——–ଆଦର୍ଶ ଗୁରୁଙ୍କ ସଂଜ୍ଞା  ——–

ଆଶୁତୋଷ ନାୟକ

       ଇତିହାସର ପୃଷ୍ଠାକୁ ଆଲୋଚନା    ପର୍ଯ୍ୟାଲୋଚନା କଲେ ଏହା ସ୍ରଷ୍ଟ ଭାବେ ପ୍ରତୀୟମାନ ହୁଏଯେ ଆଦର୍ଶ ଗୁରୁଙ୍କ ଆଶୀର୍ବାଦ ବିନା ମନୁଷ୍ୟ ସଫଳତାର ଶୀର୍ଷରେ ପହଞ୍ଚିବା ଅସମ୍ଭବ  |  ମନୁଷ୍ୟର ଜୀବନକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବାରେ ଆଦର୍ଶ ଗୁରୁଙ୍କ ଭୂମିକା ଅବର୍ଣ୍ଣନୀୟ  | ମହାନ ସ୍ୱାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମାଗାନ୍ଧୀ, ମହାପୁରୁଷ ଦିବ୍ୟପୁରୁଷ ତଥା ବିଦ୍ୱାନୀ ସନ୍ଥ ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଆରମ୍ଭକରି  କ୍ରିକେଟର ଭଗବାନ କୁହାଯାଉଥିବା ଭାରତରତ୍ନ ଉପାଧି ହାସଲ କରିଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଯ୍ୟନ୍ତ ଏପରି ଅନେକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ସୁପ୍ରତିଷ୍ଠିତ କରିପାରିଛନ୍ତି | ସେମାନଙ୍କ ସଫଳତା ପଛରେ ରହିଛି ତାଙ୍କ ଗୁରୁଙ୍କର ପ୍ରମୁଖ ଭୂମିକା |  ଏହାକୁ କେହିକେବେ ଅସ୍ବୀକାର କରିପାରିବେ ନାହିଁ | 

              ଅର୍ଜୁନଙ୍କ ରଥର ସାରଥୀ ସାଜି ଭଗବାନ ଶ୍ରୀକୃଷ୍ଣ ସାରା ମାନବ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ଆଦର୍ଶ ଗୁରୁଙ୍କ ବିନା ଜୀବନରେ ସଫଳତା ପାଇବା ଅସମ୍ଭବ |ଗୁରୁଙ୍କ ଆଶୀର୍ବାଦ ରହିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ | ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଶିଷ୍ୟ ଭାବରେ ବିବେଚନା କରିଥିବାରୁ ତାଙ୍କୁ ନିଜର ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ |

          ଏହି ଦିବ୍ୟଦୃଷ୍ଟି ବଳରେ ଅର୍ଜୁନ ଭଗବାନଙ୍କ ବିରଳ ବିଶ୍ୱରୂପ ଦେଖିବାକୁ ସମର୍ଥ ହୋଇଥିଲେ | ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଆଶୀର୍ବାଦ  ବଳରେ ମହାଭାରତ ଯୁଦ୍ଧରେ ବିଜୟ ଲାଭ କରିବାକୁ ପଞ୍ଚ ପାଣ୍ଡବ ସମର୍ଥ ହୋଇଥିଲେ ଏବଂ ବିଧର୍ମୀ ମହାପରାକ୍ରମଶାଳୀ କୌରବସେନାଙ୍କ ବଂଶ ନିପାତ କରିଥିଲେ |

