ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସହ ଯୋଡ଼ି ହେଲା ସୁବର୍ଣ୍ଣରେଖା ବନ୍ଦର, ବାଲେଶ୍ୱରରେ କାର୍ଯ୍ୟକ୍ରମର ଶୁଭାରମ୍ଭ

• ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭରେ ସଂଯୋଜନା କରିବ ଟାଟା ଷ୍ଟିଲ୍ ଫାଉଣ୍ଡେସନ
• ବସ୍ତା, ବାଲିଆପାଳ ଓ ରେମୁଣା ବ୍ଲକ୍ର ୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍ ବଂଟନ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହଯୋଗିତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ସହ ଯୋଡ଼ି ହୋଇଛି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) । ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଦେ ଓ ବାଲେଶ୍ୱରର ମୁଖ୍ୟ ଜିଲ୍ଲା ମେଡିକାଲ ଅଧିକାରୀ ଡକ୍ଟର ଦୁଲାଲସେନ ଜଗଦ୍ଦେବ “ନି-କ୍ଷୟ ମିତ୍ର’ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି । ଏହା ନିଜର କୋର୍ସକୁ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରଖିବ


୨୦୨୫ ସୁଦ୍ଧା ଯକ୍ଷ୍ମା ଦୂରୀକରଣ ଲକ୍ଷ୍ୟ ହାସଲ କରିବା ସହ ଗୋଷ୍ଠୀ ସହଯୋଗିତାକୁ ବଢ଼ାଇବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ (ଏମ୍ଓଏଚ୍ଏଫ୍ଡବ୍ଲୁ) ପକ୍ଷରୁ “ଯକ୍ଷ୍ମା ରୋଗୀଙ୍କୁ ଗୋଷ୍ଠୀ ସହାୟତା-ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ’ର ଶୁଭାରମ୍ଭ କରାଯାଇଥିଲା ।
ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇ, ବିଭିନ୍ନ ବ୍ଲକ୍ରେ ଯକ୍ଷ୍ମା ମାମଲାକୁ ଚିହ୍ନଟ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହ ମିଶି ଏସ୍ପିପିଏଲ୍ ପକ୍ଷରୁ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ ପୋର୍ଟାଲ୍ରେ ପଂଜୀକରଣ କରିଛି । ଏହି ଅଭିଯାନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ପ୍ରତି ମାସରେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଏକ ନ୍ୟୁଟ୍ରିସନାଲ କିଟ୍ ଜରିଆରେ ପୁଷ୍ଟି ସହାୟତା ପ୍ରଦାନ କରାଯାଉଛି । ପ୍ରଥମ ପଦକ୍ଷେପ ଗ୍ରହଣ କରି ବାଲେଶ୍ୱରର ତିନି ବ୍ଲକ୍ ଯଥା ବସ୍ତା, ବାଲିଆପାଳ ଓ ରେମୁଣାର ଯଥାକ୍ରମେ ୯୮, ୫୬ ଓ ୨୧୭ ଜଣ ସମେତ ମୋଟ ୩୭୧ ଜଣ ହିତାଧିକାରୀଙ୍କୁ ଅତିଥିମାନେ ନ୍ୟୁଟ୍ରିସନାଲ୍ କିଟ୍ ବଂଟନ କରିଛନ୍ତି ।
ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଦେ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଜରୁରୀ ସହାୟତା ସନ୍ଧାନ କରୁଥିବା ଲୋକମାନଙ୍କ ପାଖରେ ପହଂଚାଇବାକୁ ନିର୍ଦେଶ ଦେଇଥିଲେ ।

ଏହି ଅବସରରେ ଏସ୍ପିପିଏଲ୍ର ବରିଷ୍ଠ ଡିଭିଜନାଲ୍ ମ୍ୟାନେଜର ପ୍ରମୋଦ କୁମାର, ଉପ ମୁଖ୍ୟ ଜିଲ୍ଲା ମେଡିକାଲ୍ ଅଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।