କିସ୍ର ୧୯୦୦ ଛାତ୍ରଛାତ୍ରୀ ଦେବେ +୨ ପରୀକ୍ଷା
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଚଳିତ ବର୍ଷ +୨ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥର କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ରୁ ୧୯୦୦ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେବେ । କିସ୍ର ସର୍ବାଧିକ ୧୦୦୦ ଛାତ୍ରୀ ଓ ୯୦୦ ଛାତ୍ର ଚଳିତବର୍ଷ +୨ ପରୀକ୍ଷା ଦେବେ । ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଭୁବନେଶ୍ୱର ରାଜଧାନୀ କଲେଜରେ ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ପ୍ରତିବର୍ଷ ଭଳି ଚଳିତ ବର୍ଷ +୨ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ପେନ୍ ବଣ୍ଟନ କରିବା ସହ କିଭଳି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେ ନେଇ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ । ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ନିଷ୍ଠା ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମୟୋଚିତ ମାର୍ଗଦର୍ଶନ ପାଇଁ ଚଳିତ ବର୍ଷ +୨ ପରୀକ୍ଷାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ କିସ୍ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ବର୍ଷ +୨ ପରୀକ୍ଷାରେ କିସ୍ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ନିମନ୍ତେ କିସ୍ ପକ୍ଷରୁ ବ୍ୟାପକ ବସ୍ ବନ୍ଦୋବସ୍ତ କରାଯାଇଛି ।