       ଏକବିଂଶ ଶତାବ୍ଦୀର ମନୁଷ୍ୟ ଆଧୁନିକ ପଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ନିଜ ଜୀବନକୁ ରଙ୍ଗୀନ କରିବା ଲକ୍ଷ୍ୟରେ ସମସ୍ତ ସୁଖ ସ୍ୱାଚ୍ଛଦ୍ୟ ପାଇବା ଆଶାରେ ଆଧୁନିକତାର ମାୟା ଜାଲରେ ବୁଢ଼ୀଆଣୀ ବସା ପରି ଛନ୍ଦି ହୋଇପଡୁଛି | ଅଳ୍ପ ପରିଶ୍ରମରେ ପୁଳାପୁଳା ଟଙ୍କା ବାଟି ବାଟି ସମ୍ପତ୍ତି ଅର୍ଜନ କରିବା ଅଭିଳାଷାରେ ମନୁଷ୍ୟ ବିଭିନ୍ନ ଅସାମାଜିକ କାର୍ଯ୍ୟ ଯେପରି ହତ୍ୟା, ଲୁଣ୍ଠନ, ଚୋରି, ଡକାୟତି, ଅପହରଣ ପରି କୁକର୍ମ କରୁଛି | ପରିଶେଷରେ ସେ ନିଜେ ବିପଦରେ ପଡିବା ସହିତ ତାର ହସଖୁସିର ପରିବାରକୁ ନର୍କ କରିଦେଉଛି | ସେଥିପାଇଁ ପରମଶାସ୍ତ୍ର ଭାଗବତରେ କୁହାଯାଇଛି |

“ଆପଣା ହସ୍ତେ ଜିହ୍ବା ଛେଦି,

 କେ ଅଛି ତାର ପ୍ରତିବାଦୀ “

      ତେଣୁ ମନୁଷ୍ୟକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକରେ ପରିଚାଳିତ କରିବା ପାଇଁ ଆଦର୍ଶ ଗୁରୁଙ୍କ ସାନିଧ୍ୟ୍ୟ ପାଇବା ଅତ୍ୟନ୍ତ ଆବଶ୍ୟକ | ଆଦର୍ଶ ଗୁରୁ ହେଉଛନ୍ତି ଆମର ପଥ ପ୍ରଦର୍ଶକ, ମାର୍ଗଦର୍ଶକ, ବନ୍ଧୁ, ସଖା | ତାଙ୍କ ଉପଦେଶ, ନୀତି, ଆଦେଶ ମାନିବା ଆମର କର୍ତ୍ତବ୍ୟ, ଆମେ ତାଙ୍କର ଆଜ୍ଞାଧୀନ |ସେଥିପାଇଁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ନିଜର ମୁଖ ନିଃସୃତ ବାଣୀ ଭଗବତ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି

 “ଗୁରୁ ନଧରି ଅର୍ଜୁନ

କାହୁଁ ପାଇବୁ ସଦଜ୍ଞାନ “| 

       ଏକବିଂଶ ଶତାବ୍ଦୀର ମନୁଷ୍ୟ ଆଦର୍ଶ ଗୁରୁଙ୍କ ଠାରୁ ଦୂରେଇ ଯାଇ ଅସତ୍ୟ, ଛଳନା, ହିଂସା, କପଟତା, ଅଧର୍ମର ସାହାରା ନେଉଛି ଏବଂ ଧୀରେ ଧୀରେ ତାମନରୁ ମାନବିକତା, ସ୍ନେହ, ପ୍ରେମ, ଦୟା, କ୍ଷମା, କରୁଣା ଲୋପ ପାଉଛି |ସେଥିପାଇଁ ନିଜର ରକ୍ତ ସମ୍ପକୀୟ ଜନ୍ମଦାତା ପିତା ଏବଂ ଜନ୍ମଦାତ୍ରୀ ମାତାଙ୍କୁ ମଧ୍ୟ୍ୟ ଆଜିର ସ୍ୱାର୍ଥପର ଅହଂକାରୀ ମନୁଷ୍ୟ ଅକଥନୀୟ ଅତ୍ୟାଚାର କରୁଛି | ଅନେକ ସମୟରେ ସେ ନିରୀହ ପିତାମାତାଙ୍କୁ ହତ୍ୟା କରୁଛି, ସାମାନ୍ୟ ଟଙ୍କା, ଜମିବାଡ଼ି ପାଇଁ ନିଜର ରକ୍ତ ସମ୍ପର୍କୀୟଙ୍କୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହିଁ |                       ନୈତିକ ମୂଲ୍ୟବୋଧ ଅଭାବ , ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ, ବିଶୃଙ୍ଖଳିତ ଅସାମାଜିକ ବ୍ୟକ୍ତିଙ୍କ  ପରୋଚନା ରେ ପଡି  ମନୁଷ୍ୟର ଜୀବନ କଳୁଷିତ ହେବାର ଲାଗିଛି | ସେଥିପାଇଁ ଅନେକାଂଶରେ ଆମ ଶିକ୍ଷା ବ୍ୟବସ୍ଥା ଦାୟୀ  |

    ନୈତିକ ମୂଲ୍ୟବୋଧର ଶିକ୍ଷା ଏବେ ଅତ୍ୟନ୍ତ ଆବଶ୍ୟକ ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ | ଆଦର୍ଶ ଗୁରୁଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜ ଜୀବନରେ ଏହାକୁ ଉପଯୋଗ କରିପାରିଲେ ଆମ ଜୀବନ ଶୃଙ୍ଖଳିତ, ସୁନ୍ଦର ଏବଂ ଶାନ୍ତିପୂର୍ଣ୍ଣ ହୋଇପାରିବ  ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ  |

    ସେଥିପାଇଁ କୁହାଯାଇଛି

“ଶାନ୍ତ ଓ ସରଳ ସ୍ୱଭାବ ଯାହାର,

ସୁମଧୁର ଯାର ଭାଷା,  

ପଢ଼ାନ୍ତି ସେ ପାଠ ଦେଖାନ୍ତି

 ସେ ବାଟ ଆଣନ୍ତି ନବୀନ ଆଶା |

ସେନେହ ବରଷି ପ୍ରେମକୁ ପରସି,

 କିଣନ୍ତି ଶିଶୁଙ୍କ ମନ |

 ଅଜ୍ଞାନ ବାଳୁତ ଚକ୍ଷୁ ଲାଭ କରେ,

 ଦିବ୍ୟ ଜ୍ଞାନଜ୍ୟୋତି ପାଇ |

ଗୁରୁଙ୍କ ପ୍ରୟାସେ ମୃଣୟ ପିଣ୍ଡୁଳା,

ସୁଗଠିତ ପାତ୍ର ହୋଇ |

କେତେ ଦୁଷ୍ଟମନା ଶିଷ୍ଟ ହୋଇଯାନ୍ତି,

ଛାଟର ପ୍ରହାର ଖାଇ |

ବିଜ୍ଞ ଗୁଣୀ ହୋଇ ପ୍ରତିଷ୍ଠା ପାଆନ୍ତି,

 ତାଙ୍କର ଆଶିଷ ପାଇ | 

        ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ନିଜକୁ ସର୍ବଶେଷ୍ଠ ସର୍ବଶକ୍ତିମାନ ମନେକରୁଥିବା ଏକବିଂଶ ଶତାବ୍ଦୀର ମନୁଷ୍ୟ ପୁଳା ପୁଳା ଟଙ୍କା ବାଟି ବାଟି ସମ୍ପତ୍ତିର ଅଧିକାରୀ ହୋଇମଧ୍ୟ ଅନେକ ବ୍ୟକ୍ତି ଅଶାନ୍ତିରେ କାଳାତିପାତ କରୁଛନ୍ତି | ସବୁକିଛି ସୁଖ ସ୍ୱାଛଦ୍ୟ, ଦାମୀ ଗାଡି, ସୁରମ୍ୟ ଅଟ୍ଟାଳିକା,ସୁନା,ରୁପା, ହୀରା ଅଳଙ୍କାର ଥିଲେ ମଧ୍ୟ ମାନସିକ ଆବସାଦ ଏବଂ ଅତ୍ୟଧିକ ଚାପଗ୍ରସ୍ତ ହୋଇ ସୁଶାନ୍ତ ସିଂ ରାଜପୁତଙ୍କ ଠାରୁ ଆରମ୍ଭ କରି ଅନେକ ହିନ୍ଦୀ, ତେଲୁଗୁ, କନ୍ନଡ଼ ସିନେମା ଅଭିନେତା, ଉଚ୍ଚପ୍ରଦସ୍ତ ଅଧିକାରୀ,ପୋଲିସ ଅଫିସର, ଆଇଏସ ଅଫିସର ଆତ୍ମହତ୍ୟାର ରାସ୍ତା ବାଛିନେଉଛନ୍ତି | ଏହାର ଅନେକ ଦୃଷ୍ଟାନ୍ତ ରହିଛି |  

          ବିଦ୍ୟା କେବେ ପୁଳା ପୁଳା ଟଙ୍କା ଏବଂ ବାଟି ବାଟି ସମ୍ପତ୍ତି ଅର୍ଜନ କରିବାକୁ  ଶିକ୍ଷା ଦିଏ ନାହିଁ |  ମନ ଭିତରେ ଅହଂ ଭାବନା ଆସିଲେ ଆମର ଶିକ୍ଷା ମୂଲ୍ୟହୀନ |ଉଦାରବାଦୀ, ନିର୍ଭିକ, ସରଳ,ନମ୍ର, ବ୍ୟକ୍ତି ହି  ପକୃତ ଆଦର୍ଶ ଶିକ୍ଷକ ପଦବାଚ୍ୟ  | ପ୍ରକୃତି ର ଜୀବଜନ୍ତୁ, କୀଟପତଙ୍ଗ ଠାରୁ ଆରମ୍ଭ କରି ଉଦ୍ଭିଦ ପ୍ରଯ୍ୟନ୍ତ  ଆମକୁ ବହୁତ କିଛି ଶିକ୍ଷା ମିଳେ  |  ବିନମ୍ରତା ସହନଶିଳତା ଆମକୁ ଉଦ୍ଭିଦ ଠାରୁ ଶିକ୍ଷା ମିଳିଥାଏ  |  ପରିଶ୍ରମ,ନିଷ୍ଠା, ଉଦ୍ୟମ  ଆମକୁ ମହୁମାଛି   ଶିକ୍ଷା  ଦେଇଥାଏ   | ଜନ୍ଦା, ପିମ୍ପୁଡି ଙ୍କ ପରି  ଛୋଟ  କୀଟପତଙ୍ଗ ମାନଙ୍କ  ଠାରୁ    ଶୃଙ୍ଖଳିତ ଜୀବନ ଶୈଳୀ  ର  ଶିକ୍ଷା ମିଳିଥାଏ    |  ସବୁଠାରୁ ବିଶ୍ଵସ୍ତ ପ୍ରାଣୀ କୁକୁର    ଠାରୁ  ଆମକୁ  ବିଶ୍ୱସ୍ତତା ଶିକ୍ଷା ମିଳିଥାଏ  |   ଦୁବ ଘାସ କୁ ଲୋକମାନେ ପାଦରେ ଦଳି ଦିଅନ୍ତି,  କିନ୍ତୁ ଦୁବ ଘାସ ଛୋଟ ହେଲେ ବି ଈଶ୍ୱର କାର୍ଯ୍ୟ ରେ ଲାଗି ଥାଏ |  ଦୁବ ଘାସ ଠାରୁ ଆମକୁ ସହନଶୀଳତା ର ଶିକ୍ଷା ମିଳେ |  ଉଚ୍ଚ ପର୍ବତ ମାଳା ଆମକୁ ବହୁତ କିଛି ଶିକ୍ଷା ଦିଏ |   ମନୁଷ୍ୟ ଜୀବନ ରେ ଘଟୁଥିବା ଦୁଃଖ, କଷ୍ଟ, ବାଧା, ବିଘ୍ନ , ଘାତ ପ୍ରତିଘାତ କୁ କିପରି ସାହସ ର ସହିତ ମୁକାବିଲା କରିବାକୁ ହୁଏ    ତାହା ପର୍ବତ ଠାରୁ ଶିକ୍ଷା ମିଳେ |   ବିଶାଳ ସାଗର ମନୁଷ୍ୟ କୁ ସ୍ଥିତପ୍ରଜ୍ଞ  ହେବା ପାଇଁ ଶିକ୍ଷା ଦିଏ |  ଉଭୟ ସୁଖ ଓ ଦୁଃଖ ରେ  ନିର୍ବିକାର  ଅର୍ଥାତ  ମନୁଷ୍ୟ ର  ଆଚରଣ ଓ କାର୍ଯ୍ୟ  ରେ  କୌଣସି  ପରିବର୍ତନ ହେବା ଉଚିତ ନୁହଁ   |  ସେଥିପାଇଁ ଏ ବିଶ୍ୱବ୍ରହ୍ମାଣ୍ଡ  ରେ  ମନୁଷ୍ୟ  ଈଶ୍ୱର  ଙ୍କର ସୁନ୍ଦର ସୃଷ୍ଟି ପ୍ରକୃତି ରୁ ଶିକ୍ଷା ଗ୍ରହଣ କରି ନିଜର ଆଚରଣ  କୁ ପରିମାର୍ଜିତ  କରିବା ଉଚିତ  | ଏହି କାର୍ଯ୍ୟ  କରିପାରିଲେ  ମନୁଷ୍ୟ    ସର୍ବଶେଷ୍ଟ ପ୍ରାଣୀ ଭାବେ ନିଜକୁ  ପ୍ରତିପାଦିତ କରିପାରିବ  |ଏଥିରେ  ସଂନ୍ଦେହ ର କୌଣସି ଅବକାଶ  ନାହିଁ   |

