ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା : ଅଧଘଣ୍ଟା ଭିତରେ ଘଟାଇଲେ ଦୁଇ ଦୁଇଟି ଘଟଣା
ଖୋର୍ଦ୍ଧା :୨୫/୮(ପ୍ରବାହ ନିଉଜ୍) କିଛି ଦିନର ନିରବତା ପରେ ରାଜପଥରେ ପୁଣି ମାତିଛନ୍ତି ଲୁଟେରା। ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖ ଓଭରବ୍ରିଜ ଉପରେ ପୃଥକ ଭାବେ ଅଧଘଣ୍ଟା ର ବ୍ୟବଧାନ ଭିତରେ ଜଣେ ଦମ୍ପତି ଏବଂ ମା ପୁଅଙ୍କ ଠାରୁ ଝାମ୍ପିନେଇଛନ୍ତି ସୁନାହାର, ତାହା ପୁଣିଶିଳ୍ପାଞ୍ଚଳ ଫାଣ୍ଡିଠାରୁ ଅନତିଦୂରରେ । ଲୁଟ୍ର ଶିକାର ଦମ୍ପତି ହେଲେ ନିରାକାରପୁର ଥାନା କାଶୀପୁରର ହେମନ୍ତ ବେହେରା(୩୨)ଏବଂ ସ୍ତ୍ରୀ ମମତା ବେହେରା(୨୬) ଓ ବେଗୁନିଆ ଥାନା ଅନ୍ତର୍ଗତ ଡାଳତୋଳା ଗ୍ରାମର ସାଗର ରାଉତ(୨୯) ଏବଂ ତାଙ୍କ ମାଆ ଉର୍ମିଳା ରାଉତ(୪୪)
|
ସୂଚନା ଅନୁସାରେ ହେମନ୍ତ ଓ ମମତା ମୋଟର ସାଇକଲ ଯୋଗେ ଭୁବନେଶ୍ୱରରୁ ନିଜ ଗ୍ରାମ କାଶୀପୁର ପ୍ରତ୍ୟାବର୍ତ୍ତନ କରୁଥିଲେ। ବୁଧବାର ଦିନ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ପି.ଏନ କଲେଜ ସମ୍ମୁଖ ପୋଲ ଉପରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ମୋଟରସାଇକଲ ଯୋଗେ ଆସି ମମତାଙ୍କ ବେକରୁ ସୁନା ଚେନ ଏବଂ ମଙ୍ଗଳସୁତ୍ର ଝାମ୍ପି ନେଇଥିଲେ । ସ୍ଵପ୍ନାରାଣୀ ଚିତ୍କାର କଲା ବେଳକୁ ଦୁଇ ଜଣ ଦୁର୍ବୃତ୍ତ ଦ୍ରୁତ ଗତିରେ ସେଠାରୁ କଲେକ୍ଟର ଅଫିସ ଆଡକୁ ପଳାଇ ଯାଇଥିଲେ। ଏହି ସମୟରେ ମମତା ତଳେ ପଡ଼ି ଆହତ ହୋଇଥିଲେ। ସେହିପରି ଏହି ଘଟଣା ଘଟିବାର ଅଧଘଣ୍ଟା ଭିତରେ ଭୁବନେଶ୍ବରରୁ ଡାଳତୋଳା ଫେରୁଥିବା ସାଗର ଓ ତାଙ୍କ ମାଆ ଉର୍ମିଳା ମଧ୍ୟ ୧୬ନମ୍ବର ଜାତୀୟ ରାଜପଥର ଜଟଣୀ ଓଭରବ୍ରିଜ୍ ଉପରେ ଏହି ଲୁଟେରାଙ୍କ ଶିକାର ହୋଇଛନ୍ତି। ଲୁଟେରାମାନେ ଉର୍ମିଳାଙ୍କ ଭ୍ୟାନିଟି ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏଥିରେ ୧୦ହଜାର ଟଙ୍କା ସମେତ ବହୁ ଅତ୍ୟାବଶ୍ୟକୀୟ କାଗଜପତ୍ର ରହିଥିବା ସେ ଅଭିଯୋଗ କରିଛନ୍ତି।
ଉଭୟ ଆହତ ପ୍ରଥମେ ଖୋର୍ଦ୍ଧା ମେଡିକାଲରେ ପ୍ରାଥମିକ ଚିକିତ୍ସା ହେବା ପରେ ଶିଳ୍ପାଞ୍ଚଳ ଫାଣ୍ଡିରେ ରାତି ପ୍ରାୟ ୯ଟାବେଳେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ସିସିଟିଭି ଫୁଟେଜ୍ ଘଟଣାର ତଦନ୍ତ ଚଳାଇଛି । ହେଲେ ଏବେ ଖୋର୍ଦ୍ଧା ପୋଲିସ ପକ୍ଷରୁ ନିୟୋଜିତ ଜାତୀୟ ରାଜପଥ ସୁରକ୍ଷା ଦାୟିତ୍ୱରେ ପାଟ୍ରୋଲିଂ ଟିମ ଏବଂ ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।