ବିଲେଇପଦା ଉଚ୍ଚ ବିଦ୍ୟାଳୟ ୫ଟି ରୂପାନ୍ତରିତ,ପେଭରବ୍ଲକ ପକାଇ,ରଙ୍ଗ ମାରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ

  • ଦେଢ ବର୍ଷ ନପୁରୁଣୁ ଜରାଜୀର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟ
  • ଅର୍ଥ ହେରଫେର ନେଇ ତଦନ୍ତ ଦାବି କଲେ ଗ୍ରାମବାସୀ
  • ଯୋଡା, ୨୬ା୧୦: ସରକାର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ମଜବୁତ କରିବା ପାଇଁ ପୁରୁଣା ବିଦ୍ୟାଳୟ ଗୁଡିକୁ ୫ଟି ମାଧ୍ୟମରେ ରୂପାନ୍ତରିତ କରିବା କାର୍ଯ୍ୟ ହାତକୁ ନେଇଛନ୍ତି । ତେବେ ବିଭିନ୍ନ ବିଦ୍ୟାଳୟରେ ଏହି ରୂପାନ୍ତରିତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଆସୁଛି । ଏହି ୫ଟି କାର୍ଯ୍ୟକ୍ରମରେ ଯୋଡା ବ୍ଲକ ବିରିକଳା ପଞ୍ଚାୟତର ବିଲେଇପଦା ଉଚ୍ଚ ବିଦ୍ୟାଳୟ ୨୦୨୨-୨୩ ଆର୍ଥôକ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରିତ କରାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକାଳୀନ ୪.୦୬.୨୦୨୨ ରିଖରେ ଆଭାଷୀ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ।
  • କିନ୍ତୁ ମାତ୍ର ଦେଢ ବର୍ଷ ନପୁରୁଣୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ବିଲେଇପଦା ଉଚ୍ଚ ବିଦ୍ୟାଳୟ ପରିସରରେ ବିଛା ଯାଇଥିବା ପେଭରବ୍ଲକ ଗୁଡିକ ଦବିଯିବା ସହ ବିଦ୍ୟାଳୟରେ ଲାଗିଥିବା ରଙ୍ଗ ସମ୍ପୂର୍ଣ୍ଣ ଉଠିଗଲାଣି । ଏହି ରୂପାନ୍ତରିତ କାର୍ଯ୍ୟ ସମୟରେ ବିଦ୍ୟାଳୟର ସାମନାପଟ ରଙ୍ଗ ମରାଯାଇଥିବା ବେଳେ ପଛପଟ ପୂର୍ବରୁ ଯାହା ରହିଥିଲା ତାହାହିଁ ରହିଛି । ଶ୍ରେଣୀ ଗୃହର ଆଜବେଷ୍ଟ ସବୁ ଉଠିଗଲାଣି । ନୂତନ ଶ୍ରେଣୀ ଗୃହ ଆଦୌ ତିଆରି ହୋଇନଥିବା ବେଳେ ପାଚେରୀ ନିର୍ମାଣ ମଧ୍ୟ ପୂର୍ବବତ୍ ଅସମ୍ପୂର୍ଣ୍ଣ ରହିଛି । ଫଳରେ ବାହାର ଲୋକମାନେ ପାଚେରୀ ଡେଇଁ ବିଦ୍ୟାଳୟ ହତା ଭିତରେ ରାତି ଅଧିଆ ପ୍ରବେଶ କରି ଅସାମାଜିକ କାର୍ଯ୍ୟ କଳାପ କରିଆସୁଛନ୍ତି । ୫ଟି ମାଧ୍ୟମରେ ଅଧାପନ୍ତରିଆ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ କରାଯାଇ ବ୍ୟାପକ ଅର୍ଥ ବାଟମାରଣା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଠିକାଦାର, ଯନ୍ତ୍ରୀ ଓ ସ୍ଥାନୀୟ ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥର ଏଠାରେ ଅପଚୟ କରାଯାଇଛି ।
  • ବିଦ୍ୟାଳୟରେ ଆଦୌ ମୌଳିକ ସୁବିଧା ନାହିଁ । ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଟ ମାଧ୍ୟମରେ ୧୯୯୮ ରୁ ଦୀର୍ଘ ୩୪ ବର୍ଷ ଧରି ପରିଚାଳିତ ହୋଇଆସୁଅଛି । ବିଦ୍ୟାଳୟଟିରେ ଏବେ ୧୮୮ଜଣ ଛାତ୍ର, ଛାତ୍ରୀ କେବଳ ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟଟିରେ ୧୨ଜଣ ଶିକ୍ଷକଙ୍କ ବଦଳରେ ମାତ୍ର ୪ଜଣ ଶିକ୍ଷକ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି । ଯେଉଁ ଶିକ୍ଷକମାନେ ଅବସର ଅବା ବଦଳି ହେଲେ ତାଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ । ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅବସର ପରେ ତାଙ୍କ ପଦବୀଟି ବର୍ଷ ବର୍ଷ ଧରି ମଧ୍ୟ ପୂରଣ ହୋଇପାରିନାହିଁ । ଗଣିତ, ବିଜ୍ଞାନ, ଇଂରାଜୀ, ସାହିତ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକରେ ଶିକ୍ଷକ ନାହାନ୍ତି ।
  • ଖେଳ ଶିକ୍ଷକ ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଇତିହାସ ଓ ଭୁଗୋଳ ଶିକ୍ଷକ ଭାବେ ପରେଶ ଚନ୍ଦ୍ର ପ୍ରଧାନ, ହିନ୍ଦୀ ଶିକ୍ଷକ ଅଶୋକ ପ୍ରଧାନ, ସଂସ୍କୃତ ଶିକ୍ଷକ ଅଭିମନୁ୍ୟ ପ୍ରଧାନଙ୍କ ସହିତ ଜଣେ ପିଅନ ଓ ଜଣେ ସୁରକ୍ଷା କର୍ମିରେ ବିଦ୍ୟାଳୟଟି ପରିଚାଳିତ ହୋଇଆସୁଅଛି । ବିଦ୍ୟାଳୟରେ କମ୍ପୁ୍ୟଟର ରହିଛି କିନ୍ତୁ ଶିକ୍ଷକ ନଥିବାରୁ ପିଲାଙ୍କ କାମରେ ନଆସି ସେଗୁଡିକ ଖତ ହେବାକୁ ବସିଲାଣି । ତେବେ ବିଦ୍ୟାଳୟ ଗୁଡିକରେ ଉପର ଚକ୍ଚକ୍ ଶିକ୍ଷାଦାନ କ୍ଷେତ୍ରରେ ଫମ୍ପା ନୀତି ଯୋଗୁଁ ସରକାରୀ ବିଦ୍ୟାଳୟ ଗୁଡିକ ଉପରୁ ଲୋକେ ଆସ୍ଥା ହରାଇ ଘରୋଇ ବିଦ୍ୟାଳୟ ମୁହାଁ ହେଉଥିବା ପରିଲକ୍ଷିତ କରାଯାଉଛି । ଫଳରେ ମାତୃଭାଷା ଓଡିଆରେ ଶିକ୍ଷାଦାନ ଏହି ଉପାନ୍ତ ଅଞ୍ଚଳରେ ବାଧାପ୍ରାପ୍ତ ହେବାରେ ଲାଗିଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *