ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଅତ୍ୟାଧୁନିକ ଉପକରଣର ବ୍ୟବହାର ଦ୍ୱାରା ବିଦ୍ୟୁତ୍ ଚୋରିକୁ ଚିହ୍ନଟ କରାଯାଉଅଛି

0
tpwodl
  • ରିମୋଟ୍ କଣ୍ଟ୍ରୋଲ ଏବଂ ଟାଇମର୍ ଡିଭାଇସ୍ ବ୍ୟବହାର କରି ବିଦ୍ୟୁତ୍ ଚୋରି ଚିହ୍ନଟ
  • ଡାଟା ଆନାଲିଟିକ୍ସ ଓ ସ୍ମାର୍ଟ ମିଟର ମାଧ୍ୟମରେ ସତର୍କତା ବଢ଼ାଇଲା ଟିପିଡବ୍ଲୁଓଡିଏଲ୍
  • ତିନି ଜଣ ଗ୍ରାହକ ଭରିଲେ ଜରିମାନା, ଜଣେ ଗ୍ରାହକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ବୁର୍ଲା/ସୋନପୁର, ପ୍ରବାହ ନ୍ୟୁଜ୍ : ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ରିମୋଟ୍-ନିୟନ୍ତ୍ରିତ ଏବଂ ଟାଇମର ଡିଭାଇସ୍ ମାଧ୍ୟମରେ ଅତ୍ୟାଧୁନିକ ବିଦ୍ୟୁତ୍ ଚୋରିର ବହୁବିଧ ମାମଲା ଚିହ୍ନଟ କରାଯାଉଅଛି । ଏହିପରି ଚାରିଗୋଟି ମାମଲା ସୋନପୁର ଜିଲ୍ଲାରେ ଚିହ୍ନଟ କରାଯାଇଅଛି ।

ଟିପିଡବ୍ଲୁଓଡିଏଲ୍ ଦଳ ଦ୍ୱାରା ବିସ୍ତୃତ ମିଟର ଡାଟା ବିଶ୍ଳେଷଣ ପରେ ଏହି ମାମଲାଗୁଡ଼ିକ ସାମ୍ନାକୁ ଆସିଛି, ଯାହା ଅସ୍ୱାଭାବିକ ଏବଂ ସନ୍ଦେହଜନକ ବିଦ୍ୟୁତ୍ ବ୍ୟବହାର ଢାଞ୍ଚାକୁ ଚିହ୍ନଟ କରିଥିଲା । ଏହି ଇନପୁଟ୍ ଆଧାରରେ, କର୍ପୋରେଟ୍ କାର୍ଯ୍ୟାଳୟ ଏବଂ ସୋନପୁର ବିଭାଗୀୟ ଦଳର ଅଧିକାରୀମାନେ ମିଳିତ ଭାବରେ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରିଥିଲେ ।

ସୋନପୁର ଜିଲ୍ଲାରେ ଚାରି ଜଣ ବିଦ୍ୟୁତ୍ ଗ୍ରାହକ ପରିସରରେ ଯାଞ୍ଚ ସମୟରେ, ପ୍ରକୃତ ବ୍ୟବହାରକୁ ଦମନ କରିବା ଏବଂ ଉପଯୁକ୍ତ ବିଲିଂ ଏଡାଇବା ପାଇଁ ରିମୋଟ୍ କଣ୍ଟ୍ରୋଲ୍ ଯନ୍ତ୍ର ଏବଂ ଟାଇମର୍ ବ୍ୟବହାର କରି ବିଦ୍ୟୁତ୍ ମିଟରଗୁଡ଼ିକୁ ଜାଣିଶୁଣି ହେରଫେର କରାଯାଇଥିବା ଜଣା ପଡିଥିଲା ।

ବିଦ୍ୟୁତ୍ ଆଇନ–2003ର ଧାରା 135 ଅନୁଯାୟୀ ବିଦ୍ୟୁତ୍ ଚୋରି ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଅର୍ଥଦଣ୍ଡ, ବିଦ୍ୟୁତ୍ ସଂଯୋଗ ବିଛିନ୍ନ, ଏବଂ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନାର ବ୍ୟବସ୍ଥା ରହିଛି । କାର୍ଯ୍ୟାନୁଷ୍ଠାନ ପରେ, ତିନି ଜଣ ଗ୍ରାହକ ବିଦ୍ୟୁତ୍ ଚୋରିକୁ ସ୍ୱୀକାର କରିଛନ୍ତି ଏବଂ ଜରିମାନା ରାଶି ଜମା କରିଥିବା ବେଳେ ଜଣେ ଗ୍ରାହକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଅଛି ।

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଏହାର ସମସ୍ତ ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କୁ ସୂଚନା ଦିଆଯାଉଅଛି ଯେ, ବିଦ୍ୟୁତ୍ ମିଟର ହେରଫେର ପାଇଁ ଇଲେକ୍ଟ୍ରୋନିକ୍ କିମ୍ବା ରିମୋଟ୍-ନିୟନ୍ତ୍ରିତ ଡିଭାଇସ୍ ବ୍ୟବହାର ଏକ ଗୁରୁତର ଫୌଜଦାରୀ ଅପରାଧ ଏବଂ କୌଣସି ସହାନୁଭୁତି ବିନା କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଉନ୍ନତ ଡାଟା ବିଶ୍ଳେଷଣ ପଦ୍ଧତ୍ତି, ସ୍ମାର୍ଟ ମିଟର ନିରୀକ୍ଷଣ ପ୍ରଣଳୀଦ୍ୱାରା ବିଦ୍ୟୁତ୍ ବ୍ୟବହାରକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଅଛି ।

Leave a Reply

Your email address will not be published. Required fields are marked *