ପୁଲିସକୁ ବଡ ସଫଳତା, ଚୋରି ଘଟଣାରେ ୧୪ ଗିରଫ ୫୦ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର
ଧର୍ମଶାଳା, ପ୍ରବାହ ନ୍ୟୁଜ୍ : ଧର୍ମଶାଳା ଓ ଏହାର ପାଖ ଥାନା ଗୁଡିକରେ ଲଗାତାର ଭାବେ ୬ ମାସ ହେଲା ଘଟୁଥିବା ଘର ଚୋରି ଘଟଣାରେ ଜିଲ୍ଲା ପୁଲିସକୁ ସଫଳତା ମିଳିଛି । ଏନେଇ ପୁଲିସ ହେଡକ୍ୱାଟରରେ ଆଜି ପୁଲିସ ଡିଆଇଜି ସତ୍ୟଜିତ ନାୟକ ଓ ଯାଜପୁର ଏସପି ୟସପ୍ରତପ ଶ୍ରିମଲ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ଖୋଲାସା କରିଛନ୍ତି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଅଂଚଳରେ ବିଗତ ୬ ମାସ ହେଲା ବାରମ୍ବାର ଚୋରି ବୃଦ୍ଧି ପାଇଆସୁଥିଲା । ହେଲେ ଧର୍ମଶାଳା କିମ୍ବା ଯାଜପୁର ପୁଲିସ ଚୋରଙ୍କୁ ଧରିବାରେ ଅସଫଳ ହେବା କାରଣରୁ ସର୍ବସାଧାରଣରେ ପୁଲିସ ସମାଲୋଚିତ ହୋଇଥିଲା । ଧର୍ମଶାଳା ଥାନା ଅଂଚଳ ସମେତ ବାଲିଚନ୍ଦ୍ରପୁର, ବଡଚଣା, କୁଆଖିଆ, ବ୍ରହ୍ମବରଦା, ଜେନାପୁର ଆଦି ଥାନା ଅଂଚଳରେ ବାରମ୍ବାର ଦୁର୍ବୃତମାନେ ରାତିରେ ଘରେ ପଶି କଳାକନା ବୁଲାଉଥିଲେ । ପରସ୍ଥିତି ଅସମ୍ଭାଳ ହେବାରୁ ଜିଲ୍ଲା ଏବଂ ରାଜ୍ୟ ପୁଲିସ ପକ୍ଷରୁତ୍ତ୍ତତ୍ପରତା ପ୍ରକାଶ ପାଇଥିଲା । ଏହି ଚୋରମାନଙ୍କୁ ଧରିବା ପାଇଁ ଯାଜପୁର ଏସପି ୟସପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ୧ ମାସ ହେବ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଚଢାଉ କରାଯାଇଥିଲା । ବିଭିନ୍ନ ଥାନା ଅଂଚଳରୁ ଚୋରି ଘଟଣାରେ ପୁଲିସ ୧୪ ଜଣ ଦୁର୍ବୃତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ପୁଲିସ ଏହି ଚୋରମାନଙ୍କ ଠାରୁ ୨୨୫ ଗ୍ରାମରୁ ଉର୍ଦ୍ଦ ସୁନା, ପାଖାପାଖି ୨୪୦୦ ଗ୍ରାମ ରୁପା, ନଗଦ ୫ ଲକ୍ଷ ୯୦ ହଜାର ୫ଶହ ଟଙ୍କା ସମେତ ଗୋଟିଏ ବୋଲେରୋ ଗାଡି, ୨ଟି ବାଇକ, ୧୩ ଗୋଟି ଆଣ୍ଡ୍ରିଏଡ ମୋବାଲ ଫୋନ ଏବଂ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ତାଲା ଭଙ୍ଗାଯିବା ଯନ୍ତ୍ରାସ ଜବତ କରିଛି । ଜବତ ସାମଗ୍ରୀ ଗୁଡିକର ଆନୁମାନିକ ମୁଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୁଲିସ ସୂଚନା ଦେଇଛି । ଗିରଫ ହୋଇଥିବା ଚୋରମାନେ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଗ୍ରାମର ସେକ ଅଲିମୁଦ୍ଧିନ (୨୪)ଏହି ଥାନା ଖଡଗପୁର ଗ୍ରାମର ସୋମ୍ୟରଞ୍ଜନ ବେହେରା (୨୯), ଚାରିନଙ୍ଗଳ ଗ୍ରାମର ରହିମ ଖାଁ(୨୦),ଚାରିନଙ୍ଗଳ ଗ୍ରାମର ସେକ ଇମାମୁଦ୍ଧିନ(୧୯),ଚାରିନଙ୍ଗଳ ଗ୍ରାମର ସେକ ମୁସ୍ତକିମ ଅଲ୍ଲି(୪୨),କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଂଚଳର ରାଜୁ ଖାଁ(୩୩), କେନ୍ଦ୍ରାପଡା ଥାନା ଅଂଚଳର ସେକ ମେତାବ(୨୮),ପାଟକୁରା ଥାନା ଅଂଚଳର ମନୋଜ ମଲିକ(୨୬),କେନ୍ଦ୍ରାପଡା ଟାଉନ ଥାନା ଅଂଚଳର ସେକ ଚାନ୍ଦ(୨୬),ଏହି ଥାନା ଅଂଚଳର ଗୌତମ ଜେନା(୨୮) ବୋଲି ଜଣାପଡିଛି । ଏଥିସହ ଏହି ଚୋରମାନଙ୍କ ପାଖରୁ ଚୋରି ଅଳଙ୍କାର କିଣିବା ଅଭିଯୋଗରେ ପୁଲିସ ବଲିଚନ୍ଦ୍ରପୁର ଥାନା ଅଂଚଳର ସୁନା ବ୍ୟବସାୟୀ ଜନ୍ମେଜୟ ସାହୁ(୨୯)କଟକ ଜିଲ୍ଲା ନୟାସଡକ ଅଂଚଳର ଅମଲ ସେଠ,ଲାଲବାଗ ଥାନା ଅଂଚଳର ସୁନା ବ୍ୟବସାୟୀ ବିକ୍ରମ ବେହେରା ଓ କଟକ ତିନିକୋଣିଆ ବଜାର ଅଂଚଳର ପବିତ୍ର ସେଠୀ ବୋଲି ଜଣାଯାଇଛି । ଏହି ଦୁର୍ବୃତମାନେ ରାତିରେ ବିଭିନ୍ନ ଗ୍ରାମରେ ପହଁଚି ଏକୁଟିଆ ଘର ଠୁରେଇବା ସହିତ ଘରେ ରହୁଥିବା ଲୋକମାନଙ୍କ ଗତିବିଧି ଠଉରାଇଥାନ୍ତି । ପରେ ଉକ୍ତ ଘରେ କେହି ନଥିବା ଜାଣି ସେ ଘରେ ପଶି ଅନାୟାସରେ ଚୋରୀ କରି ଫେରାର ହୋଇଯାଆନ୍ତି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ବିଭିନ୍ନ ଥାନା ଅଂଚଳରୁ ହୋଇଥିବା ଚୋରି ମାମଲାରେ ଅନ୍ୟ ଦୁର୍ବୃତମାନଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା ବେଳେ ପୁଲିସର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି । ଯାଜପୁର ଜିଲ୍ଲାର ଉପରଲିଖିତ ଥାନା ଗୁଡିକରେ ହୋଇଥିବା ୩୦ ଗୋଟି ଚୋରି କେଶରେ ଏମାନଙ୍କ ସମ୍ପୃକ୍ତି ରହିଥିବା ବେଳେ ସେଥିମଧ୍ୟରୁ ଧର୍ମଶାଳା ଥାନା ଅଂଚଳର ସର୍ବାଧିକ ୧୬ ଗୋଟି ମାମଲାରେ ଏମାନଙ୍କ ସମ୍ପୃକ୍ତି ରହିଥିବା ଜଣାଯାଇଛି । ସାମ୍ବାଦିକ ସମ୍ମିଳନୀ ପରେ ୧୪ ଜଣ ଅଭିଯୁକ୍ତଙ୍କୁ ଆଜି ଚଣ୍ଡିଖୋଲ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି ବୋଲି ଏସପି ଶ୍ରୀ ଶ୍ରୀମଲ ସୂଚନା ଦେଇଛନ୍ତି
