ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା କଳା କ୍ଷେତ୍ର ପ୍ରସ୍ତୁତି “ଜୟ ଶ୍ରୀଜଗନ୍ନାଥ” ଲୋକାର୍ପିତ

ଭୁବନେଶ୍ୱର, ୧୩/୬:ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲଙ୍କ ଦ୍ୱାରା ରାଜଧାନୀ ଭୁବନେଶ୍ୱରସ୍ଥିତ ରାଜଭବନରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ସଶକ୍ତିକରଣ ପରିଷଦ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ ମିଡିଆ ଟେକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ କଳା କ୍ଷେତ୍ର ପ୍ରସ୍ତୁତି “ଜୟ ଶ୍ରୀଜଗନ୍ନାଥ – ଏକ ରେଖାଙ୍କନ” ଉନ୍ମୋଚିତ ହୋଇଯାଇଛି । ଏହା ଓଡ଼ିଶା ତଥା ବିଶ୍ୱର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଅଷ୍ଟୋତ୍ତର ଶତନାମାବଳୀ – ମହାପ୍ରଭୁଙ୍କ ୧୦୮ ନାମ ସଂକୀର୍ତ୍ତନ ଉପରେ ଆଧାରିତ । ଏହି ସବୁ କାର୍ଯ୍ୟ ଏ ମାଟିର ସର୍ବଜନପ୍ରିୟ ଦେବତା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ସଠିକ ମାର୍ଗରେ ହୋଇପାରିଲେ ଲୋକମାନଙ୍କ ମନରେ ଭକ୍ତି ଶ୍ରଦ୍ଧା ଓ ସ୍ନେହ ମନୋଭାବ ସୃଷ୍ଟି ହେବା ସଂଗେ ସଂଗେ ଆଧ୍ୟାତ୍ମିକ କ୍ଷେତ୍ରରେ ସେମାନଙ୍କୁ ସଠିକ ମାର୍ଗରେ ପରିଚାଳିତ ହେବା ପାଇଁ ଦିଗ୍ଦର୍ଶନ ଦେଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣୋଶୀ ଲାଲ ଏହି ଅବସରରେ କହିଥିଲେ ।
ଉନ୍ମୋଚନ ଉତ୍ସବରେ ଶ୍ରୀମନ୍ଦିର ଛତିଶା ନିଯୋଗର ମୁଖ୍ୟ ନାୟକ ତଥା ମୁଖ୍ୟ ସେବକ ଶ୍ରୀ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଏହାକୁ ମଙ୍ଗଳମୟ ଶ୍ରୀଜଗନ୍ନାଥଙ୍କୁ ମାନବ ସମାଜତରଫରୁ ଏକ ଅର୍ଘ୍ୟ ଓ ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ଜୀବ ଜଗତକୁ କରୁଣା ବାରିଧିରୁ ଆଶୀର୍ବାଦ ଦେଇ ସମସ୍ତଙ୍କୁ ଆଶୀର୍ବାଦ କରିବେ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି । ଶ୍ରୀକ୍ଷେତ୍ର ଧାମର ଅନ୍ୟତମ ପୂଜକ ଶ୍ରୀଜୟନାରୟଣ କହିଥିଲେ ଯେ, ଏହା ସର୍ବମଙ୍ଗଳ ପାଇଁ ଉଦ୍ଦିଷ୍ଟ ଏବଂ ଈଶ୍ୱର ପ୍ରେରିତ । ପୁରୀସ୍ଥିତ ମହିପ୍ରକାଶ ମଠର ମହନ୍ତ ଶ୍ରୀ ଶୁଭବାନନ୍ଦ ମହାରାଜ କଳା କ୍ଷେତ୍ରର ଏହି ଉଦ୍ୟମ ଯୋଗୁଁ ମାନବ ସମାଜର ଅଶେଷ କଲ୍ୟାଣ ହେବା ସହ ଜଗନ୍ନାଥଙ୍କର ଅଷ୍ଟୋତ୍ତର ଶତନାମାବଳୀ ଜୀବଜନ୍ତୁଙ୍କ କାନରେ ପଡିଲେ ମଧ୍ୟ ସେମାନେ ବିପଥଗାମୀ ହେବାରୁ ନିଜକୁ ରକ୍ଷା କରିପାରିବେ ବୋଲି ଏହି ଅବସରରେ ଉଲ୍ଲେଖ କରିଥିଲେ । ବିଶିଷ୍ଟ ପରିବେଶବିତ ଶ୍ରୀ ଦିଲୀପ ଶ୍ରୀଚନ୍ଦନ କଳା କ୍ଷେତ୍ର ଦ୍ୱାରା ପ୍ରସ୍ତୁତ ଏହି ବୃତ୍ତଚିତ୍ର ଓ ସଂଗୀତ ଶ୍ରୀଜଗନ୍ନାଥଙ୍କ ୩୪ ବେଶ ଓ ୧୦୮ ନାମ ସଂକୀର୍ତ୍ତନ ପୂଜା ପରିବେଶ ଓ ବିଧିବିଧାନ ରୂପରେ ଆଧାରିତ ଏବଂ ଏହା ସର୍ବଧର୍ମ ସମନ୍ୱୟର ପ୍ରତୀକ ଯାହାକି ରାଜ୍ୟ ତଥା ବିଶ୍ୱର ଅମୂଲ୍ୟ ସମ୍ପଦ ବୋଲି ଶ୍ରୀଚନ୍ଦନ ମତ ରଖିଥିଲେ ।

ଏହି ଅବସରରେ ଓଡ଼ିଶାର ପ୍ରଖ୍ୟାତନାମା ଓ ଲୋକପ୍ରିୟ ଚଳଚିତ୍ର ନାୟକ ସବ୍ୟସାଚୀ ମିଶ୍ର, ପୂର୍ବତନ ବରିଷ୍ଠ ପ୍ରଶାସକ ଶ୍ରୀ ମଧୁସୂଦନ ମିଶ୍ର, ରାଜ୍ୟପାଳଙ୍କ ବରିଷ୍ଠ ଜନସଂପର୍କ ଅଧିକାରୀ ଶ୍ରୀ ରକ୍ଷକ ନାୟକ, ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଓ ସଶକ୍ତିକରଣ ପରିଷଦର ନିର୍ଦ୍ଦେଶ ଶ୍ରୀ ପ୍ରଦୀପ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ସମରେନ୍ଦ୍ର ରାଉତ ଉପସ୍ଥିତ ରହି ଜଗନ୍ନାଥ ସଂସ୍କୃତିକୁ ପ୍ରସାର ଓ ପ୍ରଚାର ପାଇଁ ଏହା ଏକ ମହତ ଉଦ୍ୟମ ଓ ଏପରି କାର୍ଯ୍ୟକ୍ରମମାନ ଭବିଷ୍ୟତରେ ହାତକୁ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବା ଉପରେ ନିଜ ନିଜର ମତ ରଖିଥିଲେ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଜଗନ୍ନାଥଙ୍କ ସମ୍ଵନ୍ଧିତ ପାଠ୍ୟକ୍ରମ ପ୍ରଚଳନ ପାଇଁ ରାଜ୍ୟପାଳ ଦୃଢ଼ମତ ପୋଷଣ କରିଥିଲେ ।