ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଓ ମେରାମଣ୍ଡଳୀ କାରଖାନାକୁ ରେସ୍‌ପନ୍‌ସିବଲ୍ ଷ୍ଟିଲ୍ ସାର୍ଟିଫିକେସନ

ଭୁବନେଶ୍ୱର, ୯ ଫେବ୍ରୁଆରି ୨୦୨୪: ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଓ ମେରାମଣ୍ଡଳୀ କାରଖାନା ରେସ୍‌ପନ୍‌ସିବଲ୍‌ଷ୍ଟିଲ୍ ସାର୍ଟିଫିକେସନ ହାସଲ କରିଛନ୍ତି । ୨୦୨୨ରେ କମ୍ପାନିର ଜାମସେଦପୁର କାରଖାନା ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଭାବେ ଏହି ଐତିହାସିକ ସଫଳତା ହାସଲ କରିଥିଲା । ଟାଟା ଷ୍ଟିଲ୍ ଏବେ ରେସ୍‌ପନ୍‌ସିବଲ୍ ଷ୍ଟିଲ୍ ସାର୍ଟିଫିକେସନ ହାସଲ କରିଥିବା କାରଖାନାରୁ ଏହାର ୯୦ ପ୍ରତିଶତ ଇସ୍ପାତ ଉତ୍ପାଦନ କରୁଛି ।
୨୦୨୨ ଅକ୍ଟୋବରରେ କମ୍ପାନିର ଜାମସେଦପୁର କାରଖାନାର ତିନିଟି ଡିଭିଜନ ଯଥା ଷ୍ଟିଲ୍ ୱାର୍କସ୍‌, ଟ୍ୟୁବ୍‌ସ ଡିଭିଜନ ଓ କୋଲ୍ଡ ରୋଲିଂ ମିଲ୍‌କୁ ଏହି ସାର୍ଟିଫିକେସନ ମିିଳିଥିଲା । ସେଥିରେ କଳିଙ୍ଗନଗର ଓ ମେରାମଣ୍ଡଳୀ କାରଖାନାକୁ ସାମିଲ କରାଯିବା ଦାୟିତ୍ୱବାନ ବ୍ୟବସାୟ ଅଭ୍ୟାସ ଓ ପରିବେଶ ଦାୟିତ୍ୱ ପ୍ର୍‌ତି କମ୍ପାନିର ରହିଥିବା ସମର୍ପଣ ଭାବକୁ ଦର୍ଶାଉଛି ।

ରେସ୍‌ପନ୍‌ସିବଲ୍‌ଷ୍ଟିଲ୍ ହେଉଛି ଇସ୍ପାତ ଶିଳ୍ପର ପ୍ରଥମ ବିଶ୍ୱସ୍ତରୀୟ ବହୁବିଧ-ଅଂଶୀଦାରଭିତିକ ସାର୍ଟିଫିକେସନ ଅଭିଯାନ ଯାହା ଇସ୍ପାତ ଉତ୍ପାଦନକାରୀ, ଗ୍ରାହକ ଓ ମଧ୍ୟସ୍ଥିମାନଙ୍କ ସହ ମିଶି କାମ କରୁଥିବା ବେଳେ ଜଳବାୟୁ ପରିବର୍ତନ, ବିବିଧତା, ମାନବିକ ଅଧିକାର ଆଦି ଆହ୍ୱାନର ମୁକାବିଲା କରି ଏକ ଦୀର୍ଘସ୍ଥାୟୀ ଇସ୍ପାତ ଶିଳ୍ପ ଗଠନ ଦିଗରେ କାମ କରୁଛି ।

ଟାଟା ଷ୍ଟିଲର ସିଇଓ ଏବଂ ଏମ୍‌ଡି ଟିଭି ନରେନ୍ଦ୍ରନ୍ କହିଛନ୍ତି ଯେ, \”ଆମ କାରଖାନାଗୁଡ଼ିକ ପାଇଁ ରେସପନ୍‌ସିବଲ୍ ଷ୍ଟିଲ୍ ସାର୍ଟିଫିକେସନ୍ ଦୀର୍ଘସ୍ଥାୟିତ୍ୱ ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତାର ପ୍ରମାଣ । ଏହା ଇସ୍ପାତ ଶିଳ୍ପର ବିଭିନ୍ନ ଆହ୍ୱାନର ମୁକାବିଲା ଏବଂ ଏକ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ଆମର ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି । ଏହି ମାଇଲଖୁଂଟ ହାସଲ କରିବାରେ ଟାଟା ଷ୍ଟିଲ୍‌ର ଦାୟିତ୍ୱସମ୍ପନ୍ନ ଟିମ୍‌, ଅଡିଟର, ଆସ୍ୟୁରାନ୍ସ ପ୍ୟାନେଲର ପ୍ରୟାସକୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି । ୨୦୨୫ ସୁଦ୍ଧା ଭାରତରେ ଥିବା ଆମର ସମସ୍ତ ଇସ୍ପାତ ଉତ୍ପାଦନ କାରଖାନାକୁ ସାର୍ଟିଫିକେସନ କରିବା ଲକ୍ଷ୍ୟ ଆଡ଼କୁ ଆମେ ଅଗ୍ରସର କରାଉଛୁ ।’’
ରେସପନସିବଲ୍ ଷ୍ଟିଲ୍‌ର ସିଇଓ ଆନି ହେଟନ୍ କହିଛନ୍ତି ଯେ, ଏହି ଦୁଇଟି ନୂତନ କାରଖାନା ସାର୍ଟିଫିକେସନ ପାଇଁ ଅଡିଟ୍ ପ୍ରକ୍ରିୟା ସହିତ ଟାଟା ଷ୍ଟିଲ୍ ଏହାର ସାମାଜିକ ଏବଂ ପରିବେଶ ଦାୟିତ୍ୱକୁ ଖୋଲାଖୋଲି ଭାବେ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରିଛି । ଅଡିଟ୍ ସମୟରେ ଉଭୟ ସ୍ଥାନର ଜିଏଚ୍‌ଜି ନିର୍ଗମନ ହ୍ରାସ ରଣନୀତି ଏବଂ ଜଳ ପରିଚାଳନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା । ଏକ କାରଖାନାର ପରିବେଶ ପ୍ରଭାବ ପରିଚାଳନା ବ୍ୟତୀତ ରେସପନସିବଲ୍‌ଷ୍ଟିଲ୍ ମାନକ କାରଖାନାର ଶ୍ରମିକ ଏବଂ ସ୍ଥାନୀୟ ସମୁଦାୟର କଲ୍ୟାଣ ସୁନିଶ୍ଚିତ କରିବା ପାଇଁ କାରଖାନାଗୁଡ଼ିକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଥାଏ ।

ସଂଘର୍ଷ ଓ ବିସ୍ଥାପନ ସତ୍ୱେ ସ୍ଥାନୀୟ ଲୋକଙ୍କ ସହିତ ମିଶି କାମ କରିବା ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଥିବା ବେଳେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ଓ ଲୋୟୋଲା ସ୍କୁଲ୍ ମାଧ୍ୟମରେ ଟାଟା ଷ୍ଟିଲ୍ ଗୁଣାତ୍ମକ ବାସଗୃହ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ପ୍ରଦାନ କରିବା ଲାଗି କାର୍ଯ୍ୟ କରୁଛି । ସେହିଭଳି ମେରାମଣ୍ଡଳୀ କାରଖାନାରେ ବିଭିନ୍ନ ବାହ୍ୟ ଅଂଶୀଦାରଙ୍କ ସହ ସାକ୍ଷାତକାରରେ ସ୍ଥାନୀୟ ଲୋକଙ୍କ ପ୍ରତି କାରଖାନାର ପ୍ରତିବଦ୍ଧତା ଏବଂ ଟାଟା ଏହି କାରଖାନାକୁ ଅଧିଗ୍ରହଣ କରିବା ପରେ କର୍ମଚାରୀମାନେ ଉନ୍ନତ ସ୍ୱାସ୍ଥ୍ୟ ଏବଂ ନିରପତା ପଦ୍ଧତି ବିଷୟରେ ଜାଣିଥିଲେ । ଇସ୍ପାତ ଉତ୍ପାଦନ ଏକ ଜଟିଳ ଏବଂ ପ୍ରାୟତଃ ବିପଜ୍ଜନକ ପ୍ରକ୍ରିୟା ଏବଂ ଭବିଷ୍ୟତର ବିପଦକୁ ହ୍ରାସ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ନିରାପତାକୁ କ୍ରମାଗତ ଭାବରେ ଉନ୍ନତ କରିବା ପାଇଁ କାରଖାନା ଏବଂ କମ୍ପାନିର ପ୍ରତିବଦ୍ଧତା ଭଲ ଭାବରେ ଉଲ୍ଲେଖ କରାଯାଇଛି । ମୋଟାମୋଟି ଭାବେ ଉଭୟ କାରଖାନା ରେସପନସିବଲ୍‌ଷ୍ଟିଲ ସାର୍ଟିଫିକେସନ୍ କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ଅଗ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ଅଡିଟରମାନେ ଉତ୍ସାହିତ ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

You may have missed