ଇଣ୍ଡିଆନ ରୋଡ୍ସ କଂଗ୍ରେସରୁ ଜନ୍ମ ନେଇଥିଲା ‘ଆଇଆର୍ସି ଭିଲେଜ୍’
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ‘ଆଇଆର୍ସି ଭିଲେଜ୍’। ଭୁବନେଶ୍ୱରରେ ରହୁଥିବା ବ୍ୟକ୍ତିବିଶେଷ ପ୍ରାୟତଃ ଏହି ନା’ ସହ ପରିଚିତ ଥିବେ, କିନ୍ତୁ ଏହା ପଛର ରୋଚକ କାହାଣୀ ହୁଏତ ଅଧିକାଂଶ ବାସିନ୍ଦାଙ୍କୁ ଜଣା ନଥିବ। ୧୯୫୪ ପରେ, ୧୯୮୨ ମସିହାରେ ଓଡ଼ିଶାକୁ ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ ରୋଡ୍ସ କଂଗ୍ରେସର ବାର୍ଷିକ ଅଧିବେଶନ ଆୟୋଜନର ସୁଯୋଗ ମିଳିଥିଲା। ଏହି ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଗଲା। ବହୁ ସଂଖ୍ୟାରେ ପ୍ରତିଭାଗୀ ଅଂଶଗ୍ରହଣ କରିବାର ଆୟୋଜନ କରାଗଲା ମାତ୍ର ସେମାନେ ରହିବା ପାଇଁ ଭୁବନେଶ୍ୱରରେ ପର୍ଯ୍ୟାପ୍ତ ତାରକା ହୋଟେଲ ନଥିଲା । ଯନ୍ତ୍ରୀଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ସମ୍ମିଳନୀରେ ଯୋଗ ଦେଉଥିବାରୁ ସେମାନଙ୍କ ପାଇଁ ଭୁବନେଶ୍ୱରରେ ରହଣୀ ବ୍ୟବସ୍ଥା ପାଇଁ ନୟାପଲ୍ଲୀ ଅଞ୍ଚଳରେ ଏକ ସ୍ଥାନ ଚିହ୍ନଟ କରାଗଲା। ସେଠାରେ ‘ଏସିଆନ୍ ଗେମ୍’ ବେଳେ ହେଉଥିବା ‘ଏସିଆଡ୍ ଭିଲେଜ’ ଭଳି ଛୋଟ ଛୋଟ ଘର ନିର୍ମାଣ କରାଯାଇ ଏହି ଅଞ୍ଚଳକୁ ଗାଁ’ର ରୂପ ଦିଆଗଲା। ଆମନ୍ତ୍ରିତ ଅତିଥିମାନଙ୍କର ସେଠାରେ ରହିବାର ବନ୍ଦୋବସ୍ତ କରାଗଲା। ସ୍ୱଳ୍ପ ଦିନର ଅତିଥିମାନେ ରୋଡ୍ସ କଂଗ୍ରେସର ସମାବେଶ ପରେ ଫେରି ଯାଇଥିଲେ। କିନ୍ତୁ ଖୋଲା ପଡ଼ିଆ ଥିବା ଉକ୍ତ ଅଞ୍ଚଳକୁ ମିଳିଥିଲା ଏକ ନୂଆ ନାଁ ଓ ନୂଆ ପରିଚୟ। ଇଣ୍ଡିଆନ ରୋଡ୍ସ କଂଗ୍ରେସର ପ୍ରତିଭାଗୀମାନେ ରହୁଥିବାରୁ, ସେ ଅଞ୍ଚଳର ନାମ ହେଲା ଆଇଆର୍ସି (ଇଣ୍ଡିଆନ ରୋଡ୍ସ କଂଗ୍ରେସ) ଭିଲେଜ୍।
ଏକଦା କେଇଦିନ ପାଇଁ କାମରେ ଆସିଥିବା ନୟାପଲ୍ଲୀର ସେଇ ଖୋଲା ପଡ଼ିଆ, ପରବର୍ତ୍ତୀ ସମୟରେ ସମ୍ଭ୍ରାନ୍ତ ଅଞ୍ଚଳ ପାଲଟିଗଲା। ଏଠାରେ ଗଢ଼ି ଉଠିଲା ଉଚ୍ଚ ଅଟ୍ଟାଳିକା। ଦିନେ ଜାତୀୟ ସ୍ତରରେ ଆମନ୍ତ୍ରିତ ଅତିଥିଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ପାଲଟିଥିବା ଏହି ଅଞ୍ଚଳ, ପରବର୍ତ୍ତୀ ସମୟରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସ୍ଥାୟୀ ବାସସ୍ଥାନ ପାଲଟିଗଲା
୨୦୧୫ର ଏକ ଦଶନ୍ଧି ପରେ ପୁନର୍ବାର ଇଣ୍ଡିଆନ ରୋଡ୍ସ କଂଗ୍ରେସର ସମାବେଶ ଆୟୋଜନ ହେବାକୁ ଯାଉଥିବା ବେଳେ ଆଇଆର୍ସି ଭିଲେଜ୍ର ନାମକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରବାସୀ ଭାରତୀୟ ଦିବସ ପରେ ପୁନର୍ବାର ଓଡ଼ିଶା ଆଉ ଏକ ମହାକୁମ୍ଭ ‘ଇଣ୍ଡିଆନ ରୋଡ୍ସ କଂଗ୍ରେସର’ ବାର୍ଷିକ ଅଧିବେଶନ ଆୟୋଜନ କରିବାକୁ ଯାଉଛି। ଭାରତୀୟ ସଡ଼କ ଭତ୍ତିଭୂମିକୁ ନେଇ ଜ୍ଞାନ ଆଦାନପ୍ରଦାନର ଏହି ସମ୍ମିଳନୀ, ସମଗ୍ର ଭାରତବର୍ଷକୁ ସମ୍ଭାବନା ଓ ସୃଜନଶୀଳତାର ନୂତନ ଦିଗ ଦେଖାଇବାକୁ ଯାଉଛି।
ଇତି ମଧ୍ୟରେ ୮୩ଟି ଇଣ୍ଡିଆନ ରୋଡ୍ସ କଂଗ୍ରେସ ଆୟୋଜନ ସରିଥିବା ବେଳେ ଓଡ଼ିଶାରେ ଚଳିତ ବର୍ଷ ୮୪ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ୧୯୩୪ରେ ଜନ୍ମ ନେଇଥିବା ଇଣ୍ଡିଆନ ରୋଡ୍ସ କଂଗ୍ରେସର ବାର୍ଷିକ ସମ୍ମିଳନୀ ଆୟୋଜନ ପାଇଁ ଓଡ଼ିଶାକୁ ପ୍ରଥମେ ୧୯୫୪ ମସିହାରେ ସୁଯୋଗ ମିଳିଥିଲା। ଆମ ରାଜ୍ୟ ମଧ୍ୟ ପରବର୍ତ୍ତୀ ସମୟରେ ଯଥା ୧୯୮୨, ୧୯୯୪, ୨୦୦୫ ଏବଂ ୨୦୧୫ ବର୍ଷ ଏହି ସମ୍ମିଳନୀ ଆୟୋଜନର ଅନେକ ସୁଯୋଗ ପାଇଛି। ଚଳିତ ବର୍ଷ ଷଷ୍ଠ ଥର ପାଇଁ ଏହି ସୁଯୋଗର ଅଧିକାରୀ ହେବା ଓଡ଼ିଶା ପାଇଁ ଗୌରବ ତଥା ସମ୍ମାନର ବିଷୟ।
