ଶାନ୍ତି ଓ ମୈତ୍ରୀର ବାର୍ତ୍ତା ନେଇ ଆସିଥିବାଅହିଂସା ରଥକୁ ଖୋର୍ଦ୍ଧା ଜିଲ୍ଲାରେ ସ୍ବାଗତ

ଖୋର୍ଦ୍ଧା/ବାଲୁଗାଁ:୨୮/୦୯(ପ୍ରବାହ ନିଉଜ) ଚଳିତ ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇ ଥିବା ଅହିଂସା ରଥର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇ ବୁଧବାର ଦିନ ଖୋରଧା ଜିଲ୍ଲାକୁ ଆଗମନ କରିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ,ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଇଛି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳ ସାଢେ ୮ ଘଟିକା ସମୟରେ ନାରାୟଣୀ ମନ୍ଦିର ନିକଟରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇ ଥିବାବେଳେ ଚିଲିକା କୂଳ ନିକଟସ୍ଥ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ରଥକୁ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି, ସାଧାରଣ ଜନତା ବିପୁଳ ପରିମାଣରେ ସ୍ୱାଗତ କରିଥିଲେ ।

ଏକ ବିଶାଳ ରାଲି ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଗୋଟିଏ ରଥକୁ ବାଲୁଗାଁ ହାଇସ୍କୁଲ, ବାଣପୁର ବ୍ଲକର ପଦ୍ମଚରଣ ହାଇସ୍କୁଲ, ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ବଜାର ଓ ପଲଟନ ପଡିଆକୁ ଅଣାଯାଇ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କୁ ଉତ୍କଳମଣି ଗୋପବନ୍ଧୁ ଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରିବା ସହ ବିଶାଳ ପତାକାକୁ ସଙ୍ଗରେ ନେଇ ରଥକୁ ବିପୁଳ ସ୍ୱାଗତ କରାଯାଇଥିଲା।

ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ଅନ୍ୟ ଏକ ରଥ ଭୁବନେଶ୍ବର ଉପଖଣ୍ତର ଜଟଣୀ ପୌରସଂସ୍ଥା ଅଭିମୁଖେ ଯାତ୍ରା କରିଥିଲା । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ , ଉପାଧ୍ୟକ୍ଷ ଭଗବାନ ବେହେରା, ବାଣପୁର ଏନଏସି ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ, ଉପାଧ୍ୟକ୍ଷ ଶ୍ରୀମତୀ ପ୍ରାଚୀପ୍ରଭା ସ୍ବାଇଁ, ବାଲୁଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ସ୍ବପ୍ନାରାଣୀ ପାଢୀ, ଚିଲିକା ବିଡିଓ ଶ୍ରୀ ଜଗଦୀଶ ଷଢଙ୍ଗୀ, ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ବାଣପୁର ବିଡିଓ ଶ୍ରୀମତୀ ବୁଲବୁଲ ବେହେରା, ତହସିଲଦାର ଶ୍ରୀ କୁଞ୍ଜବିହାରୀ ବଡଜେନା, ଏନଏସି ନିର୍ବାହୀ ଅଧିକାରୀ ଶ୍ରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୋପିନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ଓ ଅଞ୍ଚଳର ଅନେକ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ସ୍ବାଗତ ଜଣାଇଥିଲେ। ଆସନ୍ତା କାଲି ବାଣପୁରରେ ଥିବା ଅହିଂସା ରଥ ଚିଲିକା ଓ ଟାଙ୍ଗୀ ବ୍ଲକରେ ପରିକ୍ରମା କରିବାକୁ ଥିବା ବେଳେ ଜଟଣୀରେ ଥିବା ଅହିଂସା ରଥ ଜଟଣୀ ଓ ବାଲିଅନ୍ତା ବ୍ଲକ ପରିକ୍ରମା କରିବ।

Leave a Reply

Your email address will not be published. Required fields are marked *