ଏବର୍ଷ ସ୍ବାଭାବିକ ବର୍ଷା ହେବ : ଆଇଏମଡି

ନୂଆଦିଲ୍ଲୀ : ମୌସୁମୀକୁ ନେଇ ବଡ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥର ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଇଏମଡି କହିଛି ଯେ ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୮୩.୫  ସେଣ୍ଟିମିଟର ବର୍ଷା ହେବ। ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକର ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସ୍ୱାଭାବିକ ବୃଷ୍ଟିପାତ ଶ୍ରେଣୀରେ ଆସୁଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବିଗତ ୫୦ ବର୍ଷର ହାରାହାରି ବୃଷ୍ଟିପାତ ତଥ୍ୟ ଅନୁସାରେ ୮୮ ସେଣ୍ଟିମିଟରକୁ ସ୍ବାଭାବିକ ବର୍ଷା ବୋଲି ଧରାଯାଏ । ଏହାଠାରୁ ୫ ପ୍ରତିଶତ କମ ବା ବେଶୀକୁ ବି ସ୍ବାଭାବିକ କୁହାଯାଏ । ଏଣୁ ଏବର୍ଷ ୮୩.୫ ସେମି ବର୍ଷା ( ୯୬ ପ୍ରତିଶତ) କୁ ସ୍ବାଭାବିକ ବର୍ଷା ବୋଲି କୁହାଯାଉଛି ।

ସୋମବାରଦିନ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଥିଲା ଯେ ଏବର୍ଷ ଦେଶରେ ନିଅଣ୍ଟିଆ ମୌସୁମୀ ହେବ ।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଭାରତରେ ସ୍ୱାଭାବିକ ବର୍ଷା ହେବ। ସେହିପରି ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଉତ୍ତର ପଶ୍ଚିମ ଭାରତ, ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର-ପୂର୍ବାଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେହିପରି ଉପଦ୍ୱୀପାଞ୍ଚଳ, ସଂଲଗ୍ନ ପୂର୍ବ, ଉତ୍ତର-ପୂର୍ବାଞ୍ଚଳ ଓ ଉତ୍ତର-ପଶ୍ଚିମ ଭାରତର କେତେକ ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *