“ଅମୃତ କଳସ ଯାତ୍ରା’ ପାଇଁ ଓଡ଼ିଆ କଳାକାର ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତିଙ୍କ ହାତରେ ଚିତ୍ରିତ କଳସକୁ ଚୟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଭୁବନେଶ୍ୱର, ୧.୧୧: ଓଡ଼ିଶାର ସମୃଦ୍ଧ କଳାକୃତି ପରମ୍ପରା ପ୍ରତି ଉଲ୍ଲେଖନୀୟ ଶ୍ରଦ୍ଧାଞ୍ଜଳି ସ୍ୱରୂପ ମେରି ମାଟି ମେରା ଦେଶ ଅଭିଯାନର ଅବିଚ୍ଛେଦ୍ୟ ଅଙ୍ଗ “ଅମୃତ କଳସ ଯାତ୍ରା’ର ଶୁଭାରମ୍ଭ ପାଇଁ ବିଶିଷ୍ଟ ଓଡ଼ିଆ କଳାକାର ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତିଙ୍କ ହାତରେ ଚିତ୍ରାଙ୍କନ କରାଯାଇଥିବା କଳସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୟନ କରିଛନ୍ତି ।


ଆମର ଅମର ସହିଦମାନଙ୍କ ତ୍ୟାଗ ପ୍ରତି ସମ୍ମାନ ପାଇଁ ମେରି ମାଟି ମେରା ଦେଶ-ଅମୃତ କଳସ ଯାତ୍ରା’ ହେଉଛି ଏକ ଜାତୀୟ ଅଭିଯାନ । ସହିଦଙ୍କ ଜନ୍ମ ସ୍ଥାନରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଉଛି ଏବଂ ସେହି ପବିତ୍ର ମାଟିକୁ ଦିଲ୍ଲୀରେ ଥିବା ଜାତୀୟ ସହିଦ ସ୍ମାରକୀକୁ ପଠାଯାଉଛି । ଶ୍ରଦ୍ଧାଞ୍ଜଳି ସ୍ୱରୂପ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକା ସ୍ଥାପନ କରାଯିବ ଯେଉଁଥିରେ ଜାତୀୟ ସ୍ତରରୁ ସଂଗୃହୀତ ୭୫୦୦ କଳସର ମାଟି ଓ ବୃକ୍ଷ ରହିବ ।


କାରିଗରୀର ଉତ୍କର୍ଷ ଭାବେ ପରିଚିତ, ହାତରେ ଚିତ୍ରିତ କଳସକୁ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କିଟ୍ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତି ନିଜ ହାତରେ ଆଙ୍କିଛନ୍ତି । ବିଶିଷ୍ଟ ଓଡ଼ିଆ ପ୍ରଫେସର ତଥା ସାହିତ୍ୟିକ ଡକ୍ଟର ବିଜୟ କୁମାର ମହାନ୍ତି ଓ ଶ୍ରୀମତୀ ରେଣୁବାଳା ମହାନ୍ତିଙ୍କ ଝିଅ ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତି ନ୍ୟାସନାଲ୍ ଲ ସ୍କୁଲ ବାଙ୍ଗାଲୋରରୁ ଏଲ୍‌ଏଲ୍‌ଏମ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚିତ୍ରକଳା ପ୍ରତି ତାଙ୍କ ଅଭିଳାଷ ଜାତୀୟ ସ୍ତରରେ ଅନୁଷ୍ଠିତ ପ୍ରଦର୍ଶନୀ ଯଥା ଜାତୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରି ଓ ଇଣ୍ଡିଆ ହାବିଟାଟ ସେଂଟରରେ ମାନ୍ୟତା ହାସଲ କରିଛି ।


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିବା ହଜାର ହଜାର କଳସ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଡକ୍ଟର ସୂର୍ଯୃସ୍ନତା ମହାନ୍ତି ଆଙ୍କିଥିବା କଳସକୁ ଚୟନ କରିଥିଲେ ଯାହା ଓଡ଼ିଶାର କଳା ସମୁଦାୟ ପାଇଁ ଏକ ଐତିହାସିକ ମୂହୁର୍ତ ।
ଏହି ମାନ୍ୟତା ଡକ୍ଟର ମହାନ୍ତିଙ୍କ ଉଲ୍ଲେଖନୀୟ ପ୍ରତିଭାର ପରିଚାୟକ ହୋଇଥିବା ବେଳେ ଓଡ଼ିଶାର ଜୀବନ୍ତ କଳାତ୍ମକ ଐତିହ୍ୟକୁ ପ୍ରତିଫଳିତ କରୁଛି । ସାରା ଦେଶ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ ଭାରତର ସାଂସ୍କୃତିକ ଦୃଶ୍ୟପଟ୍ଟରେ ଓଡ଼ିଶାର କାରିଗରୀର ଉଲ୍ଲେଖନୀୟ ଯୋଗଦାନକୁ ଏହା ମାନ୍ୟତା ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *