ଡ୍ରେନ୍‌, ‌ସ୍ବେରେଜ ବ୍ୟବସ୍ଥାର ଅଡିଟ୍‌ କରିବେ ସିଏଜି; ୫ଟି ସହରରେ ଅଡିଟ୍ ହେବ

0
drain_rep_pti.jpg

ଭୁବନେଶ୍ବର : ରାଜ୍ୟର ପାଞ୍ଚଟି ମୁନିସପାଲ ନିଗମ‌ରେ ଜଳ ପ୍ରଦୂଷଣର ଯାଞ୍ଚ କରିବା ଲାଗି ଡ୍ରେନ୍, ସ୍ବେରେଜ୍ ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଅଡିଟ୍ କରିବାକୁ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ନିଷ୍ପତ୍ତି ନେଇଛନ୍ତି। ୨୦୧୬-୧୭ରୁ ୨୦୨୧-୨୨ ପାଞ୍ଚ ବର୍ଷର ତଥ୍ୟକୁ ଏଥିପାଇଁ ବିଚାରକୁ ନିଆଯିବ। ସହରାଞ୍ଚଳରେ ସୃଷ୍ଟି ହେଉଥିବା ବର୍ଜ୍ୟ ଜଳକୁ ପ୍ରକ୍ରିୟାକରଣ ନକରି ଛାଡ଼ି ଦିଆଯାଉଥିବାରୁ ରାଜ୍ୟର ନଦୀ ପାଣି ପ୍ରଦୂଷିତ ହେଉଥିବା ଅଭିଯୋଗ ଆଧାରରେ ଏହି ଅଡିଟ୍ କରାଯିବ। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହର ପାଇଁ ଏହି ଅଡିଟ୍‌ ହେବ।

ଗତ ଜୁଲାଇ ୧୪ ଓ ୧୫ରେ ସିଏଜି ଗିରିଶ ମୁର୍ମ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ପ୍ରଦୂଷିତ ପାଣିକୁ ନେଇ ନିୟମିତ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟକୁ ଦୃଷ୍ଟିରେ ରଖି ଡ୍ରେନ୍, ସ୍ବେରେଜ ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଅଡିଟ୍ କରିବାକୁ ଶ୍ରୀ ମର୍ମୁ ପରାମର୍ଶ ଦେଇଥିଲେ। ଏହା ପରେ ସ୍ବତନ୍ତ୍ର ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥାଗୁଡ଼ିକର ପରିଚାଳନାରେ କେତେ ଟଙ୍କା ଖର୍ଚ୍ଚ ହେଉଛି? କେତେ ପାଣି ନିଷ୍ପାସନ ହେଉଛି? କେଉଁ ପାଣି କେଉଁ ନଦୀରେ ମିଶୁଛି? କେଉଁ ଧରଣର ରୋଗ ହେଉଛି? ସେମାନଙ୍କ ଚିକିତ୍ସା ପାଇଁ ରହିଥିବା ବ୍ୟବସ୍ଥା ଆଦି ବିଭିନ୍ନ ଦିଗକୁ ଅଡିଟ୍ ବେଳେ ବିଚାରକୁ ନିଆଯିବ। ଏହି ଅଡିଟ୍ କରିବାକୁ ଅଡିଟ୍-୨ ପୁରୀ ଶାଖା କାର୍ଯ୍ୟାଳୟକୁ ଦାୟିତ୍ବ ଦିଆଯାଇଛି। ବର୍ଷକ ଭିତରେ ଅଡିଟ୍ ଶେଷ ହେବ ଓ ଅଡିଟ୍‌ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯିବ।

ଡ୍ରେନ ଓ ସ୍ବେରେଜ୍ ବ୍ୟବସ୍ଥାର ସ୍ଥିତି ବିଷୟରେ ଜଣାଇବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପ୍ରଦୂଷିତ ଜଳ ପାଇଁ ହେଉଥିବା ରୋଗ ବିଷୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସିଏଜି ତଥ୍ୟ ମାଗିଛନ୍ତି। ପ୍ରତି ନିଗମ ପାଇଁ ଅଲଗା ଅଲଗା ତଥ୍ୟ ଉପସ୍ଥାପନ କରିବାକୁ ସେମାନଙ୍କୁ କୁହାଯାଇଛି। ଜଳ ପ୍ରଦୂଷଣ ପାଇଁ ହେଉଥିବା ରୋଗ, ରୋଗୀମାନେ କେଉଁ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ଓ କେତେ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ସେହି ସବୁ ତଥ୍ୟ ଦେବା ଲାଗି ବିଭାଗଗୁଡ଼ିକୁ କୁହାଯାଇଛି। ଅଡିଟ୍ ବେଳେ କ୍ଷେତ୍ର ପରିଦର୍ଶନରେ ଯାଉଥିବା କର୍ମଚାରୀମାନଙ୍କୁ ସହଯୋଗ କରିବା ପାଇଁ ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଏଜି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କ୍ୟାପିଟାଲ୍‌ ହସ୍ପିଟାଲ ଓ ରାଉରକେଲା ସରକାରୀ ହସ୍ପିଟାଲ୍‌କୁ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି।

ସହରାଞ୍ଚଳ ଜଳକୁ ଠିକ୍ ଭାବେ ପ୍ରକ୍ରିୟାକରଣ ନକରି ତାହାକୁ ଛାଡ଼ି ଦିଆଯାଉଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଥିବା ନେଇ ଅତୀତରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହି ଜଳକୁ ପିଇବା ଦ୍ବାରା ମଣିଷ ସମେତ ପଶୁମାନେ ମଧ୍ୟ ରୋଗର ଶିକାର ହେଉଥିବା ଅଭିଯୋଗ ରହିଛି। ରାଜ୍ୟର ପ୍ରାୟ ୧୯ଟି ନଦୀ ପ୍ରଦୂଷିତ ରହିଛି। ଭୁବନେଶ୍ବରୁ ସୃଷ୍ଟି ହେଉଥିବା ବର୍ଜ୍ୟ ଜଳ କୁଆଖାଇ ଓ ନୟାରେ, କଟକର ବର୍ଜ୍ୟ ଜଳ ମହାନଦୀ ଓ କାଠଯୋଡ଼ି, ରାଉରକେଲା ଓ ସମ୍ବଲପୁରର ମହାନଦୀରେ ଓ ବ୍ରହ୍ମପୁରର ବର୍ଜ୍ୟ ଜଳ ଋଷିକୁଲ୍ୟାରେ ମିଶୁଛି। ସେହି ବର୍ଜ୍ୟ ଜଳରେ ଲିଡ୍‌, କ୍ରୋମିୟମ୍ ଓ ଜିଙ୍କ୍‌ ଭଳି ଭାରି ଧାତବ ଉପାଦାନ ଓ ହାନିକାରକ ଜୀବାଣୁ ଓ ଭୂତାଣୁ ରହୁଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *