ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ପ୍ରସ୍ତୁତ, ଆମେରିକୀୟ ଅଧିକାରୀ ତାରିଖ ସଂପର୍କରେ ସୂଚନା ଦେଲେ
ନୂଆଦିଲ୍ଲୀ: ଋଷ ୟୁକ୍ରେନକୁ ଚାରିପଟୁ ଘେରିଛି । ୟୁକ୍ରେନ ରାଜଧାନୀ କ୍ଵିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧ ଲକ୍ଷ ୩୦ ହଜାର ସୈନ୍ୟ ଠୁଳ କରିଛି। ଏହା ସହିତ ମିସାଇଲ୍, ବାୟୁସେନା, ନୌସେନା ଓ ସ୍ଵତନ୍ତ୍ର ବଳଙ୍କୁ ମୁତୟନ କରିଛି। କୃଷ୍ଣ ସାଗରରେ ୬ଟି ଯୁଦ୍ଧ ଜାହାଜ ମୁତୟନ କରିଛି ରୁଷିଆ। ଏହି ଜାହାଜଗୁଡିକ ଜଳଭାଗରୁ ଓ ସ୍ଥଳ ଏବଂ ଆକାଶମାର୍ଗରୁ ମଧ୍ୟ ଆକ୍ରମଣ କରିବାକୁ ସକ୍ଷମ।
ମିଡିଆ ରିପୋର୍ଟ ଅନୁସାରେ ଆମେରିକାର ଜଣେ ଅଧିକାରୀ ଗୁଇନ୍ଦା ତଥ୍ୟକୁ ଅଧାର କରି କହିଛନ୍ତି, ଋଷ ବୁଧବାର ଅର୍ଥାତ୍ ୧୬ ଫେବ୍ରୁଆରିରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏହି ତଥ୍ୟ ଦେଇଥିବା ଅଧିକାରୀ ଆମେରିକା ପ୍ରଶାସନ ତରଫରୁ ମିଡିଆ ସହ କଥାହେବାକୁ ନିୟୋଜିତ ହୋଇ ନାହାନ୍ତି। ଏହା ସ୍ଫଷ୍ଟ ହୋଇନାହିଁ ଯେ ଗୁଇନ୍ଦା ସୂଚନା କେତେ ସ୍ପଷ୍ଟ। ଅନ୍ୟ ଏକ ରିପୋର୍ଟ ଅନୁସାରେ ଶୀତକାଳୀନ ଅଲିମ୍ପିକ୍ ଶେଷ ହେବା ପୂର୍ବରୁ ୨୦ ଫେବ୍ରୁଆରିରେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ।
ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଫୋନ କରି ପାଖାପାଖି ୬୦ ମିନିଟ୍ କଥା ହୋଇଥିଲେ ଓ ୟୁକ୍ରେନ୍ ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ପୁତିନଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ରବିବାର ବାଇଡେନ୍ ୟୁକ୍ରେନର ରାଷ୍ଟ୍ରପତି ଭଲଡିମର୍ ଜେଲେଂସ୍କିଙ୍କ ସହ ୫୦ ମିନିଟ୍ ଫୋନରେ କଥା ହୋଇ ଭରସା ଦେଇଥିଲେ ଯେ ଯଦି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ଏହାର ସାଥୀ ଦେଶମାନେ ଋଷକୁ ଦୃଢ ଜବାବ ଦେବେ। ରୁଷିଆ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ବି ଲଗାଯିବ ବୋଲି ସେ କହିଥିଲେ।
ୟୁକ୍ରେନର ରାଷ୍ଟ୍ରପତି ବିଶ୍ବ ସମୁଦାୟକୁ ଆହ୍ବାନ କରିଛନ୍ତି, ୟୁକ୍ରେନ ମଧ୍ୟ ଋଷର ଯୁଦ୍ଧ ପ୍ରସ୍ତୁତି ଉପରେ ନଜର ରଖିଛି। ଯଦି ଆପଣଙ୍କ ପାଖରେ କିମ୍ବା ଅନ୍ୟ କାହା ପାଖରେ ୧୬ ଫେବ୍ରୁଆରିରୁ ଋଷ ପକ୍ଷରୁ ଆରମ୍ଭ କରିବାକୁ ଯାଉଥିବା ଆକ୍ରମଣ ବିଷୟରେ ଅଧିକ ତଥ୍ୟ ଅଛି ତା’ହେଲେ ଦୟାକରି ଆମକୁ ଜଣାନ୍ତୁ ।