ସାରା ଓଡ଼ିଶାର ଜିଆରଏସ୍ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଗାଁସାଥୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଚଳିତ ବର୍ଷ ଅଗଷ୍ଟ ୧ରୁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ତରଫରୁ ହୋଇଥିବା ଚିଠି ନଂ- ୧୬୯୯୬ ଅନୁଯାୟୀ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ଜିଆରଏସ୍ ନିଯୁକ୍ତି ପ୍ରକ୍ରିୟାକୁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ତରଫରୁ ଏକ ଶକ୍ତ ଧକ୍କା ଲାଗିଛି । ଏହି ପ୍ରସଙ୍ଗରେ ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ଭବନର ସମ୍ମିଳନୀ କକ୍ଷରେ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଠାରେ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଗାଁସାଥୀ (ମେଟ୍) ରୁ ପ୍ରମୋଶନ ଆଧାରରେ ସଂରକ୍ଷଣ ଭିତ୍ତିରେ ଫାଙ୍କା ଥିବା ଜି.ଆର.ଏସ୍. ପଦବୀକୁ ଉନ୍ନିତ ହେବାପାଇଁ ସମସ୍ତ ଯଥାର୍ଥ ପ୍ରାସଙ୍ଗିକତା ଥିବା ସତ୍ତ୍ୱେ ମଧ୍ୟ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ଅଧିକାରୀ ଓ ପଦାଧିକାରୀମାନେ ସେପରି କଲେ ନାହିଁ । ଏପରିକି ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନସ୍ଥିତ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଶ୍ରୀ ଜ୍ୟୋତି ପ୍ରକାଶ ଦାସଙ୍କ ସହିତ ଏ ବାବଦରେ ନିବେଦନ ଓ ଆଲୋଚନା କରିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖ ଅପରାହ୍ନରେ ଶ୍ରୀ ଦାସ ତାଙ୍କ କଥା ମଧ୍ୟରେ ସ୍ପଷ୍ଟ କହିଦେଲେ ଯେ, ବର୍ତ୍ତମାନର ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀଙ୍କ ବିନା ସହମତିର ଆମ ପ୍ରମୁଖ ଶାସନ ସଚିବ (ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ) ମହୋଦୟ ମଧ୍ୟ ଏହି ସମସ୍ତ ଜିଆରଏସ୍ ପଦବୀକୁ ପୂରଣ କରିପାରିବେ । ଏଠାରେ ସୂଚନାଯୋଗ୍ୟ ଏହି ଯେ, ଗାଁସାଥୀ (ମେଟ୍)ଙ୍କୁ ପ୍ରମୋଶନ ଭିତ୍ତିରେ ଫାଙ୍କାଥିବା ଜିଆରଏସ୍ ପଦବୀରେ ସଂରକ୍ଷଣ ଆଧାରରେ ନିଯୁକ୍ତି ଦେବା ପାଇଁ ସଂଘର ଦାବିକୁ ସମର୍ଥନ କରି ଭାରତ ସରକାରଙ୍କ ଲୋଗ ଓ ଏମ୍.ଓ.ଆର.ଡି. ଚିହ୍ନ ସହିତ ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ ଏବଂ ଏମ୍.ଓ.ଆର.ଡି. ର ୨ଟି ଚିଠି ଅଛି । ଏହା ବ୍ୟତୀତ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ମହୋଦୟଙ୍କ ତରଫରୁ ପ୍ରମୁଖ ଶାସନ ସଚିବ ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ଓ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ)ଙ୍କୁ ୩ ଥର ଫୋନ୍ ତଥା ଏକ ସ୍ୱତନ୍ତ୍ର ଚିଠି (ତା ୧୪.୯.୨୦୨୪) ସତ୍ତ୍ୱେ ମଧ୍ୟ ବିଭାଗୀୟ ପଦାଧିକାରୀମାନେ ଗାଁସାଥୀଙ୍କୁ ଜିଆରଏସ୍ ପଦବୀକୁ ଉନ୍ନୀତ କରିବା ଦାବିକୁ ମାନିଲେ ନାହିଁ । ତେଣୁ ବାଧ୍ୟ ହୋଇ ସଂଘ ହାଇକୋର୍ଟରେ କେଶ୍ କଲେ । କେଶ୍ ର ଶୁଣାଣୀ ଓ ରାୟ ଗାଁସାଥୀ (ମେଟ୍)ଙ୍କ ସପକ୍ଷରେ ତାହା ଗଲା । ଆଜି ସେହି ରାୟର ନକଲ ସଂଘର ହସ୍ତଗତ ହୋଇଛି । ଏହି ସମାନ ପ୍ରକାର ରାୟ ବଳରେ ୨୦୧୮ ମସିହାରେ ଗାଁସାଥୀଙ୍କୁ ହଟାଇ ଶ୍ରମିକ ସଂଘରୁ ‘ମେଟ୍’ ଚୟନ ପ୍ରକ୍ରିୟା ଓ ୨୦୨୦ ମସିହାରେ ଗାଁସାଥୀଙ୍କ ବଦଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମେଟ୍ ଚୟନ ପାଇଁ ହୋଇଥିବା ୨ଟି ଚିଠିର ପୂଣ୍ଣାଙ୍ଗ କାର୍ଯ୍ୟକାରିତା ପଞ୍ଚାୟତିରାଜ ବିଭାଗ ଅଟକାଇଥିଲା । ଠିକ୍ ସେହିପରି ଏହି ତା ୪.୧୦.୨୦୨୪ର ହାଇକୋର୍ଟ ଅର୍ଡର ବଳରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଯଦି ସାରା ଓଡ଼ିଶାର ଜିଆରଏସ୍ ନିଯୁକ୍ତିକୁ ବନ୍ଦ ରଖି ପ୍ରଥମେ ଗାଁସାଥୀ (ମେଟ୍)ଙ୍କ ଦାବି ପୁରଣ ନ କରେ, ତେବେ ଖୁବ୍ଶୀଘ୍ର ସଂଘ ତରଫରୁ ଆନ୍ଦୋଳନକୁ ଜୋର୍ଦାର କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିବେକାନନ୍ଦ ଠାକୁର, ଉପସଭାପତି ଶ୍ରୀ ବଂଶୀ ମାଝୀ, ରାଜ୍ୟ ଉପସଭାନେତ୍ରୀ ନୟନା ନାୟକ, ପ୍ରତାପ ଦଳାଇ, କରୁଣା କସ୍କୁ, ବିଶାଲ ହାତୀ, କରୁଣାକର ମଲ୍ଲିକ, ସବିତା ଭୋଇ, ଶଶିକଳା ସ୍ୱାଇଁ, ବିମଳ ନାୟକ, ଅନାମ ଚରଣ ରାଉତ, ସୁକାନ୍ତ ରାଉତରାୟ ଓ ଅନ୍ୟ ଶତାଧିକ ରାଜ୍ୟ, ଜିଲ୍ଲା ଓ ବ୍ଲକ ସଂଗଠକ ଉପସ୍ଥିତ ଥିଲେ ।