ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।
ଯଦି ଆମେ ପୌରାଣିକ କାହାଣୀ ଅନୁସାରେ ଦୀପାବଳୀ ଉତ୍ସବ କୁ ଦେଖିବାକୁ ଯିବା, ତେବେ ଏହା ର ଏକ ଗୁରୁତ୍ବପୂର୍ଣ୍ଣ କାହାଣୀ ଅଛି,
ଭୟଭୀତ ଦେବଙ୍କୁ ରକ୍ଷା କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ମହାବଳଶାଳୀ ନରକାସୁରର ବଧ କରିଥିଲେ ଓ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହେଲା । ନରକାସୁର ଷୋହଳ ହଜାର ସୁନ୍ଦରୀ ରମଣୀଙ୍କୁ ବନ୍ଦିନୀ କରି ରଖିଥିଲା । ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରି ସମ୍ମାନର ସହିତ ଦ୍ୱାରକାକୁ ପଠାଇ ଦେଇଥିଲେ । ନରକାସୁରର ପରାଜୟରେ ଖୁସି ହୋଇ ଲୋକେ କାଉଁରିଆ କାଠିର ମଶାଲରେ ନିଆଁ ଲଗାଇ ଉତ୍ସବ ପାଳନ କରିଥିଲେ ।
ସେବେଠାରୁ ଦୀପାବଳୀ ପାଳନ କରାଯାଏ ଓ ଏହା ନରକୋତ୍ସବ ନାମରେ ମଧ୍ୟ ଜଣାଶୁଣା । ନରକାସୁର ପରେ ତାହାର ପୁତ୍ର ଭଗଦତ୍ତ ସିଂହାସନ ଆରୋହଣ କରିଥିଲା ।
ହିନ୍ଦୁ ଶ୍ରଦ୍ଧାଳୁମାନେ ଦୀପାବଳି ଅବସରରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି । ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀ, ଦେବବୈଦ୍ୟ ଧନ୍ୱନ୍ତରୀ, ଐରାବତ ହସ୍ତୀ, ଚନ୍ଦ୍ରଙ୍କ ସମେତ ବହୁ ଦିବ୍ୟ ଜିନିଷ ବାହାରିଲା । ଦୀପାବଳି ଦିନ ମା’ ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କୁ ବିବାହ କରିଥିବା ବିଶ୍ୱାସ କରାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଦେବବୈଦ୍ୟ ଧନ୍ୱନ୍ତରୀ ହାତରେ କଳସ ଧରି ଆବିର୍ଭାବ ହୋଇଥିଲେ ।
ସେହିଦିନଟିକୁ ଧନତେରସ ଭାବେ ପାଳନ କରାଯାଏ । ପ୍ରତି ହିନ୍ଦୁ ପରିବାର ସେହିଦିନ କିଛି ନା କିଛି ଅଳଙ୍କାର କିଣିଥାନ୍ତି । ବିଶ୍ୱାସ କରାଯାଏ, ଧନତେରସ ଦିନ ଗହଣା ଦୋକାନରୁ କିଛି ଗହଣା କିଣି ଘରକୁ ଆଣିଲେ, ମା’ ଲକ୍ଷ୍ମୀ ଉକ୍ତ ଗହଣା ଭିତରେ ଆସି ଘରେ ବାସ କରିଥାନ୍ତି ।
ଦୀପାବଳିରେ ମା କାଳୀଙ୍କୁ ପୂଜା କରାଯାଏ । ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମାଆଙ୍କ ତାନ୍ତ୍ରିକ ଓ ଶାକ୍ତ ପୂଜା କରାଯାଏ।
ଦୀପାବଳିରେ ପୁର୍ବଜ ମାନଙ୍କୁ ବଡ଼ବଡ଼ିଆ ବା ବଡବଡୁଆ ବୋଲି କୁହାଯାଏ, ଏହି ଦିନ ମୃତ ପୂର୍ବଜ ମାନଙ୍କୁ ମନେପକାଇ ଘରେ ଲୋକ ମାନେ ସେମାନଙ୍କ ଉଦେଶ୍ୟ ରେ ହାତରେ କାଉଁରିଆ କାଠି ଜାଳି ଆଲୋକ କୁ ଆକାଶ କୁ ଦେଖେଇ ପିତୃପୁରୁଷଙ୍କ ପଥକୁ ଆଲୋକିତ କରି
କୁହନ୍ତି ବଡବଡୁଆ ହୋ ଅନ୍ଧାରରେ ଆସ… ଏମିତି କହିଥାନ୍ତି। ଏହି ଦିନ ଦୀପାବଳୀ ଶ୍ରଦ୍ଧ ମଧ୍ୟ କରାଯାଇଥାଏ।
ଘରେ ଘରେ ଦୀପ ଓ ବିଭିନ୍ନ ପ୍ରକାରର ରଙ୍ଗ ର ଆଲୋକ କୁ ସଜେଇ ଘରକୁ ଆଲୋକିତ କରି ବାଣ ଫୁଟାଇ ବେଶ୍ ଧୁମଧାମରେ ପାଳନ କରିଥାନ୍ତି।

                  Rj Anjali Patra

Leave a Reply

Your email address will not be published. Required fields are marked *