ଇମ୍ରାନ ଖାଁଙ୍କ ଲାହୋର ଘରେ ଲୁଚିଛନ୍ତି ୪୦ ଆତଙ୍କବାଦୀ ! ଘରକୁ ଘେରିଲେ ପୁଲିସ୍

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲାହୋରରେ ଥିବା ଜମାନ ପାର୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ରହିଛନ୍ତି ଓ ଇମ୍ରାନ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପାକିସ୍ତାନ ସରକାର ଦାବି କରିଛନ୍ତି । ସେମାନଙ୍କୁ ପୁଲିସ ହାତରେ ଦେବାକୁ ଇମ୍ରାନଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି ।

ଇମ୍ରାନଙ୍କ ଘରେ ଆତଙ୍କବାଦୀ ଲୁଚିଥିବା  ଗୁଇନ୍ଦା ରିପୋର୍ଟ ମିଳିଥିବା ପାକିସ୍ତାନର ପଞ୍ଜାବର ସରକାର ଦାବି କରିଛନ୍ତି । ଏହା ପରେ ପୁଲିସ ଇମ୍ରାନଙ୍କ ଘରକୁ ଘେରିଯାଇଛି ଓ ସଂପୃକ୍ତ ଅଂଚ​ଳକୁ ସିଲ୍ କରିଦିଆଯାଇଛି ।

ତେବେ କେତେକ ରିପୋର୍ଟ ଅନୁସାରେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର କର୍ମୀମାନଙ୍କୁ ପାକିସ୍ତାନ ସରକାର ଆତଙ୍କବାଦୀ ବୋଲି କହୁଛନ୍ତି । ଏହି କର୍ମୀମାନେ ଗତ ସପ୍ତାହରେ ଲାହୋର, ଇସ୍ଲାମାବାଦ ଆଦି ସହରରେ ଜଳାପୋଡ଼ା କରିଥିଲେ ।

ଏବେ ପିଟିଆଇ କର୍ମୀମାନଙ୍କୁ ପାକିସ୍ତାନ ସରକାର ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସେମାନଙ୍କ ବିରୋଧରେ ବିଭିନ୍ନ ଆତଙ୍କବାଦୀ ଧାରା ଅନୁସାରେ ମାମଲା ରୁଜ୍ଜୁ କରାଯାଉଛି ।

ଅନ୍ୟପକ୍ଷରେ ଇସ୍ଲାମାବାଦ ହାଇକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ମେ ୯ ପରେ ରୁଜୁ ହୋଇଥିବା କୌଣସି ମାମଲାରେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ଆଦେଶକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଇମ୍ରାନଙ୍କ ଓକିଲ ଅଧିକ ସମୟ ପାଇଁ କୋର୍ଟଙ୍କୁ ଅନୁରୋଧ କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *