ଅତିରିକ୍ତ ସୁରକ୍ଷା ଜମା , ସ୍ମାର୍ଟ ମିଟର ସହ ଜଡ଼ିତ ନୁହେଁ ଏହା ବିଦ୍ୟୁତ୍ ଆଇନ, ୨୦୦୩ ଏବଂ ଓଇଆରସି ଅନୁଯାୟୀ ଏକ ବୈଧାନିକ ଅନୁପାଳନ: ଟିପିସିଓଡିଏଲ୍
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିକଟରେ କିଛି ଉପଭୋକ୍ତାଙ୍କୁ ଜାରି କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଡିମାଣ୍ଡ ନୋଟିସ୍ ହେଉଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ବଣ୍ଟନ (ଯୋଗାଣ ସର୍ତ୍ତାବଳୀ) କୋଡ୍, ୨୦୧୯ ଦ୍ୱାରା ପରିଚାଳିତ ଏକ ବାଧ୍ୟତାମୂଳକ ବାର୍ଷିକ ବୈଧାନିକ ଅନୁପାଳନ। ଏହାର ସ୍ମାର୍ଟ ମିଟର ସ୍ଥାପନା କିମ୍ବା ପରିଚାଳନା ସହିତ କୌଣସି ସମ୍ପର୍କ ନାହିଁ। ବୈଧାନିକ ଢାଞ୍ଚା ଏବଂ ଆଇନଗତ ଆଧାର ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୪୭ ଅନୁଯାୟୀ ସୁରକ୍ଷା ଜମା ସଂଗ୍ରହ କରିବା ବାଧ୍ୟତାମୂଳକ ଅଟେ। ଏହି ଆଇନ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ବାବଦରେ ଉପଭୋକ୍ତାଙ୍କଠାରୁ ଉପଯୁକ୍ତ ସୁରକ୍ଷା ରାଶି ଦାବି କରିବାକୁ କ୍ଷମତା ପ୍ରଦାନ କରେ। ଏହି ଆଇନକୁ ଆଧାର କରି ଓଇଆରସି ବଣ୍ଟନ (ଯୋଗାଣ ସର୍ତ୍ତାବଳୀ) କୋଡ୍, ୨୦୧୯ର ନିୟମାବଳୀ ୫୨, ୫୩, ୫୪ ଏବଂ ୫୫ ପ୍ରଣୟନ କରିଛନ୍ତି, ଯାହା ଏହି ପ୍ରକ୍ରିୟାକୁ କଠୋର ଭାବରେ ନିୟନ୍ତ୍ରଣ କରିଥାଏ।”
ଡିମାଣ୍ଡ ନୋଟ୍ କାହିଁକି ଜାରି କରାଯାଏ?
ନିୟମାବଳୀ ୫୩ ଅନୁଯାୟୀ, ସୁରକ୍ଷା ଜମା ପର୍ଯ୍ୟାପ୍ତ ଅଛି କି ନାହିଁ ତାହା ପ୍ରତି ବର୍ଷ ସମୀକ୍ଷା କରାଯାଏ। ଏହି ସମୀକ୍ଷା ଗତ ଆର୍ôଥକ ବର୍ଷ (୨୦୨୪-୨୫)ରେ ଉପଭୋକ୍ତାଙ୍କ ହାରାହାରି ବିଦ୍ୟୁତ୍ ବ୍ୟବହାର ଉପରେ ଆଧାରିତ।
ଅତିରିକ୍ତ ଜମା ପାଇଁ: ଯଦି ଜଣେ ଉପଭୋକ୍ତାଙ୍କ ବିଦ୍ୟୁତ୍ ବ୍ୟବହାର ବୃଦ୍ଧି ପାଇଛି, ତେବେ ପୂର୍ବରୁ ଥିବା ସୁରକ୍ଷା ଜମା (୨ ମାସର ବିଲିଂ ପାଇଁ ଗଣନା କରାଯାଇଥିବା) କମ୍ ପଡିଥାଏ। ତେଣୁ ଉପଭୋକ୍ତାଙ୍କୁ ଏହି ପାର୍ଥକ୍ୟ ରାଶିକୁ ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଭାବରେ ପୈଠ କରିବାକୁ ପଡିଥାଏ।
ଫେରସ୍ତ ପାଇଁ: ଅନ୍ୟ ପକ୍ଷରେ, ଯେଉଁ ଉପଭୋକ୍ତା ମାନଙ୍କର ବିଦ୍ୟୁତ୍ ବ୍ୟବହାର ୨୦୨୪-୨୫ ଆର୍ôଥକ ବର୍ଷରେ ହ୍ରାସ ପାଇଛି ଏବଂ ଫଳସ୍ୱରୂପ ସୁରକ୍ଷା ଜମା ଅଧିକ (ଆବଶ୍ୟକ ରାଶିର ୧୦%ରୁ ଅଧିକ) ରହିଛି, ସେମାନେ ସେମାନଙ୍କ ବିଦ୍ୟୁତ୍ ବିଲରେ ଆଡଜଷ୍ଟମେଣ୍ଟ ମାଧ୍ୟମରେ ଅତିରିକ୍ତ ରାଶି ଫେରସ୍ତ ପାଇବାକୁ ଯୋଗ୍ୟ ଅଟନ୍ତି।
ଆର୍ôଥକ ଲାଭ ଏବଂ ଜମା ରାଶିର ସୁରକ୍ଷା
ଟିପିସିଓଡିଏଲ୍ ଏହି ଜମା ରାଶିର ସୁରକ୍ଷା ଏବଂ ବ୍ୟବହାର ସମ୍ପର୍କରେ ଉପଭୋକ୍ତାମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି:
ସୁଧ ପ୍ରଦାନ: ଉପଭୋକ୍ତାମାନଙ୍କୁ ସେମାନଙ୍କ ସୁରକ୍ଷା ଜମା ଉପରେ ବାର୍ଷିକ ୬.୫୦% ହାରରେ (ଓଇଆରସି ଦ୍ୱାରା ନିର୍ଦ୍ଧାରିତ) ସୁଧ ପ୍ରଦାନ କରାଯାଏ, ଯାହା ବ୍ୟାଙ୍କ ଗୁଡିକ ଦ୍ୱାରା ଫିକ୍ସଡ୍ ଡିପୋଜିଟ୍ ଉପରେ ଦିଆଯାଉଥିବା ସୁଧ ହାର ସହ ପ୍ରାୟ ସମାନ। ଏହି ସୁଧ ବାର୍ଷିକ ଭାବରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲରେ ଆଡଜଷ୍ଟ ହୋଇଥାଏ।
ସୁରକ୍ଷିତ ପାଣ୍ଠି: ଓଇଆରସିର ନିର୍ଦ୍ଦେଶାବଳୀ ଅନୁଯାୟୀ, ସଂଗୃହିତ ସୁରକ୍ଷା ଜମା ଟିପିସିଓଡିଏଲର ବ୍ୟବସାୟିକ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ନାହିଁ। ଏହା ବଦଳରେ, ଏହାକୁ ସିଡ୍ୟୁଲ୍ ବ୍ୟାଙ୍କଗୁଡିକରେ ଫିକ୍ସଡ୍ ଡିପୋଜିଟ୍ ଆକାରରେ ସୁରକ୍ଷିତ ରଖାଯାଏ। ଏହି ଫିକ୍ସଡ୍ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ଏଆରଆର ମାଧ୍ୟମରେ ଉପଭୋକ୍ତାମାନଙ୍କୁ ହସ୍ତାନ୍ତର କରାଯାଏ।
ଉଦ୍ଦେଶ୍ୟ: ଏହି ଜମା ଅର୍ଥ, ବିଲ୍ ପୈଠରେ ଖିଲାପ ବିରୁଦ୍ଧରେ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରେ। ଯଦି ଜଣେ ଉପଭୋକ୍ତା ବିଲ୍ ପୈଠ କରିବାରେ ଖିଲାପ କରନ୍ତି, ଯାହା ଫଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ପଡିଥାଏ, ଏଭଳି ସମୟରେ ବକେୟା ଅର୍ଥକୁ ଏହି ସୁରକ୍ଷା ଜମା ମାଧ୍ୟମରେ ଭରଣା କରାଯାଇପାରିବ।
ଦେୟ ପୈଠ ନକଲେ ଜରିମାନା
ନିୟମାବଳୀ ୫୫ ଅନୁଯାୟୀ, ଉପଭୋକ୍ତାମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏଏସଡି ପୈଠ କରିବା ଆବଶ୍ୟକ। ଏଥିରେ ବିଫଳ ହେଲେ ବକେୟା ରାଶି ଉପରେ ବାର୍ଷିକ ୧୫% ସରଚାର୍ଜ ଲାଗୁ ହୋଇଥାଏ। ଏହି ସରଚାର୍ଜରୁ ବର୍ତ୍ତିବା ପାଇଁ ଉପଭୋକ୍ତାମାନଙ୍କୁ ଶୀଘ୍ର ଏଏସଡି ପୈଠ କରିବାକୁ ଅନୁରୋଧ କରାଯାଇଛି।
ସ୍ମାର୍ଟ ମିଟର ଉପରେ ସ୍ପଷ୍ଟୀକରଣ ଟିପିସିଓଡିଏଲ୍ ସ୍ପଷ୍ଟ ଭାବେ ଜଣାଇବାକୁ ଚାହେଁ ଯେ, ଅତିରିକ୍ତ ସୁରକ୍ଷା ଜମା ଦାବି ଏକ ନିୟମିତ ଏବଂ ବୈଧାନିକ ପ୍ରକ୍ରିୟା, ଯାହା ବାର୍ଷିକ ଭିତ୍ତିରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ବ୍ୟବହାର ଏବଂ ପ୍ରଚଳିତ ଦର (ଟାରିଫ୍) ଅନୁଯାୟୀ କରାଯାଇଥାଏ। ସ୍ମାର୍ଟ ମିଟର ସ୍ଥାପନ, ଏହାର ଭଡ଼ା କିମ୍ବା କାର୍ଯ୍ୟକାରିତା ସହିତ ଏହାର କୌଣସି ସମ୍ପର୍କ ନାହିଁ।
ଟିପିସିଓଡିଏଲ୍ ସର୍ବଦା ସ୍ୱଚ୍ଛତା ବଜାୟ ରଖିବା ସହ ଓଇଆରସିଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ।”
