ଦେଶ ବିଦେଶର ଦଶମ ସ୍ୱନକ୍ଷତ୍ର

ଭୁବନେଶ୍ୱର, ୨୮.୨ : ସକାରାତ୍ମକ ଆଭିମୁଖ୍ୟ ଆଧାରିତ ସମ୍ବାଦ ପରିବେଷଣ ଦ୍ୱାରା ମାନବ ସମାଜର ବହୁବିଧି ଉନ୍ନତି ସାଧିତ ହୋଇଥାଏ । ସାମ୍ବାଦିକତା ବୃତ୍ତି ନିର୍ବାହ କରୁଥିବା ଓଡ଼ିଶାର ସାମ୍ବାଦିକ ଓ ସମ୍ବାଦପତ୍ର ରାଜ୍ୟର ବୃହତ୍ତର ସ୍ୱାର୍ଥ ସମ୍ବଳିତ ସମସ୍ୟା ଗୁଡ଼ିକୁ ଲୋକଲୋଚନକୁ ଆଣିବା ସହିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ଅବିରତ ଲେଖନୀ ଚାଳନା ଜାରି ରଖିଛନ୍ତି । ହେଲେ ସେମାନଙ୍କର ସମସ୍ୟା ପ୍ରତି ସରକାରଙ୍କର ଏଯାବତ୍ ଶୁଭଦୃଷ୍ଟି ପଡ଼ିନାହିଁ । ବର୍ତ୍ତମାନ ସମୟରେ ସାମ୍ବାଦିକ ଓ ସମ୍ବାଦପତ୍ରର ସମସ୍ୟା ପ୍ରତି ସରକାର ତୁରନ୍ତ ଅନୁକୂଳ ମନୋଭାବ ପୋଷଣ କରିବା ସହିତ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି ।
ସାପ୍ତାହିକ ସମ୍ବାଦପତ୍ର ‘ଦେଶ-ବିଦେଶ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ମୁଖ୍ୟବକ୍ତା ଭାବେ ‘ସୁବାର୍ତ୍ତା’ର ସମ୍ପାଦକ ତଥା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଶିଷ୍ଟ ବେଦ ବିଶାରଦ ତଥା କଂଗ୍ରେସ ସେବାଦଳ ମୁଖ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନର ସୀତାବଳ୍ଲଭ ମହାପାତ୍ର ପ୍ରମୁଖ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ସାମ୍ବାଦିକମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନା, ରବି ନାରାୟଣ ଜେନା, ସୁନିଲ କୁମାର ଜେନା, ସତ୍ୟଜିିତ ମହାପାତ୍ର, ଦାତାରାମ ଅଶୋକ କୁମାର ମଙ୍ଗରାଜ, ରୁଦ୍ଧସୁନ୍ଦର ମହାନ୍ତି, ସୁଶାନ୍ତ କୁମାର ପାତ୍ର, କେଳୁଚରଣ ସାହୁ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ‘ଦେଶ ବିଦେଶ’ର ସମ୍ପାଦକ ଦିବ୍ୟାଂଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *