ଜିଲ୍ଳାପାଳଙ୍କ ଦ୍ୱାରା କୋଭିଡ୍ ସଚେତନତା ଅଭିଯାନ ରଥର ଶୁଭାରମ୍ଭ

ଖୋର୍ଦ୍ଧା : ୫/୬ (ପ୍ରବାହ ନିଉଜ୍) ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ କୋଭିଡ ସଚେତନତା ଅଭିଯାନ ରଥ ଖୋର୍ଦ୍ଧା ଜିଲ୍ଲା ପରି ରାଜ୍ୟର ଆଉ ୧୦ଟି ଜିଲ୍ଲାରେ ପରିକ୍ରମା କରିବ। ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ।


ଏହି ରଥ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଳକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି କୋଭିଡ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ, ପୌରାଞ୍ଚଳ, ଏନ୍‌ଏସି ସହିତ ଗ୍ରାମାଞ୍ଚଳରେ ଏହି
ସଚେତନତା ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି ଯେ, ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହି ମହାମାରୀରୁ କେବଳ ସର୍ତକତା ଓ ଜନ ସଚେତନତା ହିଁ ନିଜକୁ ବଞ୍ଚାଇ ପାରିବ। ଲକ୍‌ଡାଉନ ଓ ସଟ୍‌ଡାଉନ ସତ୍ତ୍ଵେ ମଧ୍ୟ କେତେକ ଅମାନିଆ ବଜାରରେ ବିନା କାରଣରେ ବୁଲୁଛନ୍ତି ଓ ପ୍ରଶାସନ ନଜରକୁ ବିଭିନ୍ନ ଆଳ ଦେଖାଉଛନ୍ତି।
ଘରୁ ବାହାରିଲେ ମାସ୍କ ପରିଧାନ କରିବା ସହ ବଜାରରେ ସାମାଜିକ ଦୂରତ୍ବକୁ ଭୁଲନ୍ତୁ ନାହିଁ। ଅଯଥା ବଜାରରେ ବୁଲାବୁଲି ନ କରି ଘରେ ରହି ନିଜକୁ ସୁରକ୍ଷିତ ରଖିବା ସହିତ ନିଜ ପରିବାର କୁ ସୁରକ୍ଷିତ ରଖି ପାରିବେ। ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସଂକ୍ରମଣ ହାର କିଛିଟା ହ୍ରାସ ପାଇଥିବା ବେଳେ ସମସ୍ତେ କୋଭିଡ୍ ନିୟମ ପାଳନ କରନ୍ତୁ ବୋଲି ସେ କହିଛନ୍ତି।

ଶନିବାର ଏହି ରଥ ଖୋର୍ଦ୍ଧା ପୌରାଞ୍ଚଳର ବିଭିନ୍ନ ୱାର୍ଡ ଓ ସାହି ପରିକ୍ରମା କରିଥିବା ବେଳେ ରବିବାରଠାରୁ ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମାଞ୍ଚଳ ପରିକ୍ରମା କରିବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି।

Leave a Reply

Your email address will not be published. Required fields are marked *