ପୋଖରୀ ଖୋଳା ନାଁରେ ପାୱାର ଟିଲର ଓ ଜେସିବି ଲଗାଇ ମାଙ୍କଡା ପଥର ନେଇଗଲେ ଦୁର୍ବୁତ୍ତ

ଖୋର୍ଦ୍ଧା : ୧୦/୦୬ (ପ୍ରବାହ ନିଉଜ୍) କରୋନା ମହାମାରୀ ଦାଉରେ ସମଗ୍ର ଦେଶ ଏବେ ଛଟପଟ । ଅଧିକ ଅର୍ଥ ଉପାର୍ଜନ ଲାଗି ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ ଏବେ କରୋନା ଯୋଗୁଁ ଅନେକ ରାଜ୍ୟରେ ଶିଳ୍ପସଂସ୍ଥା ବନ୍ଦ ଯୋଗୁ ଅନ୍ୟ ଉପାୟ ନପାଇ ବହୁ ପ୍ରବାସୀ ଏବେ ଘରମୁହାଁ ହୋଇଛନ୍ତି, କିନ୍ତୁ ଏଠି ମଧ୍ୟ ସମଦଶା ଭୋଗିବାକୁ ପଡୁଛି ଗରିବ ଶ୍ରମିକଙ୍କୁ। ଏହି ସମୟରେ ରାଜ୍ୟ ସରକାର ଲୋକଙ୍କୁ କାମଧନ୍ଦା ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏନ୍ଜିଏନ୍ଆରଇଜିଏସ୍) ରେ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଏବଂ ଶ୍ରମିକଙ୍କୁ କାମ ଯୋଗାଇଦେବା ଲାଗି ଗୁରୁତ୍ଵ ଦେଇଛନ୍ତି। କିନ୍ତୁ ସରକାରଙ୍କ ମହତ୍ୱକାଂକ୍ଷୀ ଉଦେଶ୍ୟକୁ ନେଇ କିଛି ଦୁର୍ନୀତିଖୋର ଏଥିରୁ କୋଟିକୋଟି ଟଙ୍କା ଆତ୍ମସାତ କରୁଥିବା ଘଟଣା ଅନେକ ବାର ଦେଖିବାକୁ ମିଳୁଛି । ଏପରି କିଛି ବ୍ୟତିକ୍ରମ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକର ନିରକାରପୁର ପଞ୍ଚାୟତ ରେ ଦେଖିବାକୁ ମିଳିଛି। ଶ୍ରମିକଙ୍କ ପରିବର୍ତ୍ତେ ମେସିନ କାର୍ଯ୍ୟ କରୁଛି। ୱାର୍କ ଅର୍ଡର ଦିଆଯାଇଥିବା ସ୍ଥାନରୁ ରାତି ଅଧିଆ ପାୱାର ଟିଲର ଯୋଗେ ମାଙ୍କଡ଼ା ପଥର କାଟି ଚୋରା ଚାଲାଣ ହେଉଛି। ଏନେଇ ଅଭିଯୋଗ ସତ୍ତ୍ବେ ଜିଲା ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନର ନୀରବତା ଦୁର୍ନୀତିଖୋରଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ ରାଉଳହଜ ଗ୍ରାମରେ ମନରେଗା ଯୋଜନାରେ ନୂତନ ପୋଖରୀ ଖୋଳା ଯିବା ନେଇ ପ୍ରଶାସନ ପକ୍ଷରୁ ୱାର୍କ ଅର୍ଡର ଦିଆଯାଇଥିବା ବେଳେ ୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପୋଖରୀ ଖନନ ଲାଗି ଯୋଜନା ରହିଥିବା କଥା ଫଳକରେ ସ୍ପଷ୍ଟ ଭାବରେ ଲେଖାଯାଇଛି । ପୋଖରୀ ଖନନ କାର୍ଯ୍ୟ ଲାଗି ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରାଯାଇ ଗତ ମେ ୨୮ତାରିଖରୁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ସବୁଠୁ ବଡ଼ ବିଡ଼ମ୍ବନାର ବିଷୟ ହେଉଛି ଯେ, ଏଠାରେ ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ଦ୍ବାରା କାର୍ଯ୍ୟ କରାଯାଇଛି। ନିର୍ଦ୍ଧାରିତ ସ୍ଥାନରୁ ଜେସିବି ସାହାଯ୍ୟରେ ଖଣି ଖୋଳିବା ସହ ପାୱାରଟିଲର ମାଧ୍ୟମରେ ପଥର କଟାଯାଇ ବେଆଇନ ଭାବେ ବିକ୍ରି ହେଉଥିବା ନେଇ ଦଳିତ ମହାସଂଘର ରାଜ୍ୟ ସମ୍ପାଦିକା ତଥା ଡିଆ ପଞ୍ଚାୟତର ସମିତି ସଭ୍ୟ ପୁଷ୍ପଲତା ବେହେରା ଅଭିଯୋଗ ଆଣିଥିବା ସହିତ ସେ ଏନେଇ ସେ ଖୋର୍ଦ୍ଧା ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଟାଙ୍ଗୀ ତହସିଲଦାରଙ୍କୁ ମୋବାଇଲ ଦ୍ଵାଟ୍ସଆପ୍ ଜରିଆରେ ଘଟଣାସ୍ଥଳର ଫଟୋ କପି ସହ ଅଭିଯୋଗ କରିଥିବା ଜଣାଇଛନ୍ତି। ବାସ୍ତବରେ ଯେଉଁ ସ୍ଥାନରେ ପୋଖରୀଟି ଖୋଳା ଚାଲିଛି, ସେ ଜାଗାଟି ବହୁ ପୁରାତନ ପଥର ଖଣି। ଯାହାର ଗଭୀର ପ୍ରାୟ ୧୫ ଫୁଟରୁ ଉର୍ଦ୍ଧ। ସେହି ଜାଗାରେ ପ୍ରଶାସନ କିଭଳି ଭାବରେ ଏମ୍.ଜି.ଏନ୍.ଆର୍.ଇଜି.ଏସ୍.
ମାଧ୍ୟମରେ ପୋଖରୀ ଖୋଳା କାର୍ଯ୍ୟପାଇଁ ଆଦେଶ ଦେଇଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଚାଲିଥିବା ଏମ୍ଜିଏନ୍ଆରଇଜିଏସ୍ ଚାଲିଥିବା ଏହି କାର୍ଯ୍ୟର ସଠିକ ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଥିବା ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ ଓ ଶଟ୍ଡାଉନ ଜାରି ରହିଛି। ଏହି ସମୟରେ ଲୋକେ କାମ ନ ପାଇ ହଇରାଣ ହେଉଛନ୍ତି। ଏମ୍.ଜି.ଏନ୍.ଆର.ଇ.ଜି.ଏସ୍. ରେ କାମ ମିଳିଲେ ବହୁ ଶ୍ରମିକ ରୋଜଗାର ପାଇଁ ଆଶା ରଖୁଥିବା ବେଳେ ବେଆଇନ ଭାବେ ମେଶିନ୍ ସାହାଯ୍ୟରେ କାର୍ଯ୍ୟ କରା ଯାଉଛି। ଏପରିକି କାର୍ଯ୍ୟ କରୁଥିବା ଶ୍ରମିକ
୧୫ଦିନ ହେବ କାମ କରିଥିବା ବେଳେ ମଜୁରୀ ବାବଦ ସେମାନଙ୍କୁ ଟଙ୍କାଟିଏ ମିଳିନଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଓଲଟା ମେସିନ ପାଇଁ ଜଣ ପିଛା ପାଞ୍ଚଶହ ଟଙ୍କା ଲେଖାଏଁ ମଗାଯାଇଥିବା ଅଭିଯୋଗ ଆଣିଛନ୍ତି ଏବଂ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ଏବଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ମଧ୍ୟ କରିଛନ୍ତି।

ବେଆଇନ ଭାବେ ମେସିନ୍ ସାହାଯ୍ୟରେ ପୋଖରୀ ଖୋଳା ସହିତ ମାଙ୍କଡା ପଥର ଚୋରାଚାଲାଣ ସଂପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହେବାପରେ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିବା ବେଳେ ଏଠି ପୋଖରୀ ଖୋଳାଯିବା କଥା ନୁହେଁ। କିନ୍ତୁ ପୋଖରୀ ଖୋଳା ପାଇଁ ମେସିନରେ କାମ କରାଯାଇଥିବା ବେଳେ ଘଟଣା ସ୍ଥଳରେ କଟାଯାଇଥିବା ପଥର ଗୁଡିକ ନଥିବାରୁ ଏଠାରୁ ମାଙ୍କଡା ପଥର ଚୋରାଚାଲାଣ ହୋଇଥିବା କଥାକୁ ସ୍ୱୀକାର କରିଥିବା ବେଳେ ଘଟଣା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସହିତ ତଦନ୍ତ ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଙ୍କ ସହିତ ଯୋଗାଯୋଗ କରିବାରେ ସେ ଏ ସମ୍ପର୍କରେ ଅବଗତ ଥିବାବେଳେ ଟାଙ୍ଗୀ ବିଡ଼ିଓ ଏବଂ ଅତିରିକ୍ତ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମତ ପ୍ରକାଶ କରିଛନ୍ତି ।