ବଡ଼ଚଣାରେ ବର୍ଷାଙ୍କ ରାଲି

ବଡ଼ଚଣା (ପ୍ରବାହ ନ୍ୟୁଜ୍‌) : ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ସେ ବଡ଼ଚଣା ଗସ୍ତ କରିଛନ୍ତି । ତାଙ୍କ ସହିତ ଯାଜପୁର ଏମ୍‌ପି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମଧ୍ୟ ପ୍ରଥମ କରି ଗସ୍ତ କରିଛନ୍ତି । ବଡ଼ଚଣା ବିଜେଡି ପକ୍ଷରୁ ଯାଜପୁର ଜିଲାର ପ୍ରବେଶଦ୍ୱାର ଛତିଆ ନିକଟ ନେଳିଆଛକଠାରୁ ଉଭୟ ପ୍ରାର୍ଥୀଙ୍କୁ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ସେଠାରୁ ଏକ ବିଶାଳ ବାଇକ୍ ରାଲିରେ କର୍ମୀମାନେ ଉଭୟଙ୍କୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦଳୀୟ କର୍ମୀ ପାଛୋଟି ନେଇଥିଲେ । ପୂର୍ବରୁ ଏଠାରେ ୩ ଗୋଷ୍ଠୀ ମଧ୍ୟରେ ଯେଉଁ ବିବାଦ ରହିଥିଲା ଏହାକୁ ପ୍ରଶମିତ କରାଯାଇଛି । ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବର୍ଷାଙ୍କୁ ବିଜୟୀ କରିବା ପାଇଁ ଯେଉଁ ନିବେଦନ ରଖିଥିଲେ ତାହାକୁ ପାଳନ କରି ସମସ୍ତେ ଏକତ୍ରିତ ହୋଇଥିଲେ । ଏପରି କି ଛତିଆ, ବଡ଼ଚଣା, କଡ଼େଇ, ବନ୍ଦାଳୋ ଓ ଚଣ୍ଡିଖୋଲଠାରେ ବହୁ କର୍ମୀ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ । ଶୋଭାଯାତ୍ରାରେ ଅଧିକାଂଶ ପୁରୁଷ ରହିଥିବାବେଳେ ବିଭିନ୍ନ ସ୍ଥାନରେ ମହିଳାମାନେ ରହି ସ୍ୱାଗତସମ୍ବର୍ଦ୍ଧନା ଜଣାଇଥିଲେ ।

ଏହି ଅବସରରେ ବର୍ଷା କହିଥିଲେ, ବଡ଼ଚଣାବାସୀ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଯେଉଁଭଳି ଭାବେ ସ୍ୱାଗତ ଜଣାଇଛନ୍ତି ଏହାକୁ କେବେ ଭୁଲିପାରିବେ ନାହିଁ । ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ସାକ୍ଷାତ କରିବା ସହ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ । ବଡ଼ଚଣାବାସୀଙ୍କ ସେବାରେ ସାରା ଜୀବନ ଲଗାଇଦେବେ ବୋଲି କହି ସେ ଭାବବିହ୍ୱଳ ହୋଇଥିଲେ । ସାଂସଦ ପ୍ରାର୍ଥୀ ସେଠୀ ବଡ଼ଚଣାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ୨୦୧୯ରୁ ୨୦୨୪ରେ ଆହୁରି ଅଧିକ ଭୋଟ ଦେଇ ଜିତାଇବା ସହ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *