୧ ରୁ ୭ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଏବଂ ୟୁନିସେଫ୍ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ, ଏନଏଫଏଚଏସ-୫ ଅନୁଯାୟୀ, ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ୬୮.୫% ଶିଶୁ ସ୍ତନ୍ୟପାନ କରନ୍ତି, ଯାହା ଜାତୀୟ ହାର ୪୧.୮% ତୁଳନାଠାରୁ ଅଧିକ ଅଟେ  । ପ୍ରଥମ ଛଅ ମାସରେ ନବଜାତ ଶିଶୁକୁ ସ୍ଵତନ୍ତ୍ର ସ୍ତନ୍ୟପାନ କରାଇବାର ହାର ଓଡ଼ିଶାରେ ୭୨.୯% ଥିବା ବେଳେ ଜାତୀୟ ସ୍ତରରେ ହାରାହାରି ୬୩.୭% ରହିଛି।

ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ ।ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ ଯାହା ସ୍ଵତନ୍ତ୍ର ସ୍ତନ୍ୟପାନର ଉପକାରିତା ବିଷୟରେ ସଚେତନତା ବଢାଇବା ସହିତ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ସ୍ତନ୍ୟପାନ କରାଇବା ପାଇଁ ମା’ଙ୍କ ଅଧିକାରକୁ ପ୍ରୋତ୍ସାହନ, ସୁରକ୍ଷା ଏବଂ ସମର୍ଥନ କରିଥାଏ।  ଚଳିତ ବର୍ଷର ଅଭିଯାନର ବିଷୟବସ୍ତୁ ରହିଛି ‘ ପ୍ରତିବନ୍ଧକକୁ ଦୂର କରିବା: ସମସ୍ତେ ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା ‘। ଏହା ସମସ୍ତ ମା’ମାନଙ୍କୁ ସ୍ତନ୍ୟପାନ କରାଇବାରେ ଯେଉଁ ସମସ୍ତ ସମର୍ଥନ ଆବଶ୍ୟକ ତାକୁ ସୁନିଶ୍ଚିତ କରିବାରେ ଗୁରୁତ୍ଵଆରୋପ କରାଯାଇଛି।

ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମା’ କ୍ଷୀର ଶିଶୁପାଇଁ ପୋଷଣର ପ୍ରଥମ ଉତ୍ସ। ମା’କ୍ଷୀରରେ ସୁରକ୍ଷାମୂଳକ ରୋଗପ୍ରତିରୋଧକ ଶକ୍ତି ଥିବାରୁ ଏହା ଶିଶୁମାନଙ୍କୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ସ୍ତନ୍ୟପାନ ମା’ ଓ ଶିଶୁ ଉଭୟଙ୍କ ପାଇଁ ଲାଭଦାୟକ ଏବଂ ତାହା ସେମାନଙ୍କ ଆଜୀବନ ସ୍ୱାସ୍ଥ୍ୟ ଓ ବିକାଶକୁ ପ୍ରେତ୍ସାହିତ କରିଥାଏ । ୨୦୦୩ ରୁ ଆଇଏମ୍ଏସ୍ ଲାଗୁ ଏବଂ ସଂଶୋଧନ ହେବା ପରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡିକରେ ବ୍ୟବସାୟିକ ପ୍ରସ୍ତୁତିର ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।”

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏବଂ ୟୁନିସେଫ୍ ନବଜାତମାନଙ୍କୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଏବଂ ଜନ୍ମର ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଯିବା ଉଚିତ ଏବଂ ଏହି ସମୟ ମଧ୍ୟରେ ଅନ୍ୟ କୌଣସି ଖାଦ୍ୟ କିମ୍ବା ତରଳ ପଦାର୍ଥ ଯୋଗାଇ ଦିଆଯିବା ଉଚିତ ନୁହେଁ ବୋଲି ପରାମର୍ଶ ଦିଅନ୍ତି। ଛଅ ମାସ ପରେ, ଶିଶୁମାନେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବା ସହ ସୁରକ୍ଷିତ, ପର୍ଯ୍ୟାପ୍ତ ଏବଂ ବିଭିନ୍ନ ପରିପୂରକ ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ୍ ।

ଡାକ୍ତର ସାହୁ ଏହା ମଧ୍ୟ କହିଛନ୍ତି ଯେ “ସରକାର ୧୨ଟି ବିଏଫ୍ଏଚ୍ଆଇ ପ୍ରମାଣିତ ଡାକ୍ତରଖାନା (ଅଧିକ ସ୍ଵୀକୃତିପ୍ରାପ୍ତ), ୨ଟି ଡାକ୍ତରଖାନାରେ ସମ୍ପୂର୍ଣ୍ଣ ସ୍ତନ୍ୟପାନ ବ୍ୟବସ୍ଥାପନ କେନ୍ଦ୍ର, ୧୮ଟି ସ୍ଥାନରେ ସ୍ତନ୍ୟପାନ ପରିଚାଳନା ୟୁନିଟ୍ (୭ଟି ଆଗକୁ ଆସିବାକୁ ଅଛି)ଏବଂ କଙ୍ଗାରୁ ମଦର୍ସ କେୟାର ମାଧ୍ୟମରେ ଶାରୀରିକ ସ୍ପର୍ଶକୁ ପ୍ରୋତ୍ସାହନ କରି ସ୍ତନ୍ୟପାନ କୁ ସମର୍ଥନ ଦେଉଛନ୍ତି। ଏଥି ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩୧ଟି ଶିଶୁ ଏବଂ କିଶୋର ପୋଷଣ (ଆଇୱାଇସିଏଫ୍)ପରାମର୍ଶ କେନ୍ଦ୍ର ସ୍ଥାପନ କରାଯାଇଛି । ‘ମା ‘ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଆଇୱାଇସିଏଫ୍ ଅଞ୍ଚଳରେ  ମେଡିକାଲ୍ ଅଫିସର୍, ଷ୍ଟାଫ୍ ନର୍ସ, ଏଏନ୍ଏମ୍, ଆଶା ଏବଂ ଅଙ୍ଗନୱାଡି କେନ୍ଦ୍ରକୁ ତାଲିମ୍ ଦିଆଯାଇଛି।”

ୟୁନିସେଫ୍ ଓଡ଼ିଶାର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, “ଏହି ବର୍ଷର ବିଷୟବସ୍ତୁ ‘ପ୍ରତିବନ୍ଧକକୁ ଦୂର କରିବା: ସମସ୍ତେ ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା’ ଏହା ଉଲ୍ଲେଖ କରେ ଯେ ଗଠନ ମୂଳକ ପ୍ରତିବନ୍ଧକ ଏବଂ ଫର୍ମୁଲା ମର୍କେଟିଂ ଦ୍ଵାରା ଅନେକ ମହିଳା ସ୍ତନ୍ୟପାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନରେ  ବ୍ୟାପକ ନୀତି, ସ୍ୱାସ୍ଥ୍ୟସେବାରେ ଉନ୍ନତି  ଏବଂ ସମ୍ପ୍ରଦାୟର ପଦକ୍ଷେପଗୁଡ଼ିକ ନିଆଯିବା ଆବଶ୍ୟକ ରହିଛି।”

ଏହି କର୍ମଶାଳାରେ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ଆଦିତ୍ୟ ମହାପାତ୍ର ଓ ପୋଷଣ ଯୁଗ୍ମ ନିର୍ଦେଶକ ଡ. ସ୍ମୃତିଜିତ ପଟ୍ଟନାୟକ ଯୋଗଦେଇ ଉଭୟ ମା’ ଓ ଶିଶୁଙ୍କ ପାଇଁ ସ୍ତନ୍ୟପାନର ବହୁମୁଖୀ ଉପକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *