ସଭାପତି ଶରତ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱ ଅନୁଷ୍ଠିତ


ଭୁବନେଶ୍ୱର, ତା ୧୧ା୨ : “ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ”ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥ ଓଡ଼ିଶା ସଚିବାଳୟ ସେବାସଂଘ କାର୍ଯ୍ୟାୟଠାରେ ସଂଘର ସଭାପତି ଶରତ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସାଧାରଣ ସମ୍ପାଦକ ଲୋକନାଥ ରଥ ବୈଠକର ଉଦ୍ଦେଶ୍ୟ ଓ ସମ୍ବନ୍ଧରେ ସୂଚନା ଦେଇ କହିଲେ ଯେ ସଂଘର ଗତମାସ ୩ ତାରିଖ ସମ୍ମିଳନୀରେ ମାନ୍ୟବର ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିବା ଓ ଏ ସମ୍ପର୍କିତ ଆଦେଶନାମା ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । ସମ୍ମିଳନୀରେ ଯୋଗଦେଇଥିବା ସର୍ବଭାରତୀୟ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ମହାସଂଘର ନେତୃବୃନ୍ଦ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, କେନ୍ଦ୍ର ତଥା ଅନ୍ୟାନ୍ୟ ସମସ୍ତ ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀମାନେ ଚିକିତ୍ସା ପାଇଁ ବିଭିନ୍ନ ସୁବିଧା ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ପାଉଥିବା ବେଳେ ଓଡ଼ିଶାରେ କୌଣସି ସୁବିଧା ପାଉନଥିବା ସେମାନଙ୍କୁ ଚକିତ କରିଛି, ଏହା ଅତ୍ୟନ୍ତ ଅବିଚାର । ଏହାର ଉତ୍ତରରେ ମାନ୍ୟବର ବିଧାୟକଙ୍କ ଘୋଷଣା ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସଂଚାର କରିଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଲା ନାହିଁ । କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ, ଆଇ.ଏ.ଏସ୍‌. ଅଫିସରଙ୍କ ଠାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ଓ ବିଭିନ୍ନ ରାଜ୍ୟର ଅବସରପ୍ରାପ୍ତ ମାନେ ସି.ଜି.ଏଚ.ଏସ୍‌. ସୁବିଧା, ଚିକତ୍ସା ଭତ୍ତା, ରିୟମ୍ବର୍ସମେଣ୍ଟ ସୁବିଧା, କ୍ୟାସ୍‌ଲେସ୍ ମେଡିକାଲ୍ ଟ୍ରିଟ୍‌ମେଣ୍ଟ ଇତ୍ୟାଦି ସୁବିଧା ପାଉଛନ୍ତି ।
ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକମାନଙ୍କ ସମସ୍ୟା ପ୍ରତି ଅଣଦେଖା ଭାବ ଓଡ଼ିଶାର ସମସ୍ତ ଅବସରପ୍ରାପ୍ତଙ୍କୁ ଆନ୍ଦୋଳିତ ଓ କ୍ଷୁବ୍ଧ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ‘ନବୀନ ଓଡ଼ିଶା’ ତଥା ‘୫-ଟି’ ଅଧ୍ୟକ୍ଷଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆଲୋଚନାର ମଧ୍ୟ ସୁଯୋଗ ଦିଆଯାଉନାହିଁ । ଏହା ଗଭୀର ଉଦ୍‌ବେଗର ବିଷୟ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷଙ୍କୁ ପୁନର୍ବାର ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା ।
ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ସଭାରେ ଯୋଗଦେଇ ଅବସରପ୍ରାପ୍ତଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକ ବିଶେଷତଃ ଚିକିତ୍ସା ସୁବିଧା ସରକାର ସମସ୍ୟାଗୁଡ଼ିକ ବିଶେଷତ ଚିକିତ୍ସା ସୁବିଧା ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକମାନଙ୍କୁ ପ୍ରଦାନ ନକଲେ ସେମାନଙ୍କର ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।
ଉକ୍ତ ସଭାରେ ସର୍ବଶ୍ରୀ ବିବେକାନନ୍ଦ ଦାସ, ଶ୍ୟାମସୁନ୍ଦର ଖାଡଙ୍ଗା, କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ଲକ୍ଷ୍ମୀଧର ସାମନ୍ତସିଂହାର, ଡକ୍ଟର ଅମୀୟ କୁମାର ମହାନ୍ତି, ସୁଧାଂଶୁ ଶେଖର ପତି, ଧନଞ୍ଜୟ କେଶରୀ ରାଉତରାୟ, ଦୁର୍ଯ୍ୟୋଧନ ପରିଡ଼ା, ଲକ୍ଷ୍ମୀଧର ସାହୁ, ବିଧୁଭୂଷଣ ପଟ୍ଟନାୟକ, ଦୁଷ୍ମନ୍ତ କୁମାର ନାୟକ, ଚତୁର୍ଭୁଜ ରାଉଳ, ରାଜେନ୍ଦ୍ର ପଣ୍ଡା, ବୃନ୍ଦାବନ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଶ୍ରୀ ନରସିଂହ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *