ମେଗା ‘ଶିଶିର ସରସ-୨୦୨୬’ ଉଦ୍‌ଘାଟିତ

0
image 4

ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍‌ପ୍ରାପ୍ତ ଓଡ଼ିଶା ଉତ୍ପାଦକୁ ଜାତୀୟ ସ୍ତରରେ ନୂଆ ପରିଚୟ: ମନ୍ତ୍ରୀ

ଫୁଡ୍ ଜୋନ୍ ଓ ସେଲ୍ଫି ପଏଣ୍ଟ ଉଦ୍‌ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ
ଭୁବନେଶ୍ୱର, ୧୦.୦୧.୨୦୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟୀ (ଓର୍‌ମାସ୍‌) ପକ୍ଷରୁ ସ୍ଥାନୀୟ ୟୁନିଟ୍ ୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ବାର୍ଷିକ ମେଗା ‘ଶିଶିର ସରସ-୨୦୨୬’ ମେଳା । ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଭବ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ସ୍ୱୟଂସହାୟକ ଗୋଷ୍ଠି ଓ ଉତ୍ପାଦକମାନେ ନିଜ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ‘ଶିଶିର ସରସ’ କେବଳ ଏକ ମେଳା ନୁହେଁ, ବରଂ ଓଡ଼ିଶାର ଗ୍ରାମୀଣ ଆତ୍ମଶକ୍ତି, ସ୍ୱଦେଶୀ ପରିଚୟ ଓ ସାଂସ୍କୃତିକ ଐତିହ୍ୟର ଏକ ସଜୀବ ଉତ୍ସବ। ‘ଭୋକାଲ୍ ଫର୍ ଲୋକାଲ୍‌’ ଆହ୍ୱାନକୁ ସାକାର କରୁଥିବା ଏହି ମେଳା ମାଧ୍ୟମରେ ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍‌ପ୍ରାପ୍ତ ସମ୍ବଲପୁରୀ ଓ ସୁବର୍ଣ୍ଣପୁର ହସ୍ତତନ୍ତ, କୋରାପୁଟର କଳାଜିରା ଚାଉଳ ଓ ସୁନ୍ଦରଗଡ଼ର ମିଲେଟ ପରି ଉତ୍ପାଦ ଜାତୀୟ ସ୍ତରରେ ପରିଚୟ ପାଉଛି ।
ଏହି ସମାରୋହରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ରହି ମେଳାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ିକରଣରେ ଏହାର ଭୂମିକାକୁ ପ୍ରଶଂସା କରିଥିଲେ। ଏଥି ସହିତ ଓର୍‌ମାସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓର୍‌ମାସ୍ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ।


ଚଳିତ ‘ଶିଶିର ସରସ’ ମେଳାରେ ମୋଟ ୩୪୦ ଟି ବିକ୍ରୟ ଷ୍ଟଲ୍ ଲଗାଯାଇଥିବା ବେଳେ ୩୫ଟି ଖାଦ୍ୟ ଷ୍ଟଲ୍ ରହିଛି । ବିକ୍ରୟ ଷ୍ଟଲଗୁଡ଼ିକରେ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲାର ହସ୍ତଶିଳ୍ପ ଓ ହସ୍ତକଳା ପ୍ରଦର୍ଶିତ ହେଉଛି । ଏହି ମେଗା ମେଳାରେ ଓଡ଼ିଶାର ୩୦ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି, ଯାହାକି ଏକ ‘ମିନି ଇଣ୍ଡିଆ ବଜାର’ର ଭ୍ରମ ସୃଷ୍ଟି କରୁଛି। ମେଳା ପରିସରରେ ୩୪୦ଟି ବିକ୍ରୟ ଷ୍ଟଲ୍ ସ୍ଥାପିତ ହୋଇଥିବା ବେଳେ, ଫୁଡ୍ ଜୋନ୍‌ରେ ପରିଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏହି ମେଗା ମେଳା ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ସାଧନର ଲକ୍ଷ୍ୟ ରଖାଯାଇଛି।
ମେଳା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ବଲିଉଡ୍‌ର କଣ୍ଠଶିଳ୍ପୀ ଦିବ୍ୟ କୁମାର ଓ ଓଲିଉଡର ବିଭିନ୍ନ କଳାକାରଙ୍କ ପ୍ରସ୍ତୁତି ସହ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତିରେ ‘ହ୍ୟୁମାନ ସାଗର ନାଇଟ୍‌’ ମେଳାର ଏକ ବିଶେଷ ଆକର୍ଷଣ ସାଜିବ। ଏହା ସହ ମେଳା ପରିସରର ‘ସେଲ୍ଫି ପଏଣ୍ଟ’ ପରିଦର୍ଶକଙ୍କ ମନ ମୋହୁଛି।
ଚଳିତବର୍ଷ ମେଳା ପରିସରକୁ ପରିଷ୍କାର, ସୁସଜ୍ଜିତ ଓ ପ୍ଲାଷ୍ଟିକ–ମୁକ୍ତ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବେଳେ, ପରିଦର୍ଶକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଥେଷ୍ଟ ଆଲୋକ ବ୍ୟବସ୍ଥା ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଇଛି। ଉଲ୍ଲେଖନୀୟ ଯେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଶିଶିର ସରସ–୨୦୨୬’ ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।

Leave a Reply

Your email address will not be published. Required fields are marked *