ଧାମରା ବନ୍ଦରରେ ନୂତନ ରେଳ ଲାଇନର ଶୁଭାରମ୍ଭ
– ବଢ଼ିବ ପଣ୍ୟ କାରବାର କ୍ଷମତା
ଧାମରା, ପ୍ରବାହ ନ୍ୟୁଜ୍ : ଧାମରା ବନ୍ଦର ପ୍ରକଳ୍ପ ଅଞ୍ଚଳରେ ଏକ ନୂତନ ମାନୁଆଲ୍ ରେଳପଥ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। ଏହି ଅବସରରେ ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଶ୍ରୀ ଦେବେନ୍ଦ୍ର ଠକର୍ ଆନୁଷ୍ଠାନିକ ଭାବେ ପ୍ରଥମ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନୂତନ ରେଳପଥ ଆରମ୍ଭ ହେବାରୁ ବନ୍ଦରରେ ପଣ୍ୟ ପରିବହନ ବୃଦ୍ଧି ପାଇବା ସହ ସୁବିଧାଜନକ ହେବ । ଏହାଦ୍ୱାରା ବନ୍ଦରର କାର୍ଯ୍ୟକୁଶଳତା ଏବଂ ସଂଯୋଗୀକରଣ ଆହୁରି ମଜବୁତ ହେବ। ଏହି ନୂତନ ଭିତ୍ତିଭୂମିର ସଫଳ ରୂପାୟନ ଧାମରା ବନ୍ଦରର ଗୌରବମୟ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ବୋଲି ଶ୍ରୀ ଠକର୍ କହିଛନ୍ତି।
ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟବସାୟରେ ଭାରତର ପୂର୍ବ ଉପକୂଳର ଏକ ପ୍ରମୁଖ ବନ୍ଦର ଭାବେ ଧାମରା ବନ୍ଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୂତନ ରେଳପଥ ବିକାଶ ଦ୍ୱାରା ପରିବହନ ଖର୍ଚ୍ଚ ଓ ସମୟ ହ୍ରାସ ପାଇବା ସହ ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହେବ। ନିରନ୍ତର ପୁଞ୍ଜି ନିବେଶ ଓ ଉନ୍ନତ ସଂଯୋଗୀକରଣ ମାଧ୍ୟମରେ ଭାରତର ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ଧାମରା ବନ୍ଦର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ।
