f10ea165-cee0-4690-8e93-4d2deecf587f

ଓଡ଼ିଶାର ଗ୍ରାମୀଣ ଆତ୍ମା, ସଂସ୍କୃତି, ସୃଜନଶୀଳତା ଓ ଆତ୍ମଶକ୍ତିର ସଜୀବ ଆଇନା: ମନ୍ତ୍ରୀ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭୁବନେଶ୍ୱରସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଶିଶିର ସରସ-୨୦୨୬ର ଅଷ୍ଟମ ଦିବସରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ମନ୍ତ୍ରୀଙ୍କ ଆଗମନ ପରେ ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ ମୋନିକା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଅତିଥିମାନଙ୍କୁ ଚାରାଗଛ ପ୍ରଦାନ କରାଯାଇ ପରିବେଶ ଆନୁକୂଲ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ଗତ ୮ ଦିନ ଧରି ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ କେବଳ ଏକ ମେଳା ପରିସର ଭାବେ ସୀମିତ ନ ରହି ଏହା ଓଡ଼ିଶାର ଗ୍ରାମୀଣ ଆତ୍ମା, ସଂସ୍କୃତି, ସୃଜନଶୀଳତା ଓ ଆତ୍ମଶକ୍ତିର ଏକ ସଜୀବ ପ୍ରତିଛବି ପାଲଟିଛି । ଗ୍ରାମୀଣ କାରିଗରଙ୍କ ହାତରେ ଥିବା କୌଶଳ, ମହିଳାମାନଙ୍କ ପରିଶ୍ରମ ଓ ସ୍ୱପ୍ନ କେବଳ ସ୍ୱପ୍ନରେ ସୀମିତ ନ ରହି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ପାଇବାର ସାମର୍ଥ୍ୟ ରଖିଛି । ଏହି ମେଳା ମାଧ୍ୟମରେ ହସ୍ତତନ୍ତ, ହସ୍ତଶିଳ୍ପ, ଗ୍ରାମୀଣ ଖାଦ୍ୟ ଓ ଜିଆଇ ଟ୍ୟାଗ୍‌ପ୍ରାପ୍ତ ଉତ୍ପାଦ ହୃଦୟସ୍ପର୍ଶୀ ହୋଇପାରିଛି, ତାହା ପ୍ରତ୍ୟେକ୍ଷ ହୋଇପାରିଛି । ଏହା ‘ବିକଶିତ ଓଡ଼ିଶା’ ଓ ‘ଆତ୍ମନିର୍ଭର ଭାରତ’ ଧାରଣାକୁ କାର୍ଯ୍ୟରେ ପରିଣତ କରିପାରିଛି । ମକର ସଂକ୍ରାନ୍ତି ଦିନ ଆୟୋଜିତ ହୋଇଥିବା ‘କାଇଟ୍ ଫେଷ୍ଟିଭାଲ’ ପୁରରାତନ ପରମ୍ପରାକୁ ନୂଆ ପିଢି ସହ ଯୋଡ଼ିପାରିଛି । ମେଳାରେ ଜମୁଥିବା ଭିଡ଼କୁ ପ୍ରଂଶସା କରି ମନ୍ତ୍ରୀ କହିଥିଲେ ଯେ, ଗ୍ରାମୀଣ ଉତ୍ପାଦର ବିକ୍ରୟ ବଢିଛି ଓ ଏହା ରାଜଧାନୀରୁ ଗାଁ-ଗାଁକୁ ପହଞ୍ଚିଛି ଯାହାକି ଗ୍ରାମ-ସହର ମଧ୍ୟରେ ସମ୍ପର୍କର ସେତୁ ଭାବେ ପରିଣତ ହୋଇଛି । ଗ୍ରାମୀଣ ଉଦ୍ୟମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବଜାର ସଂଯୋଗୀକରଣକୁ ବୁଝିବା ପାଇଁ ନୂତନ ଦୃଷ୍ଟି ପ୍ରଦାନ କରାଯାଇଛି । ଆୟୋଜିତ ଫ୍ୟାସନ ଶୋ’ରେ ପାରମ୍ପରିକ କଳାର ପ୍ରଦର୍ଶନକୁ ନୂତନ ମଞ୍ଚ ପ୍ରଦାନ କରିଛି । ଫୁଡ୍ ଷ୍ଟଲ, କିଡ୍‌ଜୋନ, ସେଲ୍ଫିପଏଣ୍ଟ ଓ ସାଂସ୍କୃତିକ କର୍ଯ୍ୟକ୍ରମ ମାଧ୍ୟମରେ ମେଳା ପରିସରକୁ ପରିବାର ପାଇଁ ଆନନ୍ଦର ଅନୁଭୂତି ଆଣିଦେଇଛି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ସୁନ୍ଦରଗଡ଼ର ମହୁଆ ଉତ୍ପାଦ, ବେଷ୍ଟ ଫୁଡ୍ ଷ୍ଟଲରେ ମୟୁରଭଞ୍ଜର ଖାଦ୍ୟ, ବେଷ୍ଟ ଆଉଟସାଇଡ୍ ଷ୍ଟେଟ୍ ଇନୋଭେଟିଭ ପ୍ରଡ଼କ୍ଟରେ ତ୍ରିପୁରା ବାଉଁଶ କାମ, ବାଲେଶ୍ୱରର ଲାଖ କାମକୁ ବେଷ୍ଟ ଥିମ୍ ଷ୍ଟଲ ପୁରସ୍କାର ପ୍ରଦାନ କରିଥିଲେ । ଏତଦ୍‌ବ୍ୟତୀତ କୋରାପୁଟ ଷ୍ଟଲକୁ ବେଷ୍ଟ ପ୍ୟାକେଜିଂ, ବେଷ୍ଟ ଡିସ୍‌ପ୍ଲେ ଗୁଜରାଟ ଷ୍ଟଲ, ବେଷ୍ଟ ସେଲ୍ସମ୍ୟାନ୍ ଯାଜପୁର ଷ୍ଟଲ ପୁରସ୍କୃତ ହୋଇଛନ୍ତି ।
ଏହି ଅବସରରେ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଓରମାସ ଏବଂ ଆଇସିଏଆର-ସିପିସିଆରଆଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଆଇସିଏଆର-ସିପିସିଆରଆଇର ନିର୍ଦ୍ଦେଶକ ଡଃ କେ.ବି. ହେବାରଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ଏହି ଚୁକ୍ତି ଅନୁଯାୟୀ, ନଡ଼ିଆର ବିଭିନ୍ନ ମୂଲ୍ୟଯୁକ୍ତ ଉତ୍ପାଦର ବିକାଶ ପାଇଁ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ, ଯାହା ସ୍ଥାନୀୟ କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନୂତନ ଜୀବିକା ପନ୍ଥା ସୃଷ୍ଟି କରିବ। ମାନ୍ୟବର ମନ୍ତ୍ରୀ ମେଳା ପରିସରରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ଶିଳ୍ପୀ ଓ କାରିଗରମାନଙ୍କ ସହ ସେମାନଙ୍କ ଉତ୍ପାଦ ବିଷୟରେ ଆଲୋଚନା କରିଥିଲେ।


କାର୍ଯ୍ୟକ୍ରମର ଶେଷରେ ମେଳାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଗୋଷ୍ଠୀ ଭତ୍ତିିକ ସଂଗଠନ (ସିବିଓ) ମାନଙ୍କୁ ସେମାନଙ୍କର ଅନନ୍ୟ କୃତି ପାଇଁ ସମ୍ମାନିତ କରାଯାଇଥିଲା। ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ଡ଼ା. ମୋନିକା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ସଞ୍ଜୀବ କୁମାର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶିଶିର ସରସ ମେଳାରେ ଜମୁ ଥିବା ଭିଡକୁ ଦେଖି ଆଉ ଦୁଇ ଦିନକୁ ବୃଦ୍ଧି କରାଯାଇଛି । ୧୮ ତାରିଖରେ ସମାପ୍ତ ହେବାକୁ ଥିବା ଏହି ମେଳା ୧୯ ଓ ୨୦ରେ ମଧ୍ୟ ଖୋଲା ରହିିବ ।

Leave a Reply

Your email address will not be published. Required fields are marked *