              ସୁସ୍ଥ ସମାଜ ଗଠନ କରିବା ରେ   ତଥା ରାଷ୍ଟ୍ର କୁ ସର୍ବଶ୍ରେଷ୍ଠ ଗଢି ତୋଳିବା ରେ ଆଦର୍ଶ ଶିକ୍ଷକ ଙ୍କର ଭୂମିକା ଅତୁଳନୀୟ  |     କଥାରେ ଅଛି ଏକ ମାଛ ଟିଏ ଦାନ କରି ଆପଣ କେବଳ ଗୋଟିଏ ଥର ପାଇଁ କିଛି ବ୍ୟକ୍ତି ଙ୍କର କ୍ଷୁଧା ନିବାରଣ କରି ପାରନ୍ତି, କିନ୍ତୁ  ମାଛ ଧରିବା ର ଉପାୟ ଶିକ୍ଷା ଦେଇ ଆପଣ ସେମାନଙ୍କୁ  ସବୁଦିନ ପାଇଁ ଆତ୍ମନିର୍ଭରଶୀଳ କରିପାରିବେ  ,  ଯାହା ଫଳରେ ସେମାନେ ନିଜ ଖାଦ୍ୟ ର ବ୍ୟବସ୍ଥା ନିଜେ କରିବା  ପାଇଁ ଯୋଗ୍ୟ ଏବଂ ସାମର୍ଥ୍ୟ ହୋଇପାରିବେ |   ସେହିପରି ଶିକ୍ଷକ ହେଉଛନ୍ତି ଭବିଷ୍ୟତ ର ନିର୍ମାତା, ଯିଏ ଏକ ପ୍ରଦୀପ ସଦୃଶ,  ନିଜେ ଜଳି ଅନ୍ୟମାନଙ୍କ  ପଥ କୁ ଆଲୋକିତ କରିଥାନ୍ତି  |   ଜଣେ ମହାନ ଆଦର୍ଶ ଶିକ୍ଷକ କେବଳ କଥା ରେ କୁହନ୍ତି ନାହିଁ,  ନିଜ ଆଚରଣ ଓ କର୍ମ ରେ  ତାହା ପ୍ରଦର୍ଶିତ କରିଥାନ୍ତି |    ଶିକ୍ଷକ ଙ୍କର ଉର୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଭାବମୂର୍ତ୍ତିରେ ଗଢି ତୋଳିବା ନୁହେଁ ବରଂ ନିଜର ଭାବମୂର୍ତ୍ତିରେ ସୃଷ୍ଟି କରିପାରିବା  ନିମନ୍ତେ  ସେମାନଙ୍କୁ  ଯୋଗ୍ୟ ଏବଂ ସାମର୍ଥ୍ୟ କରିଦେବା |

        ଶିକ୍ଷକ ହେଉଛନ୍ତି ବଗିଚାର ସେହି ମାଳି   ସଦୃଶ, ଯିଏ କି ବଗିଚାରେ ରଙ୍ଗ ବେରଙ୍ଗ ଫୁଲରେ ସୁସଜ୍ଜିତ କରିଥାନ୍ତି  |   ଅର୍ଥାତ ବିଦ୍ୟାଳୟ ଯଦି ବଗିଚା ହୁଏ ସେହି ବଗିଚାର ମାଳି ହେଉଛନ୍ତି ଶିକ୍ଷକ   ଏବଂ ଶିଷ୍ୟ ହେଉଛନ୍ତି ସେହି ବଗିଚାର ଫୁଲ |   ଫୁଲର ରଙ୍ଗ ହେଉଛି ସେହି   ବିଦ୍ୟାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ,  ଅର୍ଥାତ କିଏ କଣ ହେବ  |  ଏ ବିଶ୍ୱବ୍ରହ୍ମାଣ୍ଡ  ରେ ଯିଏ ଯେତେ ବଡ଼ ପଦବୀରେ  ଅଧିଷ୍ଠିତ ହୋଇଥାଉ  ନା କାହିଁକି   ତାର ସଫଳତା  ପଛରେ ଆଦର୍ଶ ଗୁରୁଙ୍କ ଭୂମିକା  ନିଶ୍ଚିତ ଭାବରେ ରହିଥାଏ,   ଏଥିରେ ସନ୍ଦେହର କୌଣସି  ଅବକାଶ ନାହିଁ   | କଥା ରେ ଅଛି “ସତ ଗୁରୁ ଯେବେ ମାରେ ଗୋଇଠା

ଅନ୍ଧାର ଘରେ ଜଳେ ବଇଠା”

କବିର ଦାଶ କହିଛନ୍ତି

ଗୁରୁ ଗୋବିନ୍ଦ ଦୋ ଖୋଡ଼ା, କାକେ ଲାଗୁ ପାଏଁ,,ବଲହାରୀ ଗୁରୁ ଆପେଁ ଗୋବିନ୍ଦ ଦିଏୟ ମିଳାଏ “

ଏହାର ଅର୍ଥ ଯେତେବେଳେ ଗୁରୁ ଏବଂ ସ୍ୱୟଂ ଭଗବାନ ଦୁଇ ଜଣ ଆପଣଙ୍କ  ସମ୍ମୁଖରେ  ଦଣ୍ଡାୟମାନ  |  ଆପଣ ସର୍ବ ପ୍ରଥମେ ଗୁରୁ ଙ୍କୁ ପ୍ରଣାମ କରିବେ |  କାରଣ ଗୁରୁ ହିଁ ଆପଣଙ୍କର ପଥ ପ୍ରଦର୍ଶକ |  ସେହିଁ କେବଳ ଗୋବିନ୍ଦ ଅର୍ଥାତ ଭଗବାନ ଙ୍କ ପାଖରେ ପହଁଚିବା ପାଇଁ ସଠିକ ମାର୍ଗ ଦର୍ଶାଇଥାନ୍ତି |    ଶିକ୍ଷକ ଙ୍କୁ ସମ୍ମାନିତ କରିବା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ  |  କାରଣ ଶିକ୍ଷକ ସଦାସର୍ବଦା ଚିରନମସ୍ୟ ,  ଚିରପୂଜନୀୟ, ଚିରସମ୍ମାନିତ, ସର୍ବଶ୍ରେଷ୍ଠ  |  ତଥାପି ଅନେକ ଦେଶ ରେ ଶିକ୍ଷକ ଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ ଦିବସ ଘୋଷଣା କରାଯାଇଛି  |

    ଆମ ଦେଶ ରେ ଏହା ସେପ୍ଟେମ୍ବର୫ ତାରିଖ ରେ

ଅତି ଆଡମ୍ବର ସହକାରେ ପାଳନ କରାଯାଏ  |   ଡ଼କ୍ଟର ରାଧାକୃଷ୍ଣନ ଙ୍କ ର ଶିକ୍ଷା ପ୍ରତି ଭାରି ରୁଚି ଥିଲା  | ସେ କୁହନ୍ତି ଶିକ୍ଷକ ବିନା ଜଣେ ବ୍ୟକ୍ତି ଲକ୍ଷ୍ୟ ସ୍ଥଳରେ  ପହଁଚିବା  ଅସମ୍ଭବ |   ଜଣେ ଉତ୍ତମ ଆଦର୍ଶ ଶିକ୍ଷକ ତାର  ବିଦ୍ୟାର୍ଥୀ  କୁ ସମସ୍ତ ବାଧା ବିଘ୍ନ, ଘାତ, ପ୍ରତିଘାତ କୁ ସାମନା କରିବା ପାଇଁ ପ୍ରସ୍ତୁତ କରିଥାଏ  |   ଯାହା ଫଳରେ ବିଦ୍ୟାର୍ଥୀ  ଉଜ୍ୱଳ ଭବିଷ୍ୟତ ଗଢିବାକୁ ସମର୍ଥ  ହୋଇଥାଏ  |  ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ୪୦ବର୍ଷ ବୟସରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଜୀବନ ଅତିବାହିତ   କରିଥିଲେ  |   ସେ ସ୍ୱାଧୀନ ଭାରତ ର  ଉପରାଷ୍ଟ୍ରପତି ଓ ପରେ ରାଷ୍ଟ୍ରପତି ଥିଲେ  |  ଶିକ୍ଷା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି  ଯାହାକୁ କିଛି ଶବ୍ଦରେ ପ୍ରକାଶ କରିବା ଅସମ୍ଭବ  |   ତେଣୁ ତାଙ୍କ ଜନ୍ମତିଥି   କୁ ଗୁରୁ ଦିବସ ରୂପେ ପାଳନ କରାଯାଏ |   ଶିକ୍ଷକ ହେଉଛନ୍ତି ସୁସ୍ଥ ସମାଜ   ନିର୍ମାଣକାରୀ   |  ଯିଏ ଆମକୁ ନୈତିକ ମୂଲ୍ୟବୋଧ ଓ ମାନବିକତା ଶିକ୍ଷା ଦେଇଥାନ୍ତି  |  ଯାହା ଦ୍ୱାରା ଏକ ଉନ୍ନତ ରାଷ୍ଟ୍ର ନିର୍ମାଣ ରେ  ଏହା  ସହାୟକ ହୋଇଥାଏ  |   ଶିକ୍ଷକ ଙ୍କର ମହାନତା କୁ ବର୍ଣ୍ଣନା କରିବା ପାଇଁ ଦୁନିଆ ର ପ୍ରତେକ ଶବ୍ଦ ତାଙ୍କ ପାଇଁ ଛୋଟ ପଡ଼ିଯିବ | 

“ଶିକ୍ଷକ ଙ୍କୁ ନା ପ୍ରଂଶସା ଲୋଡ଼ା, ନା ତାଙ୍କୁ ସୁନା ରୁପା ମୋତି ମାଣିକ ଭଳି ଦାମୀ ଉପହାର ଲୋଡ଼ା, ତାଙ୍କୁ ତ ବାସ ଆତ୍ମୀୟ ଶାନ୍ତି ଲୋଡ଼ା,   ଆତ୍ମୀୟ ଶାନ୍ତି ଶିକ୍ଷକ କୁ  ସେତେବେଳେ ମିଳେ ଯେତେବେଳେ ବିଦ୍ୟାର୍ଥୀ ର ଯଶଗାନ ସାରା ବିଶ୍ୱରେ ହୁଏ   ” |

          ବିଂଶ ଶତାବ୍ଦୀ ର ଆଧୁନିକ ଭାରତ ରେ ଗୁରୁଶିଷ୍ୟ ର ପରମ୍ପରା  ଧୀରେ ଧୀରେ କଳଙ୍କିତ  ହେବାରେ ଲାଗିଛି | ତେଣୁ ବିଦ୍ୟାର୍ଥୀ ଓ ଶିକ୍ଷକ ଏହାର ମହତ୍ବ କୁ ବୁଝିବା ନିହାତି  ଆବଶ୍ୟକ   |  ଏହା ଦ୍ୱାରା ଏକ ସୁସ୍ଥ ସମାଜ ଏବଂ ଉନ୍ନତ ରାଷ୍ଟ୍ର ନିର୍ମାଣ ହୋଇ ପାରିବ  |  ଗୁରୁ ଶିଷ୍ୟ ପରମ୍ପରା ରେ ଯେପରି ପ୍ରଶ୍ନ ଚି଼ହ୍ନ ନ ଲାଗେ  ସେଥିପ୍ରତି ଯଥେଷ୍ଟ  ସଚେତନ   ହେବା ଆମର କର୍ତବ୍ୟ  |

                                                                     

    ଗୋପାଳପୁର,, ବାଲେଶ୍ୱର,,

    ମୋବାଇଲ୭୦୨୦୬୧୧୩୦୦

Leave a Reply

Your email address will not be published. Required fields are marked *