ନବ ଭାରତ ନିର୍ମାଣ ସେବା ପାର୍ଟିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ତା ୯ା୩ :(ପ୍ରବାହ ନ୍ୟୁଜ୍‌) : ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଥିବା ବୁଲନ୍ ଭାଇ ସେବା ଭବନରେ “ନବ ଭାରତ ନିର୍ମାଣ ସେବା ପାର୍ଟି” ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ପାର୍ଟି ତରଫରୁ ପ୍ରାର୍ଥୀ ଦେବାପାଇଁ ନବଭାରତ ନିର୍ମାଣ ସେବା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ବୋମାଲି କାନ୍ତରାଓ ସୂଚନା ଦେଇଛନ୍ତି । ନିର୍ବାଚନ କମିଶନ ପକ୍ଷରୁ ଏହି ପାର୍ଟିକୁ ଗ୍ୟାସ୍ ସିଲିଣ୍ଡର ଚିହ୍ନ ଦିଆଯାଇଛି । ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଚାଲିଥିବା ନବୀନ ପଟ୍ଟନାୟକ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ଓ ରାଜ୍ୟବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟଜଳ ଓ ବାସଗୃହ ଭଳି ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରିକି ବିଜେଡ଼ି ସରକାର ସମୟରେ ଓଡ଼ିଶାରେ କୌଣସି ବଡ଼ ଶିଳ୍ପ କାରଖାନା ହୋଇପାରିନାହିଁ । ଅପରପକ୍ଷରେ ନବୀନ ସରକାର ଅମଳରେ ରାଜ୍ୟର ବହୁ ଶିଳ୍ପ ବନ୍ଦ ହେବାରୁ ବେକାରୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଲକ୍ଷ ଲକ୍ଷ ଯୁବକ ଯୁବତୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାର ଏହିସବୁ ସମସ୍ୟା ପ୍ରତି ରାଜ୍ୟ ସରକାର ସୁବିଚାର କରି କୌଣସି ସମାଧାନ ରାସ୍ତା ବାହାର କରୁନଥିବା ବେଳେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ସରକାର ବିଭିନ୍ନ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଓ କମ୍ ପାରିଶ୍ରମିକରେ ସରକାରଙ୍କ ଅଧିନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କରି ଭୋଟ୍ ହାତେଇ ନେବାକୁ ପ୍ରୟାସ ଜାରି ରଖିଛନ୍ତି । ଏପରିକି ୧୮ ବର୍ଷରୁ ଊର୍ଦ୍ଧ୍ୱ ଭୋଟ୍ ଦେବାପାଇଁ ଯୋଗ୍ୟ ହୋଇଥିବା କଲେଜ ଛାତ୍ରଛାତ୍ରୀଙ୍କଠାରୁ ଭୋଟ୍ ହାତେଇନେବା ପାଇଁ ‘ନୂଆ ଓ କଲାରସିପ୍‌’ ନାଁରେ ଟଙ୍କା ବାଣ୍ଟୁଛନ୍ତି । ଲକ୍ଷ ଲକ୍ଷ ମିଶନଶକ୍ତି ମହିଳାମାନଙ୍କୁ ଅଳ୍ପକିଛି ପ୍ରୋତ୍ସାହନ ଦେଇ ସେମାନଙ୍କୁ ନିଜ ଭୋଟ୍ ବ୍ୟାଙ୍କରେ ପରିଣତ କରିବାରେ ସରକାର ଲାଗିପଡ଼ିଛନ୍ତି । ରାଜ୍ୟର ବିକାଶ କେବଳ ପ୍ରଚାର ସର୍ବସ୍ୱ ହୋଇରହିଛି । ବିଭିିନ୍ନ ଖବରକାଗଜ, ଟିଭି ଓ ସୋସିଆଲ୍ ମିଡ଼ିଆରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ସରକାର ନିଜର ମିଛ ସଫଳତାର ବାର୍ତ୍ତା ପ୍ରଚାର କରୁଛନ୍ତି । ତେଣୁ ଦୀର୍ଘବର୍ଷ ଧରି ରାଜ୍ୟର ସ୍ୱାର୍ଥ ଓ ବିକାଶକୁ ଅଣଦେଖା କରୁଥିବା ବିଜେଡି ସରକାରକୁ ହଟାଇ ନବଭାରତ ନିର୍ମାଣ ସେବା ପାର୍ଟିକୁ ଥରେ ସୁଯୋଗ ଦେବାକୁ ସଭାପତି ଡକ୍ଟର ବୋମାଲି କାନ୍ତା ରାଓ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି । ଆମ ପାର୍ଟିକୁ ଦଳୀୟ ଚିହ୍ନ ମିଳିଥିବାରୁ ତୃଣମୂଳ ସ୍ତରରେ ସଂଗଠନ କରୁଥିବା ଦଳର ହଜାର ହଜାର ନେତା ଓ କର୍ମୀ ବହୁତ ଉତ୍ସାହିତ ଅଛନ୍ତି ଏବଂ ଆସନ୍ତା ନିର୍ବାଚନ ପାଇଁ ମଇଦାନରେ ଲଢେଇ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସଭାପତି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ତୁଳାରାମ ଗୁରୁ, ଉପସଭାପତି ବସନ୍ତ ପଣ୍ଡା, ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ମହପାତ୍ର ଓ ପର୍ଯ୍ୟବେକ୍ଷକ ଗୋବିନ୍ଦ ଭଗବାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *