ରାଉରକେଲାରେ ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବାଳକ ହକି ତୃଣମୂଳ ଚାମ୍ପିଅନସିପ-୨୦୨୫ର ଚତୁର୍ଥ ସଂସ୍କରଣ
ରାଉରକେଲା,ପ୍ରବାହ ନ୍ୟୁଜ୍ : ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବୟସ ବାଳକ ହକି ତୃଣମୂଳ ଚାମ୍ପିଅନସିପ-୨୦୨୫ର ଚତୁର୍ଥ ସଂସ୍କରଣ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ଏକ ଉତ୍ସାହପୂର୍ଣ୍ଣ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର (ଓଏନଟିଏଚଏଚପିସି) ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଆୟୋଜିତ ଏହି ଚାମ୍ପିଅନସିପରେ ରାଜ୍ୟର ବିଭିନ୍ନ ହକି ତାଲିମ କେନ୍ଦ୍ର (ଏଚଟିସି) ଓ ତୃଣମୂଳ କେନ୍ଦ୍ରରୁ ୩୫ଟି ଦଳ ଏବଂ ୩୫୦ରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୨୦୨୫ ଅକ୍ଟୋବର ୨୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଚାଲିବ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହାର ଫାଇନାଲ ମ୍ଯାଚ ଖେଳାଯିବ।
ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉପ ନିର୍ଦ୍ଦେଶକ (କ୍ରୀଡ଼ା) ସୁଦୀପ୍ତ କୁମାର ନାୟକଙ୍କ ସମେତ ଓଡ଼ିଶା ସରକାରଙ୍କ ପାନପୋଷର ହକି ପ୍ରଶିକ୍ଷକ ପିଟର ସୋରେଙ୍ଗ ଓ ବରିଷ୍ଠ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।


ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି କ୍ରୀଡ଼ା ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ତୃଣମୂଳସ୍ତରରେ ପ୍ରତିଭାବାନ ଖେଳାଳିମାନଙ୍କୁ ସମୃଦ୍ଧ କରିବା ପାଇଁ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। କ୍ରୀଡ଼ାରେ ଅନୁଶାସନ, ଦଳଗତ କାର୍ଯ୍ୟ ଏବଂ ଅଧ୍ୟବସାୟର ଗୁରୁତ୍ୱ ଉପରେ ଶ୍ରୀ ନାୟକ ଆଲୋକପାତ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହିତ ସମାରୋହ ସମାପ୍ତ ହୋଇଥିଲା।
ଚଳିତ ବର୍ଷର ସଂସ୍କରଣରେ ୮ଟି ପୁଲ୍ (ଏ–ଏଚ୍) ରହିଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏକାଧିକ ଦଳ ଏବଂ ଝାଡ଼ଖଣ୍ଡରୁ ଗୋଟିଏ ଦଳ ଚାମ୍ପିଅନସିପ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ମ୍ୟାଚ୍ଗୁଡ଼ିକ ଷ୍ଟାଡିୟମର ଉଭୟ ପିଚରେ ପ୍ରତିଦିନ ସକାଳ ୬:୩୦ରୁ ଖେଳା ଯାଉଛି। ପ୍ରତ୍ୟେକ ପୁଲରେ ଶୀର୍ଷ ଦଳଗୁଡ଼ିକ କ୍ୱାର୍ଟର ଫାଇନାଲ୍, ସେମିଫାଇନାଲ୍ ଏବଂ ନଭେମ୍ବର ୮ରେ ହେବାକୁ ଫାଇନାଲରେ ପ୍ରବେଶ କରିବେ।
ଏହି ଟୁର୍ଣ୍ଣାମେଂଟ ପାଇଁ ୨୦୨୫ ନଭେମ୍ବର ୮ରେ ଫାଇନାଲ୍ ମ୍ୟାଚ୍ ଏବଂ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବୟସ ବାଳକ ହକି ତୃଣମୂଳ ଚାମ୍ପିଅନସିପର ଚତୁର୍ଥ ସଂସ୍କରଣର ଚାମ୍ପିଅନମାନଙ୍କୁ ସମ୍ବର୍ଦ୍ଧିତ/ ପୁରସ୍କୃତ କରାଯିବ।
ଏହି ଚାମ୍ପିଅନସିପ୍ ଓଡ଼ିଶା ଏବଂ ଭାରତକୁ ଉଚ୍ଚତରସ୍ତରରେ ପ୍ରତିନିଧିତ୍ୱ କରିବାର ସମ୍ଭାବନା ଥିବା ଯୁବ ପ୍ରତିଭାବାନ ଖେଳାଳିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମୃଦ୍ଧ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି।
