କୋଭିଡ଼ ନିୟମ ଉଲଂଘନ ଅଭିଯୋଗରେ ଖୋର୍ଦ୍ଧା ଏନଏ.ସି ମାର୍କେଟକୁ ସିଲ କଲା ପୌର ପ୍ରଶାସନ

ଖୋର୍ଦ୍ଧା : ୦୩/୦୫/୨୦୨୧ : ରାଜ୍ୟରେ କରୋନା ହିତୀୟ ଲହର ଜାରି ରହିଥିବା ବେଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।ସ୍ଥାନୀୟ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ସତ୍ତ୍ୱେ ଜିଲ୍ଲାରେ ହୁ ହୁ ହୋଇ  ବଢ଼ିଚାଲିଛି ସଂକ୍ରମଣ। ଦିନକୁ ଦିନ ଅବସ୍ଥା ଗୁରୁତର ହେବାରେ ଲାଗିଛି। ତେଣୁ କୋଭିଡ ନିୟନ୍ତ୍ରଣ ଲାଗି ସରକାର ନାଇଟ କର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ ପରେ ଚେତୁନାହାନ୍ତି ଅମାନିଆ । ବାଧ୍ୟ ହୋଇ ରାଜ୍ୟ ସରକାର ଆସନ୍ତା ବୁଧବାର ଠାରୁ ୧୪ଦିନିଆ ଲକଡାଉନ ନିଷ୍ପତି ନେଇଛନ୍ତି। ଲାଗୁ ହୋଇଥିବା ଦ୍ଵିତୀୟ ସପ୍ତାହନ୍ତ ସଟଡାଉନ ପରେ ପୁଣି ଅମାନିଆମାନେ ଦୋକାନ ବଜାର ଆଗରେ ଭିଡ ଜମାଇଛନ୍ତି, ଯାହାକି ଏବେ ପ୍ରଶାସନ ର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଗକୁ ଇଦପର୍ବ ଓ ଲକଡାଉନ ଯୋଜନା ଥିବାରୁ ଆଜି ସହର ର ବିଭିନ୍ନ ଦୋକାନ ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ।

ତେବେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସୋମବାର ଖୋର୍ଦ୍ଧା ପୌରପ୍ରଶାସନ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଏନଏସି ମାର୍କେଟକୁ ସିଲ କରାଯାଇଛି। ତେବେ ଏ ନେଇ ଖବର ପାଇ ଖୋର୍ଦ୍ଧା ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଦାସ ଶତପଥୀ ଏବଂ ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ଗୋଟିଏ ସେକ୍ସନଫୋର୍ସ ସହ ସେଠାରେ ପହଞ୍ଚି ସମସ୍ତ ଦୋକାନକୁ ବନ୍ଦ କରିବା ସହ ବଜାରର ପ୍ରବେଶ ପଥକୁ ବାଉଁଶବାଡ ଦେଇ ବନ୍ଦ କରିଛନ୍ତି ।

ଏହି ମାର୍କେଟରେ ଅନେକ ଗୁଡିଏ ଲୁଗା ଦୋକାନ, ବହି, ଅଳଙ୍କାର, ଷ୍ଟେସନାରୀ ଦୋକାନ ଏବଂ ଦୁଇଟି ଖବର କାଗଜ ଏଜେନ୍ସି ଆଦି ଦୋକାନ ରହିଛି।  ଆଗକୁ ଇଦ ପର୍ବ ଏଠାରେ ଥିବା ସମସ୍ତ ଲୁଗା ଦୋକାନରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ସାମଗ୍ରୀ କ୍ରୟ କରୁଥିବା ଲୋକମାନେ କୋଭିଡ ନିୟମକୁ ଖୋଲାଖୋଲି ଉଲଙ୍ଘନ କରିଥିଲେ। ଅଧିକାଂଶ ଲୋକଙ୍କ ମୁଁହରେ ମାସ୍କ ନ ଥିଲା, ଯାହାର ବି ଥିଲା ତାହା ପୁଣି ଝୁଲୁଥିଲା । ତେବେ କୋଭିଡ ନିୟମ ଉଲଙ୍ଘନ କାରଣରୁ ପ୍ରଶାସନ ଏ ଭଳି ନିଷ୍ପତ୍ତି ନେଇଥିବା ପୌର ନିର୍ବାହୀ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *