ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ
ସ୍ୱପ୍ନ, ଶୃଙ୍ଖଳିତ ଓ ନିଷ୍ଠାପର ଜୀବନ: ସଫଳତାର ଚାବିକାଠି
ଧାମରା, ପ୍ରବାହ ନ୍ୟୁଜ୍ : ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲର ୧୪ତମ ବାର୍ଷିକ ଦିବସ ‘ଜିଜ୍ଞାସା’ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ସୌମ୍ୟ ରଞ୍ଜନ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣପ୍ରିୟା ଷଡ଼ଙ୍ଗୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଦେବେନ୍ଦ୍ର ଠକର୍, ଅଧ୍ୟକ୍ଷ, ଏସ୍ଏମ୍ସି, ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲ୍, ଛାତ୍ରଛାତ୍ରୀମାନଙ୍କୁ ନିଜ ଜୀବନର ସ୍ୱପ୍ନ ଓ ଦୃଷ୍ଟିକୋଣ ଅନୁଯାୟୀ କାର୍ଯ୍ୟ କରି ପୂବର୍ତନ ରାଷ୍ଟ୍ରପତି ଡ଼ଃ ଏ. ପି. ଜେ. ଅବ୍ଦୁଲ୍ କାଲାମଙ୍କ ପରି ନିଜ ଲକ୍ଷ୍ୟ ସାଧନ କରିବା ପାଇଁ ପ୍ରେରଣା ଦେଇଥିଲେ। ଭଦ୍ରକ ସ୍ଥିତ ବିନାୟକ ପବ୍ଲିକ୍ ସ୍କୁଲ ନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସହଯୋଗୀ ଓ ଅଦ୍ୱିତୀୟ ପରିବେଶ ସୃଷ୍ଟିର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ସମ୍ମାନିତ ଅତିଥି ଭାବେ ଆଦାନୀ ଫାଉଣ୍ଡେସନର ସିଏସ୍ଆର୍ ମୁଖ୍ୟ ଅକ୍ଷୟ କୁମାର ନାୟକ ଉଚିତ ସମୟ ପରିଚାଳନା ମଣିଷକୁ ମହାନ କରେ ବୋଲି କହିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଭୁବନେଶ୍ୱର ଓଡିଏମ୍ ପବ୍ଲିକ୍ ସ୍କୁଲ ନିର୍ଦ୍ଦେଶକ ଡ. ଆର୍ତ୍ତତ୍ରାଣ ମିଶ୍ର, ଭଦ୍ରକ ଡିଏଭି ଏସ୍ଡିପିଏସ୍ ପବ୍ଲିକ୍ ସ୍କୁଲ୍ ପ୍ରଧାନଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାଶ, ଭଦ୍ରକ ଡିଏଭି ପବ୍ଲିକ୍ ସ୍କୁଲ ପ୍ରଧାନଶିକ୍ଷକ ଡ଼ଃ ଋତୁପର୍ଣ୍ଣା ସାହୁ, ଶିକ୍ଷାବିତ୍ ଶ୍ରୀମତୀ ହରପ୍ରିୟା ମିଶ୍ର ଏବଂ ଦେବନାରାୟଣ ମିଶ୍ରଙ୍କ ସହିତ ସମସ୍ତ ପିଟିସିସି ସଦସ୍ୟ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ମେଧାବୀ ଛାତ୍ରଛାତ୍ରୀ ଓ ବିଜୟୀ ଅଭିଭାବକମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ପତ୍ରିକା ‘ତତ୍ତ୍ୱ୍ୱ’ (୯ମ ସଂସ୍କରଣ) ଉନ୍ମୋଚନ କରାଯାଇଥିଲା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ ହୋଇଥିଲା । କାର୍ଯ୍ୟକ୍ରମଟିକୁ ଆକାଶଦୀପ ବାନାର୍ଜୀ ଓ ଉତ୍କଳିକା ପ୍ରିୟଦର୍ଶିନୀ ସାହୁ ପରିଚାଳନା କରିବା ସହ ସୁଶ୍ରୀ ଉଷଶ୍ରୀ ବେହେରା ଧନ୍ୟବାଦ ଜ୍ଞାପନ କରି ଜାତୀୟ ସଙ୍ଗୀତ ଓ ନବବର୍ଷର ଶୁଭେଚ୍ଛା ସହ ସମାପ୍ତ କରିଥିଲେ ।
