କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

ଆବେଟ୍‍ ଓ ଆଇଇଟି ସ୍ୱୀକୃତି ପାଇବାରେ କିଟ୍‍ ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : କିଟ୍ ବିଶ୍ୱବିଦ୍ୟାଳୟର ୬ଟି ଇଞ୍ଜିନୟିରିଂ ପାଠ୍ୟକ୍ରମକୁ ୬ବର୍ଷ ପାଇଁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ବିଶ୍ୱବିଦ୍ୟାଳୟର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହେଉଛି କିଟ୍‍ । ଆବେଟ୍‍ ସ୍ୱୀକୃତି ହେଉଛି ଇଂଜିନିୟରିଂ ଓ ଇଂଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ସ୍ୱୀକୃତି ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ଅନୁଷ୍ଠାନ । ଏହା ଇଂଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍‍ଡ୍‍ ଷ୍ଟାଣ୍ଡାର୍ଡ ମାନ ଥିବା ପାଠ୍ୟକ୍ରମ ସହ ଉତ୍ତୀର୍ଣ୍ଣ ହେଉଥିବା ସ୍ନାତକମାନଙ୍କୁ ଅନ୍ତର୍ଜାତୀୟସ୍ତରରେ କର୍ମକ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ପ୍ରଦାନ କରିଥାଏ । ସମାନୁପାତିକ ଉନ୍ନତ ମାନ ପାଇଁ ଆମେରିକାର ଆବେଟ୍‍ କିଟ୍‍ ବିଶ୍ୱବିଦ୍ୟାଳୟକୁ ପୂର୍ବରୁ ୨୦୨୨ରେ ଏହି ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଚଳିତବର୍ଷ ଏହାକୁ ଆଉ ୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି । କିଟ୍‍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍‍ସ ଓ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍‍ସ ଓ ଟେଲି କମ୍ୟୁନିକେସନ୍‍, ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍‍ସ ଓ ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟରିଂ, ମେକାନିକାଲ୍‍ ଓ ସିଭିଲ ଇଞ୍ଜିନିୟରିଂ ଭଳି ୬ଟି ବିଟେକ୍‍ ପାଠ୍ୟକ୍ରମକୁ ଏହି ସ୍ୱୀକୃତି ମିଳିଛି । ସୂଚନାଯୋଗ୍ୟ ବିଶ୍ୱସ୍ତରରେ ସମ୍ମାନୀତ ବେଞ୍ଚମାର୍କ ପ୍ରଦାନ କରୁଥିବା ଇଂଲଣ୍ଡର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ଆଇଇଟି କିଟ୍‍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ପାଠ୍ୟକ୍ରମ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛି । ଉଭୟ ଆବେଟ୍‍ ଓ ଆଇଇଟି ସ୍ୱୀକୃତି ପାଇବାରେ କିଟ୍‍ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ଏବେ କିଟ୍‍ ବିଶ୍ୱବିଦ୍ୟାଳୟ ଆବେଟ୍‍ ସ୍ୱୀକୃତି ପାଇଥିବା ବିଶ୍ୱର ପ୍ରତିଷ୍ଠିତ ହାର୍ଭାର୍ଡ୍‍, କେମ୍ବ୍ରିଜ୍‍, ଷ୍ଟାନ୍‍ଫୋର୍ଡ, ମିଚିଗାନ୍‍ ଟେକ୍ନୋଲୋଜିକାଲ୍‍ ବିଶ୍ୱବିଦ୍ୟାଳୟ, ୟୁନିଭର୍‍ସିଟି ଅଫ୍‍ ପେନ୍‍ସିଲ୍‍ ଭାନିଆ, କଲମ୍ବିଆ ବିଶ୍ୱବିଦ୍ୟାଳୟ, ନିୟୁୟର୍କ ୟୁନିଭର୍‍ସିଟି ଅଫ୍‍ ଫ୍ଲୋରିଡ଼ା ଭଳି ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ।

ସେହିପରି କିଟ୍‍ ୱାର୍ଲଡ ଟେକ୍ନୋଲୋଜି ୟୁନିଭର୍‍ସିଟିଜ୍‍ ନେଟ୍‍ୱାର୍କ (ଡବ୍ଲୁଟିୟୁଏନ୍‍)ରେ ସାମିଲ୍‍ ହେବାର ଗୌରବ ଅର୍ଜନ କରିଛି। କିଟ୍‍ ଡବ୍ଲୁଟିୟୁଏନ୍‍ର ଏକ ସଦସ୍ୟ ହେବା ଫଳରେ କିଟ୍‍ର ବହୁ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ସହ ବ୍ରେନ୍‍ କ୍ୟାଣ୍ଟର ମେଧାବୃତ୍ତି, ହାକାଥନ୍‍ ଓ ବିନିମୟ କାର୍ଯ୍ୟକ୍ରମରେ ସାମିଲ୍‍ ହୋଇପାରିବେ । ଏହାଦ୍ୱାରା ବିଶ୍ୱର ୨୦ଟି ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ସ୍ଥାନ ପାଇପାରିଛି ।

ଏହା ସହିତ କିଟ୍‍ ଅଷ୍ଟ୍ରେଲିଆ-ଇଣ୍ଡିଆ କ୍ରିଟିକାଲ୍‍ ମିନେରାଲ୍‍ସ ରିସର୍ଚ୍ଚ ହବ୍‍ (ଏଆଇସିଏମ୍‍ଆର୍‍ଏଚ୍‍)ର ଅନୁମୋଦନ ପାଇବାର ଗୌରବ ଅର୍ଜନ କରିଛି। ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନରେ ଥିବା ଶିକ୍ଷା ଓ ଗବେଷଣା ପ୍ରୋତ୍ସାହନ ସହଯୋଗ ଯୋଜନା (ସ୍ପାର୍କ)ରେ ଅନ୍ତର୍ଭୁକ୍ତ । କିଟ୍‍ ସମେତ ଭାରତର ୧୭ଟି ଆଇଆଇଟି, ଏନ୍‍ଆଇଟି, ଆଇଆଇଏମ୍‍ ଭଳି ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଓ ଅଷ୍ଟ୍ରେଲିଆର ୧୧ଟି ଶିକ୍ଷାନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ମିଳିତ ଭାବେ କାର୍ଯ୍ୟ କରିବେ ।

ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କିଟ୍‍ର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ଶୁଭେଚ୍ଛୁମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି, ଏଭଳି ସ୍ୱୀକୃତି ମିଳିବା ଦ୍ୱାରା କିଟ୍‍ ଛାତ୍ରଛାତ୍ରୀମାନେ ଆନ୍ତର୍ଜାତିକସ୍ତରରେ ନିଜର ଭବିଷ୍ୟତ ଗଢ଼ିବାରେ ଏକ ସୁଯୋଗ ସୃଷ୍ଟି ହୋଇଛି । ଏହା କୌଣସି ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *

You may have missed