ପୋଷା କଙ୍ଗାରୁ ହେଲା ମାଲିକର ହତ୍ୟାକାରୀ

ସିଡ୍‌ନି: ଅଷ୍ଟ୍ରେଲିଆର ରେଡ୍‌ମଣ୍ଡ୍‌ ନଗରୀରେ ଜଣେ ୭୭ ବର୍ଷିୟ ବୃଦ୍ଧ ପାଳିଥିବା ବନ୍ୟ କଙ୍ଗାରୁଟି ତାଙ୍କୁ ମାରି ପକାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ପୁଲିସ କହିଛି, ପଶ୍ଚିମ ଅଷ୍ଟ୍ରେଲିଆର ବିଶେଷ ଜନଗହଳି ନ ଥିବା ରେଡ୍‌ମଣ୍ଡ୍‌ ନଗରୀର ଦକ୍ଷିଣ ପ୍ରାନ୍ତରେ ଥିବା ଗୋଟାଏ ଘରେ ଉକ୍ତ ବ୍ୟକ୍ତିଙ୍କୁ ରବିବାର ଅପରାହ୍ଣରେ ତାଙ୍କର ଜଣେ ଆତ୍ମୀୟ ସାଂଘାତିକ ଆହତ ଅବସ୍ଥାରେ ଦେଖିଥିଲେ। ସମ୍ଭବତଃ ବୟସ୍କ ବ୍ୟକ୍ତିଜଣକ ସକାଳ ବେଳା କଙ୍ଗାରୁ ଆକ୍ରମଣର ସରବ୍ୟ ହୋଇଥିବେ।

ଆହତ ବୃଦ୍ଧଙ୍କୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍‌ସ୍‌ ଅଣାଯାଇଥିଲା, କିନ୍ତୁ ତା’ପୂର୍ବରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

‌ଜଣେ ପୁଲିସ ମୁଖପାତ୍ର କହିଛନ୍ତି, ଘରେ ଥିବା ଗୋଟାଏ କଙ୍ଗାରୁ ବାଧା ଦେବାରୁ ଆମ୍ବୁଲାନ୍ସ୍‌ କର୍ମଚାରୀ‌ମାନେ ଆହତ ବୃଦ୍ଧଙ୍କ ପାଖକୁ ଯାଇପାରିଲେ ନାହିଁ। ଫଳରେ ବାଧ୍ୟ ହୋଇ ପୁଲିସ କଙ୍ଗାରୁଟିକୁ ଗୁଳି ମାରି ହତ୍ୟା କଲା। ବୋଧହୁଏ ବଣୁଆ କଙ୍ଗାରୁଟିକୁ ବୃଦ୍ଧଜଣକ ପାଳିଥିଲେ।

କଙ୍ଗାରୁଟିର ପ୍ରଜାତି ଚିହ୍ନଟ କରାଯାଇ ନ ଥିଲେ ବି ପଶ୍ଚିମାଞ୍ଚଳ ଅଷ୍ଟ୍ରେଲିଆର ‘ଗ୍ରେଟ୍‌ ସଦର୍ଣ୍ଣ’ ଅଞ୍ଚଳରେ ‘ୱେଷ୍ଟର୍ଣ୍ଣ ଗ୍ରେ’ ପ୍ରଜାତିର କଙ୍ଗାରୁ ବସବାସ କରନ୍ତି। ଗୋଟାଏ ଅଣ୍ଡିରା ‘ୱେଷ୍ଟର୍ଣ୍ଣ ଗ୍ରେ’ କଙ୍ଗାରୁ ୭ ଫୁଟ୍‌ ଲମ୍ବା ଓ ୭୦ କିଲୋ ଓଜନ ହୋଇଥାଆନ୍ତି।

କୁହାଯାଉଛି ୮୬ ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ମାରାତ୍ମକ କଙ୍ଗାରୁ ଆକ୍ରମଣ।

ଅଷ୍ଟ୍ରେଲୀୟ ଗଣମାଧ୍ୟମ କହିଛି ଯେ, ୧୯୩୬ରେ ଶେଷ ମାରାତ୍ମକ କଙ୍ଗାରୁ ଆକ୍ରମଣ ଘଟଣା ଘଟିଥିଲା। ‘ସିଡ୍‌ନି ମର୍ଣ୍ଣିଙ୍ଗ୍‌ ହେରାଲ୍‌ଡ୍‌’ ରିପୋର୍ଟ କରିଛି, ସେ ଘଟଣାରେ ୱିଲିୟମ୍‌ କ୍ରୁକ୍ସାଙ୍କ୍‌ ନାମରେ ଜଣେ ୩୮ ବର୍ଷିୟ ବ୍ୟକ୍ତି ନିଉ ସାଉଥ୍‌ ୱେଲ୍‌ଜ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଗୋଟାଏ ବିରାଟ କଙ୍ଗାରୁ କବଳରୁ ୨ଟି କୁକୁରଙ୍କୁ ରକ୍ଷା କରିବାକୁ ଯାଇ ସେ ଆହତ ହେବା ପରେ ଅନେକ ମାସ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କଙ୍ଗାରୁ ତାଙ୍କ ମୁହଁର ହନୁହାଡ଼ ଭାଙ୍ଗି ପକାଇବା ସହ ମୁଣ୍ଡରେ ଆଘାତ କରିଥିଲା।

Leave a Reply

Your email address will not be published. Required fields are marked *