ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ

ଝାରସୁଗୁଡା,(ପ୍ରବାହ ନ୍ୟୁଜ୍‌) : ଝାରସୁଗୁଡାରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ମାନ୍ୟବର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ବିଭିନ୍ନ ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ମାନ୍ୟବର ସାଂସଦମାନେ ବରିଷ୍ଠ ସାଂସଦ ତଥା ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ମନୋନୀତ କରିଥିଲେ । ଏହି ବୈଠକରେ ଯୋଗଦାନ କରିଥିବା ମାନ୍ୟବର ସାଂସଦମାନେ ହେଲେ । ସଂଗୀତା କୁମାରୀ ସିଂହଦେଓ, ମାନ୍ୟବର ସାଂସଦ /ବଲାଙ୍ଗୀର , ପ୍ରଦୀପ ପୁରୋହିତ, ମାନ୍ୟବର ସାଂସଦ /ବରଗଡ, ଶ୍ରୀ ନିରଞ୍ଜନ ବିଶି, ମାନ୍ୟବର ସାଂସଦ/ ରାଜ୍ୟସଭା, ମାଳବୀକା ଦେବୀ, ମାନ୍ୟବର ସାଂସଦ/କଳାହାଣ୍ଡି, ରୂପ କୁମାରୀ ଚୌଧୁରୀ, ମାନ୍ୟବର ସାଂସଦ /ମହାସମୁନ୍ଦ, ଟଙ୍କଧର ତ୍ରିପାଠୀ, ମାନ୍ୟବର ବିଧାୟକ, ଝାରସୁଗୁଡା ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି। ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ। ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡ଼ିକ ହେଲା-ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା । ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା । ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ। ଷ୍ଟେସନ ମାନଙ୍କରେ ଯାତ୍ରୀଙ୍କ ସୁବିଧା ସୁଦୃଢ଼ କରିବା। ଟ୍ରେନ, ପ୍ଲାଟଫର୍ମ ଓ ଷ୍ଟେସନ ପରିସରରେ ସ୍ୱଚ୍ଛତା ସମ୍ବନ୍ଧରେ ବିଶେଷ ଧ୍ୟାନଦେବା। ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା । ବିଭିନ୍ନ ଷ୍ଟେସନ ଠାରେ ଟ୍ରେନ ମାନଙ୍କର ରହଣି ବ୍ୟବସ୍ଥା ।

Leave a Reply

Your email address will not be published. Required fields are marked *