ଖୋର୍ଦ୍ଧା ଜିଲ୍ଲାରୁ ନିଶା କାରବାରକୁ ମୂଳପୋଛ କରିବା ପାଇଁ ଜିଲ୍ଲା ପୋଲିସ୍ ଆରମ୍ଭ କରିଛି ନିଜର ସ୍ଵତନ୍ତ୍ର ରଣକୌଶଳ

ଖୋର୍ଦ୍ଧା:୨୧/୧୦(ପ୍ରବାହ ନିଉଜ) ରାଜ୍ଯ ରାଜଧାନୀ ଭୁବନେଶ୍ଵର ପରେ ଏବେ ଧଳା ଜହର ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ଖୋର୍ଦ୍ଧା ସହର ଉପରେ।  ବିଗତ କିଛି ବର୍ଷ ହେବ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଯଦିଓ ବିଗତ ଦିନରେ ଏସ୍‌.ଟି.ଏଫ୍, କ୍ରାଇମବ୍ରାଞ୍ଚ୍, ସ୍ଥାନୀୟ ପୋଲିସ୍ ଏଵଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ଅନେକ ଡ୍ରଗସ୍‌ ବ୍ୟବସାୟୀଙ୍କୁ ଗିରଫ କରିଛି, ତଥାପି ଖୋର୍ଦ୍ଧା ସହର ସମ୍ପୁର୍ଣ୍ଣ ରୁପେ ବ୍ରାଉନସୁଗାର କବଳରୁ ମୁକ୍ତ ହୋଇ ପାରିନାହିଁ। ଏବେ  ଅନେକ ସ୍ଥାନରେ ଏହି ଡ୍ରଗସ୍‌ ବ୍ୟବସାୟୀ ମାନେ ଆଢ଼ୁଆଳରେ ରହି ଅଳ୍ପ ସମୟରେ ଅର୍ଥର ପ୍ରଲୋଭନ ଦେଖାଉ ଥିବାରୁ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ସହିତ ସମ୍ଭ୍ରାନ୍ତ ଶ୍ରେଣୀର ମହିଳା ଏହି ବ୍ୟବସାୟରେ ସାମିଲ ହେଉଥିବା ନଜରକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ପୋଲିସ୍ ଏବେ ପୁରା ଆକ୍ସନ ମୁଡ଼ରେ, ଅନେକ ଡ୍ରଗ୍ଧ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଏବେ ସହରରୁ ବ୍ରାଉନ ସୁଗାର ବ୍ୟବସାୟକୁ ମୂଳପୋଛ କରିବା ପାଇଁ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ ।

ବିଗତ ଦିନରେ ଏହି ସବୁ ମାରାତ୍ମକ ବ୍ୟବସାୟରେ ଲିପ୍ତ ଥିବା ଅସାମାଜିକ ତତ୍ତ୍ଵଙ୍କ ଉପରେ ଭାରି ପଡ଼ିଛି ପୋଲିସ୍ ର ଅଭିଯାନ। ସମ୍ପୃକ୍ତ ବ୍ୟବସାୟୀଙ୍କ ଅନୈତିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାକୁ ଯାଇ ସେମାନଙ୍କ ବେଆଇନ ସମ୍ପତ୍ତିକୁ ଜବତ କରିବା ସହ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସି କରି ସରକାରୀ ଜମିରେ କରିଥିବା ବାସଗୃହ ମଧ୍ୟ ବାଦ୍ ପଡ଼ିନି ପୋଲିସ୍ ନଜରରୁ। ଏହି ସବୁ ବେଆଇନ୍ ଘରକୁ ଧୂଳିରେ ମିଶେଇବାକୁ ପଛଘୁଞ୍ଚା ମଧ୍ୟ ଦେଇନାହିଁ। ତେବେ ଗତ ୧୯ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କିଛି ବ୍ୟବସାୟୀଙ୍କ ବେଆଇନ ଘରକୁ ଧୂଳିସାତ କରିଥିବା ବେଳେ ଆଜି ପୁଣି ତିନିଜଣ ମହିଳା ଓ ତିନିଜଣ ପୁରୁଷଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ସନ୍ନିକଟ ସରକାରୀ ଜମିରେ ଗଢ଼ି ଉଠିଥିବା ବସ୍ତି ଅଞ୍ଚଳରୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ୍।

ସୂଚନା ମୁତାବକ , ସାମନ୍ତରାପୁର ଅଞ୍ଚଳର କିଛି ବ୍ୟବସାୟୀଙ୍କ ଉପରେ ପୋଲିସ୍ ତୀକ୍ଷ୍ଣ ନଜର ରଖିଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଆଦର୍ଶ ଥାନା ପୋଲିସର ଏକ ଟିମ୍ ସାମନ୍ତରାପୁର ଠେଙ୍ଗାହାଟ ସନ୍ନିକଟ ବସ୍ତିର ମହେନ୍ଦ୍ର ବେହେରାଙ୍କ ଘରେ ଚଢ଼ାଉ କରି ପ୍ରାୟ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ପାଞ୍ଚଶହ ଗ୍ରାମ୍ ରୁ ଉର୍ଦ୍ଧ ସୁନା ଗହଣା ଏବଂ ଆଠଶହ ଗ୍ରାମ୍ ରୂପା ଗହଣା ବରାମଦ କରିଛି ଓ ତା ସହିତ ନଗଦ ତେରଲକ୍ଷ ଅଠଷଠି ହଜାର ଟଙ୍କା ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଜବତ କରିଛି। ଏହି ବ୍ୟବସାୟରେ ଲିପ୍ତ ମହେନ୍ଦ୍ର ବେହେରାଙ୍କ ସ୍ତ୍ରୀ କାନି ବେହେରା (୩୮)ଙ୍କ ସହିତ ସ୍ୱର୍ଣଲତା ବେହେରା (୪୦), ଦମୟନ୍ତୀ ନାୟକ(୪୦)ଙ୍କୁ ଗିରଫ କରିଛି ପୋଲିସ।

ଗିରଫ ସମସ୍ତ ମହିଳା ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣା ପଡ଼ିଛି। ସେହିପରି ସଦର ଥାନା ଅନ୍ତର୍ଗତ ଗୁଡୁମ୍ ଗ୍ରାମର କୁଳମଣି ବେହେରା(୩୦) ଏବଂ ନୀଳମଣି ବେହେରା(୨୮) ଙ୍କୁ ମଧ୍ୟ ଗିରଫ କରିଥିବା ବେଳେ ଘଟଣାରେ ଜଡ଼ିତ ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଗ୍ରାମର ବୀରେନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏନ୍.ଡି.ପି.ଏସ ୟୁ/ଏସ-୨୧(ଖ)/୨୯ ଅଧିନିୟମ ଅନୁସାରେ ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଆଦର୍ଶ ଥାନା କେସ ନମ୍ବର-୫ ୨୧ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିବୃତ୍ତି ରଖିଛନ୍ତି ଏବଂ ଆଗାମୀ ଦିନରେ ପୋଲିସ ପକ୍ଷରୁ ଧଳାଜହର ଅପରେସନ ସ୍ବତନ୍ତ୍ର ଡ୍ରାଇଭକୁ ଅଧିକ କଡାକଡି କରାଯିବା ସହିତ ବ୍ରାଉନ ସୁଗାର ବ୍ୟବସାୟରେ ଲିପ୍ତ ସମସ୍ତ ବ୍ୟବସାୟୀଙ୍କ ଦ୍ଵାରା ବେଆଇନ ଭାବେ ଅର୍ଜିତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ଯାପ୍ତ କରାଯିବା ସହିତ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ଅକ୍ତିଆର କରି  ବେଆଇନ ଭାବେ ନିଶା କାରବାର ଚଳାଇଥିବା ପ୍ରମାଣିତ ହେଲେ ସମସ୍ତ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ କରାଯିବା ସହିତ ପ୍ରଶାସନ ସହାୟତାରେ ସେମାନଙ୍କୁ ସମ୍ପୁର୍ଣ୍ଣ ରୁପେ ଉକ୍ତ ସ୍ଥାନରୁ ଉଛେଦ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ଜିଲ୍ଲା ପୋଲିସର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ମିଳୁଥିବା ବେଳେ ବ୍ରାଉନ ସୁଗାର ବ୍ୟବସାୟରେ ଲିପ୍ତ ବ୍ୟକ୍ତିଙ୍କ ମଧ୍ୟରେ ପୋଲିସ୍ ର ଆକ୍ସନକୁ ନେଇ ଆତଙ୍କ ଖେଳିଯାଇଛି।

Leave a Reply

Your email address will not be published. Required fields are marked *