକ ମୁସଲମାନ ଅଛନ୍ତି ଯେଉଁମାନେ ବେସରକାରୀ, ଅର୍ଦ୍ଧସରକାରୀ, ଅନୁଦାନ ପ୍ରାପ୍ତ ସଂସ୍ଥା ଓ ମିଡିଆ ଆଦି କ୍ଷେତ୍ରରେ ନିଯୁକ୍ତ ଅଛନ୍ତି । ଏକ ଉଚ୍ଚସ୍ତରୀୟ ସମ୍ବାଦଦାତା ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଅନେକ ଶକ୍ତି ଅଛନ୍ତି ଯେଉଁମାନେ ସମାଜର ଛୋଟ ବିଚ୍ୟୁତିକୁ ଅତିରଞ୍ଜିତ କରି ମୁସଲମାନ ସମୁଦାୟ ସମ୍ପର୍କରେ ଏକ ଗମ୍ଭୀର ଛବି ଚିତ୍ରଣ କରିବାକୁ ଚେଷ୍ଟା କରିଥାଆନ୍ତି ଏବଂ ସେମାନଙ୍କୁ ଅଣପ୍ରଗତିଶୀଳ ବୋଲି ଦର୍ଶାଇ ଥାଆନ୍ତି । କିନ୍ତୁ ଭାରତୀୟ ମୁସଲମାନ ଏକ ପ୍ରଗତିଶୀଳ ସମୁଦାୟ ଅଟନ୍ତି, ଯେଉଁମାନେ ଚାକିରୀ ସହିତ ସାମାଜିକ ତଥା ରାଜନୈତିକ ଆବଶ୍ୟକତା ସମ୍ପକୀୟ ନିଜ ଅଧୀକାରକୁ ସକାରାତ୍ମକ ଭାବରେ ଉପସ୍ଥାପିତ କରୁଛନ୍ତି । ଅନ୍ୟ ଏକ ସମ୍ବାଦଦାତା ଉଲ୍ଲେଖ କରିଛନ୍ତି ଯେ, ଯେଉଁ ସଂଗଠନ ଗୁଡିକ ଭାରତରେ ଭେଦଭାବ ହେଉଥିବା ବୋଲି ଅଭିଯୋଗ କରନ୍ତି, ସେମାନେ ରାଜନୈତିକ ତଥା ବିଦେଶି ସଂଗଠନ ମାନଙ୍କ ଠାରୁ ଅନୁଦାନ ପ୍ରାପ୍ତ, ଯେଉଁ ମାନଙ୍କ ଉଦ୍ଦେଶ୍ୟ ହେଲା ଭାରତକୁ ଅସ୍ଥିର ତଥା ଦୁର୍ବଳ କରିବା ।
ବେକାରୀ ସମସ୍ୟାକୁ ଆମେ କୌଣସି ଧର୍ମ ସହ ନ ଯୋଡି ଏକ ସର୍ବସାଧାରଣ ପ୍ରସଙ୍ଗ ଭାବରେ ବିବେଚିତ କରିବା । ଯାହା ସମସ୍ତ ସମ୍ପ୍ରଦାୟକୁ ସମାନ ଭାବରେ ପ୍ରଭାବିତ କରିଥାଏ । ରାଜନୈତିକ ଫଳାଫଳ ସଂଖ୍ୟା ଗରିଷ୍ଠତା ଦ୍ୱାରା ନିଶ୍ଚିତ ହୋଇପାରେ କିନ୍ତୁ ରୋଜଗାର କ୍ଷେତ୍ରରେ ନିୟୋଜିତ ହେଉଥିବା ବ୍ୟକ୍ତି ପ୍ରାର୍ଥୀଙ୍କ ଠାରୁ ଆଶାକରାଯାଉଥିବା ଯୋଗ୍ୟତା ଉପରେ ନିର୍ଭର କରେ ନିଯୁକ୍ତି କ୍ଷେତ୍ରରେ ମୁସଲମାନ ମାନଙ୍କ ପ୍ରତି ଭେଦଭାବ ବିର୍ତକର ବିଷୟ ହୋଇପାରେ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଂଚିବା ପାଇଁ ଏହାର ଯୁକ୍ତିଯୁକ୍ତ ଓ ତଥ୍ୟଭିତ୍ତିକ ତର୍ଜମା ଆବଶ୍ୟକ ।