ରାୟଗଡାରେ ୫-ଟି ସଚିବ ପାଣ୍ଡିଆନ୍

ଦୁଇଦିନିଆ ରାୟଗଡା ଗସ୍ତରେ ଆସିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଉକ୍ତ ଗସ୍ତକୁ ନେଇ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଜେଡିର ଦଳର ତୁଙ୍ଗନେତାମାନେ କିପରି ତାଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ ହେବ ସେ ନେଇ ଘନ ଘନ ବୈଠକ ପରେ ବୈଠକ କରୁଥିଲେ ଶେଷରେ ତାହା ସଫଳ ହୋଇଛି । ପାଣ୍ଡିଆନଙ୍କ ଗସ୍ତକୁ ସଫଳ କରିବା ପାଇଁ ଏଠାରେ ଡେରା ପକାଇଥିଲେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେଡିର ରାୟଗଡା ଜିଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ । ରାୟଗଡା ବିଜେଡିରେ ରହିଥିବା ଗୋଷ୍ଠୀ କନ୍ଦଳକୁ କିଛି ମାତ୍ରାରେ ସମାଧାନ କରିବାରେ ଏହି ଦୁଇ ନେତା ସଫଳ ହୋଇଥିଲେ । ୫-ଟି ସଚିବଙ୍କ ନଜରରେ ଏହା ଯେପରି ପ୍ରତିଫଳନ ନହେବ ସେ ନେଇ ଦୁଇ ନେତା ତୀକ୍ଷ୍ମ ନଜର ରଖିଥିଲେ । ୫-ଟି ସଚିବଙ୍କ ଗସ୍ତକୁ ସଫଳ କରିବା ନେଇ ଜିଲ୍ଳା ପ୍ରଶାସନ ଓ ଦଳୀୟ ନେତାଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମ ସବୁ ସ୍ଥିର କରିଥିଲେ ।
ଆଜି ଅତାର୍ଥ ବୁଧବାର ଅପରାହ୍ନ ସାଢେ ୪ଟା ବେଳେ ହେଲିକପ୍ଟର ମାଧ୍ୟମରେ ଆସି ରାୟଗଡା ଜିସିଡି ଗ୍ରାଉଣ୍ଡରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ସେଠାରୁ ନୂତନ ବିଜୁ ପଟ୍ଟନାୟକ ଅଡିଟୋରିୟମ ନିକଟରେ ମହିଳା ଓ ଛୋଟ ଛୁଆ ଫୁଲ ପକାଇ ଶ୍ରୀ ପଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଅଡିଟୋରିୟମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ୫-ଟି ସ୍କୁଲର ରୁପାନ୍ତରଣ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ ଓ ସେଠାରେ ଜନସାଧାରଣଙ୍କ ସମସ୍ୟାର ରହିଥିବା ଦରଖାସ୍ତ ସମସ୍ତ ଗ୍ରହଣ କରିଥିଲେ । ଏହାପରେ ବିଭିନ୍ନ ସଂଗଠନ ସହ ଜିଲ୍ଳାର ବିକାଶ ନେଇ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସହ ଆମ ହସ୍ପିଟାଲ ଯୋଜନାର ସମୀକ୍ଷା କରିଥିଲେ ।
ନୂତନ ଭାବେ ଖୋଲାଯାଇଥିବା ମିଶନ ଶକ୍ତି କେଫେରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ତତପରେ ନୂତନ ଇଣ୍ଡୋର ଷ୍ଟାଡିୟମର ଅନୁଧ୍ୟାନ କରିବା ସହ କ୍ରୀଡାବିତ୍ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସଂଧ୍ୟାରେ ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରକୁ ଯାଇ ଦର୍ଶନ କରିବା ସହ ମନ୍ଦିର ଉନ୍ନତି ନେଇ ସ୍ୱତନ୍ତ୍ର ଆଲୋଚନା କରିଥିଲେ ।
ଉକ୍ତ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ତୁଙ୍ଗ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ଏହାପରେ ସର୍କିଟ ହାଉସରେ ରାତ୍ରୀ ଯାପନ କରିବେ ୫-ଟି ସଚିବ । ଏହି ଦୁଇଦିନ ଗସ୍ତରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।