ଖୋର୍ଦ୍ଧା ମହୋତ୍ସବ କମିଟିର ଅବ୍ୟବସ୍ଥା : ଦାଣ୍ଡରେ ପଡ଼ି ହାଟରେ ଗଡୁଛି

ଖୋର୍ଦ୍ଧା : ୧୮/୧୨(ପ୍ରବାହ ନିଉଜ୍) ଦୀର୍ଘ ଦୁଇ ବର୍ଷର କରୋନା କଟକଣା କୋହଳ ହେବାପରେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ହାବେଳୀ ପଡ଼ିଆରେ ସ୍ବେଛାସେବୀ ଅନୁଷ୍ଠାନ ନ୍ୟୁ ଥିଙ୍କିଙ୍ଗ ଫୋରମ ଆନୁକୂଲ୍ୟରେ ଆୟୋଜିତ ଖୋର୍ଦ୍ଧା ମହୋତ୍ସବ ମହା ଆଡମ୍ବରରେ ଆରମ୍ଭ ହୋଇଛି। ଦୁଇବର୍ଷର ବ୍ୟବଧାନ ପରେ ମହୋତ୍ସବ ଆୟୋଜନ ହୋଇଥିବାରୁ ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହେଉଛି। ପ୍ରତ୍ୟେକ ଦିନ ମହୋତ୍ସବ ପଡ଼ିଆରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ହେଲେ ଆୟୋଜକଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ନଥିବାରୁ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ମହୋତ୍ସବ ବୁଲିବାକୁ ଆସୁଥିବା ଦର୍ଶକ ।

ମହୋତ୍ସବ କମିଟି ପକ୍ଷରୁ ପଡ଼ିଆ ମଧ୍ୟରେ ସମୁଦାୟ ୪୫୦ଟି ଷ୍ଟଲ୍ କରାଯାଇ ସେଥିରେ ଅନେକ ଗୁଡ଼ିଏ ବାଣିଜ୍ୟିକ ଓ ଖାଦ୍ୟ ଷ୍ଟଲ୍ ଖୋଲାଯାଇଥିବା ବେଳେ ପ୍ରତ୍ୟେକ ଷ୍ଟଲ୍ ପିଛା ଆଠ ହଜାର ରୁ ଦଶ ହଜାର ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। କିନ୍ତୁ ପ୍ରତ୍ୟେକ ଦିନ ଦୋକାନ ମାନଙ୍କରୁ ବାହାରୁଥିବା ବର୍ଜ୍ୟବସ୍ତୁ ଦୋକାନ ପଛପଟେ କୁଢ଼ କୁଢ଼ ହୋଇ ପଡିଥିବା ଦେଖିବାକୁ ମିଳିଛି। ଯାହାକି ଆଗକୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବ ।  ସେହଭଳି ପଡ଼ିଆ ବାହାରେ ବେଲୁନ, ଝାଲ୍‌ ମୁଢ଼ି, ଆଇସ୍‌କ୍ରିମ୍ ଆଦି ପସରା ମେଲେଇଥିବା ଉଠା ଦୋକାନୀ ମାନଙ୍କ ଠାରୁ ମଧ୍ଯ ମହୋତ୍ସବ କମିଟି ପକ୍ଷରୁ ଜନପିଛା ଦୁଇରୁ ତିନି ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାପଡ଼ିଥିବା ବେଳେ ସେମାନେ ମଧ୍ଯ ଅଳିଆ ସବୁକୁ ଇତସ୍ତତଃ ଭାବେ ଫୋପାଡୁ ଥିବାର ଦେଖାଯାଇଛି।

