ସାମାଜିକ କର୍ମୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ଭୁବନେଶ୍ୱର, ତା ୯ା୪ା୨୦୨୪ : ଯୁବ ସାମାଜିକ କର୍ମୀ ତଥା ସାମାଜିକ ଅନୁଷ୍ଠାନ ଫିନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ ଅୱେସ୍ଙ୍କ ଜନ୍ମ ଦିବସରେ ଏକ ରକ୍ତଦାନ ଶିବିର ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ଅନୁଷ୍ଠିତ ହୋଇଯାଇଅଛି । ସାମ୍ପ୍ରତିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଅହେତୁକ ଅଭାବ ପରିଲକ୍ଷିତ ହେଉଛି । ଏହି ସମୟରେ ନିଜର ଜନ୍ମଦିବସଟିକୁ ଚାକଚକ୍ୟ ଓ ମଉଜ୍ ମଜଲିସ୍ରେ ପାଳନ ନକରି ଏକ ନିଆରା ଢଙ୍ଗରେ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ଶିବିର କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଏଠାରେ କହିରଖୁଛି ଯେ, ଶ୍ରୀଯୁକ୍ତ ଅୱେସ୍ ଉପବାସରେ ଥାଇ ମଧ୍ୟ ରକ୍ତଦାନ କରିଥିଲେ । ତତ୍ସହ ୟୁନିଟ୍-୬ସ୍ଥିତ ସତ୍ୟଭାମାଦେବୀ ମୁକବଧିର କଲେଜରେ ମୁକ ବଧିର ପିଲାମାନଙ୍କ ସହ କେକ୍ କାଟି ଓ ଜଳଖିଆ ବଣ୍ଟନ କରି ଜନ୍ମଦିବସଟିକୁ ପାଳନ କରିଥିଲେ । ଉକ୍ତ ଦୁଇ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୁବ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ, ଅଭିନେତ୍ରୀ ସୁଶ୍ରୀ ଏଲିନା ମହାନ୍ତି, ସମାଜସେବୀ ତନୁଜ ସୁନ୍ଦର ରାୟ, ନିରୋଜା ଲକ୍ଷ୍ମୀ ମହାପାତ୍ର, ସେହେନୱାଜ୍ ହୁସେନ୍ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ଅୱେସ୍ଙ୍କ ଏହି ମହାନ୍ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।