ସରକାରଙ୍କ ବଡ ଘୋଷଣା:ସାରା ରାଜ୍ୟ ଲକଡାଉନ୍

ଭୁବନେଶ୍ୱର :୨/୫/୨୦୨୧: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସତର୍କତା ଅବଲମ୍ବନ କରାଯିବାପରେ ମଧ୍ୟ କେଉଁଠି ନା କେଉଁଠି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ସାରା ରାଜ୍ୟରେ ଦିନକୁ ଦିନ ଦ୍ରୁତଗତିରେ ବଢି ଚାଲିଛି କରୋନା ସଂକ୍ରମଣ।
ବଢିଚାଲିଥିବା କରୋନା ମହାମାରୀ ସଂକ୍ରମଣ ଉପରେ ରୋକ ଲଗାଇବାକୁ ଯାଇ ଆଜି ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ଓଡ଼ିଶାକୁ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଲକଡାଉନ ସମୟରେ ରାଜ୍ୟର ସମସ୍ତ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ମେଡିକାଲ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଯାତାୟାତ ଉପରେ ରୋକ ଲଗାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ଏହି ସମୟରେ ବନ୍ଦ ରହିବ । ସେହିପରି କୌଣସି ପ୍ରକାର ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ କରାଯାଇ ପାରିବ ନାହିଁ। ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଏପରିକି ସାଇକେଲ ଚଳାଚଳ ପାଇଁ ମଧ୍ୟ ବାରଣ କରାଯାଇଛି । ସିନେମା ହଲ, ସପିଙ୍ଗ ମଲ୍, ମାକେର୍ଟ କମ୍ପେ୍ଲକ୍ସ, ଜିମ୍ ଆଦିକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି ।

ଯାତ୍ରା, ଅପେରା, ଖୋଲାମଞ୍ଚ ସହିତ ସେଲୁନ୍, ପାର୍ଲର , ସ୍ପାକୁ ମଧ୍ୟ ବନ୍ଦ ରହିବ । ସାମାଜିକ, ଧାର୍ମିକ, କ୍ରୀଡା, ରାଜନୈତିକ ସମାବେଶ ବନ୍ଦ ରହିବ । କେବଳ ବିବାହ ଓ ଶୁଦ୍ଧିକ୍ରିୟା ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି କାର୍ଯ୍ୟ କରିହେବ । ବିବାହରେ ସର୍ବାଧିକ ୫୦ ଜଣ ଓ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ଦିଆଯିବ । ଏହି ସମୟରେ ଗ୍ରାମାଞ୍ଚଳରେ କୌଣସି ପ୍ରକାର ସାପ୍ତାହିକ ଓ ଦୈନିକ ହାଟ ଚାଲି ପାରିବ ନାହିଁ ।

ତେବେ ଲକଡାଉନ ସମୟରେ ସକାଳ ୬ଟାରୁ ଦିନ ୧୨ଟା ସମୟ ମଧ୍ୟରେ ଚାଲିକରି ଯାଇ ପନିପରିବା ଓ ଗ୍ରୋସେରି ଆଣିବାକୁ ଅନୁମତି ଦିଆଯାଇଥିବା ବେଳେ ଘରଠାରୁ ୫ ଶହ ମିଟର ଦୂରତା ମଧ୍ୟରେ ଥିବା ଦୋକାନରୁ ଜିନିଷ କିଣିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବା ଉପରେ କୌଣସି କଟକଣା ଲଗାଯାଇ ନାହିଁ । ହସ୍ପିଟାଲ, ନର୍ସିଂହୋମ, ଔଷଧ ଦୋକାନ ଖୋଲିବା ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଯାଇନାହିଁ ।

ଲକଡାଉନ ସମୟରେ ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସରକାରୀ ରାସନ ଦୋକାନ, ତେଜରାତି ଦୋକାନ, ଫଳ ଦୋକାନ ଠାରୁ ଆରମ୍ଭ କରି ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ । ଏହି ସମୟରେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ଫ୍ଲିପକାର୍ଟ, । ଏହି ସମୟରେ ଛାପା, ବୈଦ୍ୟୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ଅନୁମତି ଦିଆଯିବା ସହିତ ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ମଧ୍ୟ ଯାତାୟାତ ପାଇଁ ଅନୁମତି ଦିଆଯିବ । ସେହିପରି ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ଗ୍ୟାରେଜ, ଗାଡି ମରାମତିକୁ ଅନୁମତି ଦିଆଯାଇଛି ।

ଏହା ସହ ନିର୍ବାଚିତ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ ଲାଗୁ ହେବ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଯାତାୟାତ କରିପାରିବେ । ଲକଡାଉନ ବେଳେ ଟିକା ଓ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଟିକା ନିମନ୍ତେ ଅନୁମତି ମିଳିଥିବା ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ ଓ ଏହା ସହିତ କୋଭିଡ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକେ ଯାଇପାରିବେ ।