ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ରେଟିନୋବ୍ଲାଷ୍ଟୋମା ପାଇଁ ସଚେତନତା
ଭୁବନେଶ୍ୱର : ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ପକ୍ଷରୁ ଶିଶୁମାନଙ୍କଠାରେ ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ)ର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମେ ୧୯ ତାରିଖରେ ‘ହ୍ୱାଇଟାଥନ୍’ ପଦଯାତ୍ରାର ଷଷ୍ଠ ସଂସ୍କରଣ ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ମେ ମାସର ଦ୍ୱିତୀୟରୁ ତୃତୀୟ ରବିବାର ମଧ୍ୟରେ ପାଳନ କରାଯାଉଥିବା ବିଶ୍ୱ ରେଟିନୋବ୍ଲାଷ୍ଟୋମା ସଚେତନତା ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଏ । ଚଳିତ ବର୍ଷ ୧୮୦ ରୁ ଅଧିକ ଉତ୍ସାହୀ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଦୃଢ଼ ସମର୍ଥନ ପ୍ରଦର୍ଶନ କରିଥିଲେ ।
ରେଟିନୋବ୍ଲାଷ୍ଟୋମା ଏକ ବିରଳ ଚକ୍ଷୁ କର୍କଟ ରୋଗ ଯାହା ମୁଖ୍ୟତଃ ତିନି ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଭାବିତ କରିଥାଏ । ଏହି ଚିକିତ୍ସାରେ ସାଧାରଣତଃ ଏକାଧିକ ବ୍ୟୟବହୁଳ ପଦ୍ଧତି ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ । ଗତ ଏକ ଦଶନ୍ଧି ମଧ୍ୟରେ, ଏଲଭିପିଇଆଇ ଏହି ଚକ୍ଷୁ କର୍କଟ ଦ୍ୱାରା ପ୍ରଭାବିତ ୨୫୦୦ ରୁ ଅଧିକ ଶିଶୁଙ୍କ ଚିକିତ୍ସା କରିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୬୦-୬୫% ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ପ୍ରଦାନ କରାଯାଇଛି । ପ୍ରତିବର୍ଷ ଏହି ଅନୁଷ୍ଠାନରେ ରେଟିନୋବ୍ଲାଷ୍ଟୋମାର ୧୫୦ ରୁ ୨୦୦ ନୂଆ ରୋଗୀଙ୍କ ଚିକିତ୍ସା କରାଯାଏ ଯେଉଁମାନଙ୍କ ମଧ୍ୟରେ ପ୍ରାୟ ୪୦ % ଆଡଭାନ୍ସ ଷ୍ଟେଜରେ ଏବଂ ପ୍ରାୟ ୧୦% ଅତ୍ୟନ୍ତ ଆଡଭାନ୍ସ ଷ୍ଟେଜରେ ରହିଥାନ୍ତି । ଏହି ସଂଖ୍ୟା ଏହି ରୋଗ ବିଷୟରେ ସଚେତନତାର ଅଭାବ ଏବଂ ସମ୍ପ୍ରଦାୟ ମଧ୍ୟରେ ଏହାକୁ ପ୍ରଚାର କରିବାର ଆବଶ୍ୟକତାକୁ ସୂଚାଇଥାଏ ।
ହ୍ୱାଇଟାଥନ୍, ଶିଶୁମାନଙ୍କଠାରେ ଜୀବନ ପ୍ରତି ବିପଦ ସୃଷ୍ଟିକାରୀ ଏବଂ ଦୃଷ୍ଟିଶକ୍ତି ହାନୀ ଆଶଙ୍କାର କାରଣ ସାଜୁଥିବା ରେଟିନୋବ୍ଲାଷ୍ଟୋମା ଚକ୍ଷୁ କର୍କଟ ରୋଗର ପ୍ରାରମ୍ଭିକ ନିରୂପଣ ଏବଂ ଚିକିତ୍ସା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଲଭିପିଇଆଇ ତରଫରୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଚିହ୍ନଟର ଗୁରୁତ୍ୱ ଉପରେ ଆଲୋକପାତ କରାଯାଏ, କାରଣ ଏହି କର୍କଟ ରୋଗର ପ୍ରାରମ୍ଭିକ ଚିକିତ୍ସା କରାଗଲେ ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ମିଳିପାରେ । ରେଟିନୋବ୍ଲାଷ୍ଟୋମାର ଅନନ୍ୟ ଚିହ୍ନ ହେଉଛି ଶିଶୁର ଚକ୍ଷୁରେ ଏକ ଧଳା ଦାଗ ବା ହ୍ୱାଇଟ୍ ରିଫ୍ଲେକ୍ସଯାହାର ତୁରନ୍ତ ଚିକିତ୍ସା କରାଯିବା ଆବଶ୍ୟକ । ଏହି ଦାଗ ଆଲୋକ ପଡ଼ିଲେଧଳା କିମ୍ବା ହଳଦିଆ-ଧଳା ଚମକ ଭାବରେ ଶିଶୁଙ୍କ ଚକ୍ଷୁର ପୁଅଡୋଳା (ମଧ୍ୟଭାଗରେ ଥିବା କଳା ଅଂଶ)ରେ ଦେଖାଯାଏ, ବିଶେଷକରି ଯେତେବେଳେ ଫ୍ଲାସ୍ ସହିତ ଫଟୋନିଆଯାଏ । ବେଳେବେଳେ ଟେରେଇ କରି ଦେଖିବା, କମ ଦେଖାଯିବା କିମ୍ବା ଆଖିଲାଲପଡ଼ିବା ଭଳି ଲକ୍ଷଣ ଦେଖାଯାଇଥାଏ । ହ୍ୱାଇଟାଥନ୍ ର ସଫଳତା ପଛରେ ସମ୍ପ୍ରଦାୟ, ପ୍ରାୟୋଜକ ଏବଂ ଅନେକ ସ୍ୱେଚ୍ଛାସେବୀ ମାନଙ୍କ ବିପୁଳ ଅଂଶଗ୍ରହଣ ଏବଂ ସହଯୋଗ ରହିଛି ।
ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମ୍ୟାନକାଇଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ, ମାଇକ୍ରୋ ଲ୍ୟାବ୍ସ ଲିମିଟେଡ୍, ଏଂନଟୋଡ୍ ଫାର୍ମାସ୍ୟୁଟିକାଲ୍ସ, ସନୱେଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ କୋଏମ୍ବାଟୁରର ଆରୋହ ଫାଉଣ୍ଡେସନ୍ ପ୍ରମୁଖ ସମର୍ଥନ ତଥା ସହଯୋଗ କରିଥିଲେ ।