ଆଦିବାସୀ ଶିଶୁଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାନଯାଉ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଏହା ଏକ ଉଦବେଗର ବିଷୟ ଯେ, ଓଡିଶାର ଆଦିମ ଜନଜାତି ବର୍ଗର ୦ ରୁ ୩ ବର୍ଷ ବୟସ ବର୍ଗର ଶିଶୁମାନଙ୍କ ପାଇଁ ଦୀର୍ଘ ୨ ବର୍ଷ ଧରି ଚାଲି ଆସୁଥିବା ସ୍ଵତନ୍ତ୍ର ପୁଷ୍ଟି ବିକାଶ କାର୍ଯକ୍ରମ –(କ୍ରେଚ ବା ଶିଶୁ ଗୃହ କାର୍ଯକ୍ରମ)କୁ ସରକାର ଚଳିତ ବର୍ଷର ସେପ୍ଟେମ୍ବର ମାସ ୩୦ ତାରିଖରୁ ଏକତରଫା ଭାବେ ବନ୍ଦ କରିଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ପାଖାପାଖି ୧୨ କୋଟି ଟଙ୍କା ବଜେଟରେ ପ୍ରାବଧାନ ଥିବା ସତ୍ତ୍ୱେ ଦୁର୍ଭାଗ୍ୟଜନକ ଭାବରେ ଏହାକୁ ବନ୍ଦ କରିବା ପୂର୍ବରୁ କୌଣସି ଜନ ପ୍ରତିନିଧି, ଜନଜାତି ସମୁଦାୟ, ବୈଧାନିକ ପରାମର୍ଶ, ବିଶେଷଜ୍ଞ, ନୀତି ନିର୍ଧାରକ ବ୍ୟକ୍ତି, ଅନୁଷ୍ଠାନ, ବୈଷୟିକ ପରାମର୍ଶଦାତା ଅନୁଷ୍ଠାନ ଅଥବା ବ୍ୟକ୍ତି ବିଶେଷଙ୍କ ସହ ସରକାର ଆଲୋଚନା କଲେ ନାହିଁ। ଏହା ଆଦିମ ଜନଜାତି ବର୍ଗର ବିକାଶ ଦିଗରେ ଏକ କୁଠାରଘାତ କହିଲେ ଅତ୍ୟୁକ୍ତି ହେବ ନାହିଁ। 

ଏହା ସମସ୍ତେ ଜାଣନ୍ତି ଯେ, ଆମ ରାଜ୍ୟରେ ୩ ରୁ ୬ ବର୍ଷ ଶିଶୁମାନଙ୍କ ପୁଷ୍ଟି ତଥା ବୌଦ୍ଧିକ ବିକାଶ ପାଇଁ ଅଙ୍ଗନବାଡିର ବ୍ୟବସ୍ଥା ରହିଥିବା ବେଳେ ମାତୃଗର୍ଭରୁ ୩ ବର୍ଷ ବୟସର ଶିଶୁ ମାନଙ୍କର ପୁଷ୍ଟି ତଥା ମସ୍ତିଷ୍କର ବିକାଶ ପାଇଁ ଆବଶ୍ୟକ ଥିବା ଦୀର୍ଘକାଳୀନ ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ କୌଣସି ଆର୍ଥିକ ପ୍ରବନ୍ଧନ ନାହିଁ।ସ୍ଵତନ୍ତ୍ର ପୁଷ୍ଟି ବଜେଟ ନାମରେ ରେ ୨-୩ ବର୍ଷ ତଳେ ନାମକୁ ମାତ୍ର କିଛି ଟଙ୍କା ରଖି ସେ ଦିଗରେ ସରକାର ନୀରବଦ୍ରଷ୍ଟା ସାଜି ବସିବା ସହିତ କିଛି ଅମଲାଙ୍କ ଭରସାରେ ବସି ଯାଇଛନ୍ତି।

ଆମେମାନେ ଏକଥା ଜାଣିଛେ ଯେ, ଗୋଟିଏ ଶିଶୁର ଶାରୀରିକ, ବୌଦ୍ଧିକ, ଆବେଗିକ ତଥା ମାନସିକ ବିକାଶ ପାଇଁ ତା’ର ପ୍ରଥମ ୧୦୦୦ ଦିନ (ଗର୍ଭ ଧାରଣ ଠାରୁ ଆରମ୍ଭ କରି ଶିଶୁଟିକୁ ଦୁଇ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ) ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କର ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଓଡ଼ିଶା ପିଭିଟିଜି ଶିଶୁମାନଙ୍କର ନିମିତ୍ତ “ପିଭିଟିଜି ପୁଷ୍ଟି ସାଧନ ଉନ୍ନତି କାର୍ଯ୍ୟକ୍ରମ” (ଓପିଏନ୍ ଆଇପି) ନାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରଚଳିତ ଓପିଲିପି କାର୍ଯକ୍ରମର ଏକ ଅଂଶ ଭାବେ ଓଡ଼ିଶାର ୧୩ଟି ପିଭିଟିଜି ସମ୍ପ୍ରଦାୟ ମଧ୍ୟରେ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ପାଇଁ ଆରମ୍ଭ କରିଥିଲେ। ଏହା ଓଡ଼ିଶାର ୧୨ଟି ଜିଲ୍ଲାର ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଅନ୍ତର୍ଗତ ୮୯ଟି ପଞ୍ଚାୟତର ୬୧ଟି ମାତୃ ଶିଶୁ ପୋଷଣ କେନ୍ଦ୍ର ଏବଂ ଶିଶୁ ଗୃହ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିଲା। ଏହି କାର୍ଯ୍ୟକ୍ରମଟିରେ ନିମ୍ନୋକ୍ତ ୩ ଟି ମୁଖ୍ୟ ଅଂଶ ରହିଛି। ସେଗୁଡିକ ହେଲା : 

  • ୩ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଗୋଷ୍ଠୀଭିତ୍ତିକ କ୍ରେଚ୍ ବା ଶିଶୁଗୃହ (କେନ୍ଦ୍ର ସଂଖ୍ୟା ୬୧)
  • ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ମାତୃ ସ୍ପଟ ଫିଡିଂ ସେଣ୍ଟର (ଏମଏସଏଫସି) (କେନ୍ଦ୍ର ସଂଖ୍ୟା ୧୬୧)
  • ଦୁର୍ଗମ ଗାଁଗୁଡ଼ିକରେ ଶିଶୁମାନଙ୍କ ପାଇଁ ସ୍ପଟ୍ ଫିଡିଂ ସେଣ୍ଟର (୩-୬ ବର୍ଷ) (ଏସ୍.ଏଫ୍.ସି) (କେନ୍ଦ୍ର ସଂଖ୍ୟା ୧୧୧)

ଏହି କ୍ରେଚ ବା ଶିଶୁ ଗୃହ (ସାଧାରଣ ଭାବେ “ମାତୃ ଶିଶୁ ପୋଷଣ କେନ୍ଦ୍ର – ଏମଏସପିକେ” ନାମରେ ପରିଚିତ) ପିଭିଟିଜି ଗ୍ରାମଗୁଡିକରେ ତିନି ବର୍ଷରୁ କମ୍ ପିଲାଙ୍କ ପାଇଁ ଶିଶୁ ଯତ୍ନ ସେବା ପ୍ରଦାନ କରିବା ସହିତ ଏହାର ତଦାରଖ, ଖାଦ୍ୟ, ନିୟମିତ ଅଭିବୃଦ୍ଧି ତଦାରଖ, ବିପଦପୂର୍ଣ୍ଣ ଏବଂ ପୁଷ୍ଟିହୀନ ଶିଶୁଙ୍କ ପରିଚାଳନା, ଆଦ୍ୟ ଶୈଶବ ଯତ୍ନ ଏବଂ ଆଦ୍ଯ ଉଦ୍ଦୀପନା ପ୍ରଭୃତି ଉପରେ ବିଶେଷ ଧ୍ୟାନ ଦେଇଥାଏ। 

ଏହି କେନ୍ଦ୍ରଗୁଡ଼ିକରେ ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ସପ୍ତାହରେ ୬ ଦିନ ପ୍ରତିଦିନ ୭-୮ ଘଣ୍ଟା ପାଇଁ ମୌଳିକ ଡେ କେୟାର (ଦିନବେଳା ଶିଶୁମାନଙ୍କର ରହଣି)ର ସୁବିଧା ଯୋଗାଇ ଦିଆଯିବା ସହିତ କେନ୍ଦ୍ରଗୁଡ଼ିକରେ ପ୍ରତିଦିନ ଥରେ ଗରମ ରନ୍ଧା ଖାଦ୍ୟ (ହଟ୍ କୁକ୍ଡ ଫୁଡ) ସହ ଦୁଇଥର ଜଳଖିଆ ଯୋଗାଇ ଦିଆଯାଉଥିଲା। ସେହିଭଳି ଭାବେ ଅପହଞ୍ଚ ଇଲାକାରେ ଗର୍ଭବତୀ ମା’ ଓ ୩-୬ ବୟସର ଶିଶୁମାନଙ୍କୁ ଗରମ ରନ୍ଧା ଖାଦ୍ୟ ଦିଆଯାଉଥିଲା।

ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ଆଈଫାଡ, କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଅଜିମ ପ୍ରେମଜି ଫାଉଣ୍ଡେସନ, ସର୍ବଭାରତୀୟ ସ୍ତରର ସ୍ୱାସ୍ଥ୍ୟ ଓ ପୁଷ୍ଟି ସଂକ୍ରାନ୍ତୀୟ ଏକ ବୈଷୟିକ ଅନୁଷ୍ଠାନଙ୍କ ସମେତ ମହିଳା ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ପ୍ରଭୃତିଙ୍କର ପ୍ରତ୍ଯକ୍ଷ ଏବଂ ପରୋକ୍ଷ ସହାୟତା ମଧ୍ୟ ରହିଥିଲା। ମାତ୍ର ଦୁର୍ଭାଗ୍ଯର ବିଷୟ ଯେ, ଏହି ମହତ୍ କାର୍ଯ୍ୟକ୍ରମକୁ ସରକାର ହଠାତ୍ ବନ୍ଦ କରି ଦେଇଛନ୍ତି। ଯାହା ଫଳରେ ଆଜି ଆଦିମ ଜନଜାତି ବର୍ଗର ହଜାର ହଜାର ଶିଶୁ କୁପୋଷଣର ଶିକାର ହେବା ସହିତ ସେମାନଙ୍କର ମସ୍ତିଷ୍କର ବୌଦ୍ଧିକ ତଥା ମାନସିକ/ଆବେଗିକ ବିକାଶ ମଧ୍ୟ ବିପଦଜନକ ଅବସ୍ଥା ଆଡକୁ ଠେଲି ହୋଇଯାଉଛି। ଏତଦ୍ ଦ୍ଵାରା ଏହି ଶିଶୁମାନେ ସମାଜର ଅନ୍ୟ ବର୍ଗର ପିଲାମାନଙ୍କ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବିକାଶ, ଗବେଷଣା କ୍ଷେତ୍ରରେ ସମକକ୍ଷ ହୋଇପାରିବେ ନାହିଁ। ଫଳରେ ସମାଜର ନିମ୍ନସ୍ତରକୁ ଗତିକରି ପୁଣି ଉପେକ୍ଷିତ ହେବେ ଏବଂ ସାମାଜିକ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇଯିବେ। ଫଳତଃ ଦେଶରେ ସନ୍ତୁଳିତ ବିକାଶ ବାଧାପ୍ରାପ୍ତ ହେବ। 

ସରକାର ତୁରନ୍ତ ଏହି ସମସ୍ୟାରେ ହସ୍ତକ୍ଷେପ କରନ୍ତୁ ଏବଂ ତୁରନ୍ତ ଏହି କ୍ରେଚ କାର୍ଯ୍ୟକ୍ରମକୁ ଆରମ୍ଭ କରି ଆଦିମ ଜନଜାତି ଶିଶୁମାନଙ୍କର ଅଧିକାରକୁ ସୁରକ୍ଷିତ କରିବା ସହ ରାଜ୍ୟର ବିକାଶଧାରାକୁ ବଜାୟ ରଖନ୍ତୁ ବୋଲି ଆଜି ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଓଡିଶା ଖାଦ୍ୟ ଅଧିକାର ଅଭିଯାନ, ଜନସ୍ୱାସ୍ଥ୍ୟ ଅଭିଯାନ ଓ ଲୋକଶକ୍ତି ଅଭିଯାନ ପକ୍ଷରୁ ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ପୁଷ୍ପା ଦାସ, ଗୌରାଙ୍ଗ ମହାପାତ୍ର, ଡଃ ବିଶ୍ଵଜିତ, ସମିତ ପଣ୍ଡା ଓ ମିହିର ପ୍ରତାପ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। 

Leave a Reply

Your email address will not be published. Required fields are marked *