ମହୋତ୍ସବ କମିଟି ଅନୁମତିରେ ସାମନ୍ତରାପୁର ଠେଙ୍ଗାହାଟ ମେଲଣ ପଡ଼ିଆ, ମହିଳା ମହାବିଦ୍ୟାଳୟ ସମ୍ମୁଖ, ନବୀନାବାଗ ଗଣେଶ ପୂଜା ମଣ୍ଡପ, ଗାନ୍ଧୀପଡ଼ିଆ ଆଦି ଅଞ୍ଚଳରେ ସ୍ଥାନୀୟ ଯୁବକଙ୍କ ମାଧ୍ଯମରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ସେମାନଙ୍କ ଠାରୁ ଏକଲକ୍ଷ ତିରିଶ ହଜାର ଟଙ୍କା ମଧ୍ଯ ନିଆ ଯାଇଥିବା ଜଣାପଡିଛି। ସରକାରୀ ସ୍ଥାନରୁ ବିନା କୌଣସି ଟେଣ୍ଡର ରେ କିପରି ପାର୍କିଂ ସ୍ଥଳ କରାଯାଇ ଟଙ୍କା ଆଦାୟ କରାଯାଉଛି, ଏ ବାବଦରେ ପୌର ଅଧିକାରୀଙ୍କୁ ଯୋଗାଯୋଗ କରିବାରେ, ପୌର ପରିଷଦ ପକ୍ଷରୁ ଗାଡ଼ି ରଖିବା ସ୍ଥାନକୁ ନେଇ କୌଣସି ଟେଣ୍ଡର ଆହ୍ବାନ କରାଯାଇ ନଥିବା କହିଛନ୍ତି। ତେବେ, ପାର୍କିଂକୁ ନେଇ ସ୍ଥାନୀୟ ଯୁବକଙ୍କ ଠାରୁ ଆଦାୟ ହୋଇଥିବା ଟଙ୍କା ଏବେ କାହା ପକେଟ୍ ରେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ସେହିପରି ଏସ୍‌.ବି.ଆଇ ଛକରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ସ୍ଥାନୀୟ ଯୁବକମାନେ ରାସ୍ତାରେ ଯାଉଥିବା ବାଇକ୍ ଚାଳକଙ୍କଠାରୁ ଜୋର ଜବରଦସ୍ତ ପାର୍କ ଫି ଆଦାୟ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଳା କୃଷି କାର୍ଯ୍ୟାଳୟ ସମ୍ମୁଖ ଗଳିରାସ୍ତା,
ଆର୍‌.ଆଇ ଅଫିସ୍‌ ଗଳିରେ ମାଳମାଳ ବେଆଇନ ପାର୍କିଂ କରି ଟଙ୍କା ଆଦାୟ କରାଯାଉଛି ଓ ତା ସହିତ ହାବେଳି ପଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବାଇକ୍ ଓ ଚାରିଚକିଆ ଯାନ ରଖି ସେମାନଙ୍କ ଠାରୁ ମଧ୍ଯ ପାର୍କିଂ ଫି’ ଆଦାୟ କରାଯାଉଛି।

ଏ ସବୁ ପାଇଁ ମହୋତ୍ସବ କମିଟି ଅନୁମତି ଦେଇଥିବା ପାର୍କିଂ ଫି ଆଦାୟ କରୁଥିବା କେତେଜଣ ଯୁବକ ଗଣମାଧ୍ୟମ ଆଗରେ କହିଛନ୍ତି । ମହୋତ୍ସବ ପଡ଼ିଆର ଚତୁର୍ପାର୍ଶ୍ୱ ଅଞ୍ଚଳକୁ ପାର୍କିଂ ଦାୟିତ୍ଵରେ ଥିବା ଯୁବକମାନେ ସନ୍ଧ୍ୟା ସମୟରେ ରାସ୍ତାରେ ବାଉଁଶ ବାନ୍ଧି ଆବଦ୍ଧ କରି ରଖୁଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବାଦ କଲେ ମହୋତ୍ସବ କମିଟି ଠାରୁ ଟେଣ୍ଡର ନେଇଛୁ ବୋଲି କହି ଲୋକଙ୍କୁ ଦୁର୍ବ୍ଯବହାର କରୁଥିବା କିଛି ବାଇକ୍ ଆରୋହୀ କହିଛନ୍ତି।

ମୁଖ୍ୟ ଯାତାୟାତ ରାସ୍ତାକୁ ବନ୍ଦ କରି ଜୋର୍ ଜବରଦସ୍ତ ପାକିଂ ଫି’ ଆଦାୟ କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମହୋତ୍ସବ କମିଟିର ଏପରି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ସହିତ ବେଆଇନ୍ କାର୍ଯ୍ଯ ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

You may have missed