ସତର୍କତା ସଚେତନତା ହିଁ କରୋନାର ବାର୍ତ୍ତାବହ ଜୟଶ୍ରୀ ପଟ୍ଟନାୟକ

0
jayashree

କରୋନା ମହାମାରୀର ଆତଙ୍କରେ ଭୟଭୀତ ହୋଇ ସାହି, ପଡିଶା, ରାସ୍ତାଘାଟ ପ୍ରାୟ ଜନଶୂନ୍ୟ । କୋଉଠି କୋଉଠି ପାରା, ବୁଲା କୁକୁର, କାଉ , ବଣି ଓ ଗାଈଗୋରୁଙ୍କର ସ୍ୱାଧୀନ ଚରାଭୂଇଁ ପାଲଟିଛି ରାଜରାସ୍ତା । ସାରା ରାସ୍ତା ଏବେ ଶନିବାର, ରବିବାର ସଟଡାଉନରେ ମୋଟା ମୋଟି ଭାବରେ ଜନଶୂନ୍ୟ ହୋଇପଡିଛି । ସକାଳଟା ଲାଗୁଛି ଦ୍ୱିପହରର ନିିର୍ଜନତା ପରି । କଳା ମଚ ମଚ ପିଚୁରାସ୍ତାରେ କେବଳ ଆମ୍ବୁଲାନ୍ସ ଟା ଗଡିଚାଲିଛି ଏକମୁହାଁ ହୋଇ ଦ୍ରୁତଗତିରେ । ଆମ୍ବୁଲାନ୍ସ ଭିତରେ ରୋଗୀ ମଣିଷ, ଗର୍ଭବତୀ କି କରୋନା ରୋଗୀଟିଏ ଯାଉଛି ତାହା ଜାଣିବାପାଇଁ ମନ ଖୁବ୍ ଛଟପଟ । ପ୍ରତିଦିନ ହଜାର ହଜାର ଲୋକ କୋଭିଡ ୧୯ ର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ସଂକ୍ରମଣ ଲକ୍ଷଣ, ଚିକିତ୍ସା ଆଦିକୁ ନେଇ ଖବରକାଗଜର ପୃଷ୍ଠା ଓ ସୋସିଆଲ ମିଡିଆରେ ଖବର ଭର୍ତି । ନ ଜାଣିଲା ଲୋକ ବି ଏବେ ଜଣେ ଜଣେ ଡାକ୍ତର ପରି କହି ଚାଲିଛନ୍ତି ମାସ୍କ ପିନ୍ଧ, ହାତକୁ ବାରମ୍ବାର ଧୁଅ, ସାମାଜିକ ଦୂରତାରେ ରହିବାକୁ ଚେଷ୍ଠାକର । ମେଳା ,ମଉଛବ.ଅନୁଷ୍ଠାନ ସବୁକୁ ଯିବା ବନ୍ଦ କର । ଟୀକା କେନ୍ଦ୍ରରେ ଯାଇ ଟୀକା ନିଅ । କରୋନା ମହାମାରୀରୁ ନିଜକୁ ବଂଚାଅ, ନିଜ ପରିବାରକୁ ଏବଂ ସର୍ବୋ ପରି ନିଜଦେଶକୁ ମଧ୍ୟ ବଂଚେଇବାରେ ସହାୟକ ହୁଅ । ନହେଲେ ଏ ଲକଡାଉନ ଆଉ ସଟଡାଉନରେ କାଳ କାଟୁ କାଟୁ ନିଜର ଦାନାପାଣି ଦିନେ ସମ୍ପୂର୍ଣ୍ଣ ଭାବରେ ବୁଡି ଯାଇଥିବ । ସମସ୍ତେ ମିଳିମିଶି ସରକାରଙ୍କ କଥାକୁ ମାନିଲେ ଯାଇ ଏ ମହାମାରୀରୁ ନିସ୍ତାର ମିଳିବ । ସେଇଥିପାଇଁ କୋଉଠି ଗଛତଳ ଛାଇରେ ପୁଲିସ ଭାଇ କଡା ପହରା ଦେଉଛନ୍ତି ତ କୋଉଠି ଗାଡି ମଟର ନେଇକି ଗଲେ ଜରିମାନା ଦେବାକୁ ପଡୁଛି । ତାସାଙ୍ଗକୁ ଡବଲ ହେଲମେଟ ଚେକିଙ୍ଗ, ମାସ୍କ ଚେକିଙ୍ଗ । ତେଣୁ ସମସ୍ତେ ସମୟ ସହିତ ତାଳଦେଇ ଭୟରେ ଦାଣ୍ଡକବାଟ କିଳି ଘରେ ରହିଛନ୍ତି । କାହା ଘରକୁ ଯିବା ଆସିବା ତ ଦୂର କଥା ଘରର ଗ୍ରୀଲ ଦେଇ କି ବାଲକୋନିରେ ଛିଡାହୋଇ କାହାକୁ ଚାହିଁବାକୁ ବି ଡର । କରୋନା କାଳେ ଏବେ ପବନରେ ବ୍ୟାପିଲାଣି । ଅତିଥି ପରି ସମସ୍ତଙ୍କ ଘରକୁ ବୁଲି ଆସିଲାଣି । ଗତବର୍ଷ କରୋନା ଠାରୁ ଏ ଦି୍ୱତୀୟ ଲହର କରୋନା କୁଆଡେ ଆହୁରି ସଂଘାତିକ । ଏଥିରେ କରୋନା ରୋଗୀ ଅକ୍‌ସିଜେନ ଅଭାବ ଫଳରେ ମୃତ୍ୟୁମୁଖରେ ପଡୁଛି । ଜୀବନ ସହ ବଂଚିବା ପାଇଁ ସଂଘର୍ଷ କରିବାକୁ ପଡୁଛି । ତେଣୁ ଏଥିରେ ସତର୍କତାର ବହୁତ ଜରୁରୀ ରହିଛି । ପରିବାରର ଯେଉଁ ଲୋକ ବାହାରକୁ ଯାଉଛନ୍ତି ମୁହଁରେ ମାସ୍କ ଲଗାଇ ହାତରେ ଗ୍ଲୋବସ ଲଗାଇ ଯାଉଛନ୍ତି । ଘର ବାହାରେ ପାଣି ଓ ସାନିଟଇଜର ଥୋଇକି ଯାଉଛନ୍ତି । ଦୋକାନ ବଜାର ସବୁ ବନ୍ଦ । କିଛି ଔଷଧ ଦୋକାନ ଓ ଗ୍ରସରୀ ଦୋକାନ କାଁ ଭାଁ ଖୋଲା ରଖୁଛନ୍ତି । ମୋଟା ମୋଟି କହିବାକୁ ଗଲେ ଜନଜୀବନ ପୁରା ଠପ । ମଣିଷ ମରୁଡିରେ ରାସ୍ତା ପୁରା ଶୂନ୍‌ଶାନ ।
ଶନି ରବିବାର ସଟଡାଉନ ଯୋଗୁଁ ପରିବାବାଲା ଗୋଟାଏ ଭୋରରୁ ଆସି ଛକ ମୁଣ୍ଡରେ ପରିବା ବିକ୍ରି କରୁଥିବାର ଦେଖି ତା ପାଖରେ ଖୁବ ଭିଡ ଜମିଛି ଯେମିତି ଗୋଟାଏ ଦିନରେ ପରିବା ଗୁଡାକ ଉଦରସ୍ଥ ହୋଇଯିବ ସେହି ଆଳରେ । ସରକାର କହିଛନ୍ତି ପରିବା ସଉଦା ଯାହା କିଣିବ ପାଖରେ ଲଗା ଲଗି ହୋଇ ଛିଡା ହୋଇ କିଣିବନାହିଁ । ଗୋଟେ ମିଟର ବ୍ୟବଧାନରେ ଛିଡା ହୋଇ କିଣବେ । ହେଲେ କିଏ ବୁଝୁଛି ସେ କଥା । ଲକଡାଉନ ସମୟରେ ସବୁ ଜିନିଷର ବିକ୍ରିବଟା ବନ୍ଦ ହୋଇଯିବାରୁ କିଛି ଜିନିଷର ଚାହିଦା ଯଥେଷ୍ଟ ବଢିଯାଇଛି ଇତିମଧ୍ୟରେ । କାଳେ ପରିବା ସରିଯିବ ଭାବି ଲୋକମାନେ ଠେଲା ପେଲା ହୋଇ କିଣିବାରେ ଅଭ୍ୟସ୍ତ । ଏହି ସମୟରେ ପତ୍ନୀଙ୍କ କଥା ଶୁଣି ପ୍ରସନ୍ନ ବାବୁ ବ୍ୟାଗଧରି ପରିବା କିଣିବାକୁ ବାହାରି ପଡିଲେ । ଇସୁନଫୁଲିଆ ଥିବାରୁ ବଡ ଛିଙ୍କଟିଏ ବାହାରି ପଡିଲା ଏବଂ ମାସ୍କ ମୁହଁରୁ ଛିଟିକି ଯାଇ ହାତ ପାପୁଲିରେ ପଡିଲା । ସେଠାରେ ଥିବା ଲୋକଟିଏ ଭିଡ ଭିତରୁ କହିଉଠିଲା – ଓ ବାବୁ ! ଯଦି ଛିଙ୍କିବାର ଥିଲା ମୁହଁରେ ରୁମାଲ ଦେଇ ନହେଲେ କହୁଣୀ ଦେଇକି ଛିଙ୍କୁନ ନହେଲେ ଦୂରକୁ ଯାଇ ଛିଙ୍କି ପରେ ଆସି ପରିବା କିଣିଲେ କଣ ହୁଅନ୍ତାନି ? କେତେଦିନ ଗଲେ ଆଉ ଜାଣିବ ହୋ ? କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବ, ହାତକୁ ପରିଷ୍କାର କରି ଧୋଇବ, ସାନିଟାଇଜର ଲଗାଇବ, ସାମାଜିକ ଦୂରତାରେ ରହିବ ସେସବୁ କଥା କଣ ଜଣାନାହିଁ ଆପଣଙ୍କୁ ? ସବୁ ଶୁଣୁଥିଲେ ପ୍ରସନ୍ନ ବାବୁ କିଛି କହିବେ ନ କହିବେ ଭାବିକି ଗାଳିବର୍ଷା ଆଉ ପୁଲିସ ଭାଇ ଦୁଇଜଣ ଠେଙ୍ଗା ଧରି ତାଙ୍କ ଆଡକୁ ଆସୁଥିବାର ଦେଖି ଚୁପ ରହିଗଲେ ଅଗତ୍ୟା ନିଜ ଆଡୁ ନମସ୍କାରଟେ ପୁଲିସବାବୁଙ୍କୁ ପକାଇ କହିଲେ- ମଣିଷ କି ଡର ଭୟରେ ଦିନ କାଟୁଛି ହୋ । ବାଟରେ ଝାଡା ଫେରିଲେ ଚଳିବ ହେଲେ ଛିଙ୍କ ଆସିଲେ ଛିଙ୍କିବନି । ରାସ୍ତାଘାଟରେ ଛେପଖଙ୍କାର ବି ପକାଇବନାହିଁ । ପରିବା ପାଇଁ ଗୋଟାଏ ବ୍ୟାଗ ଆଉ ଛେପ ଖଙ୍କାର ପକାଇବା ପାଇଁ ଆଉ ଗୋଟାଏ ପଲିଥିନ ବ ଏଣିକିି ସାଙ୍ଗରେ ଆଣିବାକୁ ହେବ । ପୁଲିସବାବୁ କିଛି ନ କହିବାର ଦେଖି ପ୍ରସନ୍ନ ବାବୁ ପୁଣି ଗଲେ ପରିବା କିଣିବାକୁ । ଯାହା ଯୋଡେ ଡର ଭୟରେ କିଣିଦେଇ ଘରକୁ ଫେରିବେ ଭାବିଲାବେଳକୁ କୁଆଡେ ଥିଲା କେଜାଣି ଆଉ ଗୋଟିଏ ଛିଙ୍କ । ଯେତେ ଅଟକାଇବାକୁ ଚାହିଁଲେ ବି ରୋକି ହେଲାନି । ଏଥର ବାଜିଗଲା ପୁଲିସର ଠେଙ୍ଗୁଣି ଆଉ କେତେଟା ଛିଙ୍କ ହେଲେ ଆପଣ ଘରକୁ ନଯାଇ ବାହାରେ ରହିବେ କହିଲେ ? ଘରେ ଅଲଗା ରହୁଛନ୍ତି ନା ନାହିଁ? ସର୍ଦ୍ଦି, କାଶ, ଛିଙ୍କ ହେଉଛି ଯଦି ଆରଟିପିସିଆର କରୋନା ଟେଷ୍ଟ କରାଇଦିଅନ୍ତୁ ରିପୋର୍ଟ ପଜିଟିଭ ଆସିଲେ ସଙ୍ଗରୋଧରେ ରୁହନ୍ତୁ । ଯଦି ନେଗେଟିଭ ଆସେ ତେବେ କରୋନା ଇଂଜେକ୍ସନ୍ ସରକାରଙ୍କ ତରଫରୁ ମେଡିକାଲରେ ଉପଲବ୍ଧ । ଅଯଥା ଭିଡରୁ ମୁକୁଳିବା ପାଇଁ ରେଜିଷ୍ଟ୍ରେସନ କରି ସ୍ଲଟ ମିଳିଲା ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ନେଇଯାଆନ୍ତୁ । ଆପଣ ସୁସ୍ଥ ରୁହନ୍ତୁ ଏବଂ ଆଖପାଖର ଲୋକମାନଙ୍କୁ ସୁସ୍ଥ ରହିବାରେ ସହାୟକ ହୁଅନ୍ତୁ । ହଉ ଆଜ୍ଞା କହି ପ୍ରସନ୍ନ ବାବୁ ପରିବା ଗଣ୍ଡାକ ଧରି ଘରକୁ ଫେରିଲେ ।
ସୁମତି ସୁମତି କହି ଦୂଆର ମୁହଁରୁ ଡାକ ଛାଡିଲେ ଯେମିତି ପାଖଘରେ ନିଆଁ ଲାଗିଯାଇଛି । ହେଲେ ସୁମତିର ଦର୍ଶନ ନାହିଁ । କଲିଂବେଲ ଟିପିଲେ ସୁମତି ବାହାରକୁ ଆସିଲେ । ସେଇଠି ଛିଡାହୁଅ କହିକି ପାଣି ବାଲଟିଏ ଢାଳିଦେଲେ ମୁଣ୍ଡରେ । ଗୋଡ ହାତକୁ ଭଲ ଭାବରେ ଧୋଇ ସାନିଟାଇଜର ହାତରେ ଲଗାଅ । ମୋବାଇଲକୁ ପୋଛି ଘରକୁ ଆସ । ଭିତରକୁ ଗଲେ ଆଉ ହଳେ ଲୁଙ୍ଗି ଗଞ୍ଜି ଆଣିବାକୁ ।ା ପ୍ରସନ୍ନବାବୁ ପୋଛା ପୋଛି ହୋଇ ଘରେ ପଶିଲାବେଳକୁ ପତ୍ନୀ ସୁମତି ଦେହରେ ବାଜିଗଲା କହୁଣୀଟା । ରାଗରେ ଗରଗର ହୋଇ ପତ୍ନୀ କହିଲେ – ତୁମକୁ ଦିଶୁନି ନା କଣ ବା ? ସରକାର ପରା କହିଛନ୍ତି ସାମାଜିକ ଦୂରତାରେ ରହିବାକୁ ଆଉ ତୁମେ ବାହାରୁ ଆସି ଘଷି ହୋଇ କଣ ଯାଉଛ ବା ? ଘର ଭିତରେ ପଶୁ ପଶୁ ପୁଣି ଗୋଟାଏ ବଡ ଛିଙ୍କ ହେବାର ଦେଖି ସୁମତି ବୋବାଳି ଛାଡିଲେ- ହେ ମା ମଙ୍ଗଳା ଲୋ ! ବାଡି ଠାକୁରାଣୀ ଲୋ ! ମୋ ଘରେ ସେ ଛତରଖାଇ କରୋନା ନପଶୁ । ଧାଇଁଯାଇ ଘର ସାମନାରେ ଥିବା ସ୍ୱାସ୍ଥ୍ୟକର୍ମୀ ଦିଦିଙ୍କୁ ଡାକି ପଚାରିଲେ ସୁମତି – ଦିଦି ! ୍େରୟ କଣ ଛିଙ୍କିଲେଣି ? ୟାଙ୍କର ଆଉ କରୋନା ହେଲା କି ? ସ୍ୱାସ୍ଥ୍ୟକର୍ମୀ ଦିଦି କହିଲେ – ନାଇମ ମାଉସୀ ଆପଣ ଏତେ ବ୍ୟସ୍ତ କାହିଁକି ହୋଇ ପଡୁଛନ୍ତି କହିଲେ ? ସାମାନ୍ୟ କାଶ ଛିଙ୍କ କାହାକୁ ହେଲେ କରୋନା ହୁଏନି । କରୋନା ହେଲେ ଜ୍ୱର, କାଶ, ଥଣ୍ଡା ଲାଗିବା , ମାଂସପେଶୀ ପୀଡା, ମୁଣ୍ଡବିନ୍ଧା, ଗଳାଦରଜ, ସ୍ୱାଦ ଓ ଆଘ୍ରାଣ ଶକ୍ତି ହ୍ରାସ, ନାକ ଜାମ, ନାକରୁ ପାଣି ବାହାରିବା, ତରଳ ଝାଡା ହେବା, ବାନ୍ତି , ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ପ୍ରଭୃତି ଲକ୍ଷଣ ମାନ ପ୍ରକାଶ ପାଇଲେ କରୋନା ଟେଷ୍ଟ କରାଯାଏ । ପରିବାର ଠାରୁ ସଙ୍ଗରୋଧରେ ରହି ସମୟ କାଟିବାକୁ ହୁଏ । ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଔଷଧ ଖାଇବାକୁ ହୁଏ । ଯଦି ଏସବୁରେ ନ କମେ ତାହେଲେ ହସ୍ପିଟାଲକୁ ଯିବାକୁ ହୁଏ । ମାମୁଲି କାଶ ଛିଙ୍କକୁ ଏତେ ଭୟ କାହିଁକି କରୁଛନ୍ତି ଆପଣ ? ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ହାତକୁ ବାରମ୍ବାର ସାବୁନରେ ଧୋଇ , ସାମାଜିକ ଦୂରତା ରକ୍ଷା କରନ୍ତୁ । ଆଗରୁ ସଚେତନତା, ସଂଯମତା ରଖି ମାସ୍କ ପିନ୍ଧୁଥିଲେ,ହାତ ଧୋଉଥିଲେ, କୋଭିଡ ନିୟମ ପାଳି ଚଳୁଥିଲେ ବୋଲି କିଛିଦିନ କରୋନା ପ୍ରକୋପରୁ ରକ୍ଷା ପାଇ ଯାଇଥିଲେ । କୋଭିଡ ନିୟମ ପାଳନ କରିବାରେ ଅବହେଳା କରିବାରୁ ଏବେ ଦ୍ୱିତୀୟ ଲହର ଖୁବ ଦ୍ରୁତ ଗତିରେ ଆମ ମାନଙ୍କୁ ସଂକ୍ରମିତ କରିଲାଣି । ଫଳରେ ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସାଜିଛି ଅତି ଭୟଙ୍କର । ପ୍ରତିଦିନ ଅକ୍ସିଜେନ ଅଭାବରେ ଅନେକ କରୋନା ରୋଗୀ ପ୍ରାଣ ହରାଉଛନ୍ତି । ସମ୍ପର୍କୀୟ ମାନେ ରୋଗୀର ପାଖ ମାଡୁନାହାଁନ୍ତି । ଶବକୁ ଛାଡି ପଳାଉଛନ୍ତି । ମେଡିକାଲରେ ବେଡ ମିଳୁନାହିଁ । ଏସବୁ ପ୍ରତିଦିନ ଖବରକାଗଜରୁ ପଢି ମଧ୍ୟ ଲୋକମାନେ ସଚେତନ ହେଉନାହାଁନ୍ତି । ଭୟରେ ଟୀକାକେନ୍ଦ୍ରକୁ ଯାଇ ଟୀକା ନେବାକୁ ମଧ୍ୟ ଡରୁଛନ୍ତି । ତାହାର ପରିଣାମ ସ୍ୱରୂପ କରୋନାର ଦ୍ୱିତୀୟ ଲହର ଆମମାନଙ୍କୁ ବ୍ୟସ୍ତ ବିବ୍ରତ କରି ରଖିଛି । ପୁଣିଥରେ ଲକଡାଉନ ସଟଡାଉନକୁ ସାମନା କରିବାକୁ ପଡୁଛି । ତେଣୁ ଏହିସବୁ କଥା ମନେରଖି ଜୀବନର ମୂଲ୍ୟକୁ ବୁଝିପାରିଲେ ଆମେ ନିଶ୍ଚୟ କରୋନାକୁ ପ୍ରତିହତ କରିପାରିବା ।
ଅତି ଆବଶ୍ୟକ ନହେଲେ ଘରୁ ପଦାକୁ ବାହାରନ୍ତୁ ନାହିଁ । ବଜାରକୁ ଗଲେ ଭିଡ ଜାଗାକୁ ଯାଆନ୍ତୁନାହିଁ । ଗୋଟାଏ ମିଟର ଦୂରତାରେ ରହି ଜିନିଷପତ୍ର କିଣନ୍ତୁ । ଏବେ ତ କରୋନା ଇଂଜେକ୍ସନ ବାହାରିଗଲାଣି କୋଭାକ୍ସିନ, କୋଭିିସିଲ୍ଡ ଆହୁରି ଅନ୍ୟାନ୍ୟ ଔଷଧ ଯାହା ସରକାରୀ ଓ ବେସରକାରୀ ହସପିଟାଲରେ ମାଗଣାରେ ରୋଗୀମାନଙ୍କୁ ଦିଆଯାଉଛି । ତାର ପ୍ରଥମ ଡୋଜ ନେଲାପରେ ଡାକ୍ତରଙ୍କ ପରାମର୍ଶ ନେଇ କିଛିଦିନ ବ୍ୟବଧାନ ପରେ ଦ୍ୱିତୀୟ ଡୋଜ ନେଇ ସୁସ୍ଥରେ ରୁହନ୍ତୁ । ଅନ୍ୟମାନଙ୍କୁ ସୁସ୍ଥରେ ରହିବା ପାଇଁ କୁହନ୍ତୁ । ଘରେ ରହି ଯୋଗ ପ୍ରଣାୟାମ କରି ସୁଷମ ଖାଦ୍ୟ ଖାଇ ରୋଗ ପ୍ରତିରୋଧକ ଶକ୍ତିକୁ ବଢାନ୍ତୁ । ଏତିକି କରିବା ଦ୍ୱାରା ଆମେ କରୋନାକୁ ମୁକାବିଲା କରିପାରିବା । କରୋନା ଯୋଦ୍ଧା ମାନଙ୍କୁ ସମର୍ଥନ କରିପାରିବା । ଦେଶକୁ ଏ ମହାମାରୀରୁ ରକ୍ଷା କରିପାରିବା ।
ସ୍ୱାସ୍ଥ୍ୟକର୍ମୀ ଦିଦିଙ୍କ ଠାରୁ ଏସବୁ କଥା ଶୁଣିଦେଇ ସୁମତି ଟିକିଏ ଆଶ୍ୱସ୍ତ ହେଲେ । ପାଣି ବୋତଲରୁ ଦୁଇଚାରି ଢୋକ ପାଣି ପିଇଦେଇ ସୋଫାରେ ବସିପଡିଲେ । ଘର ଭିତରୁ ପ୍ରସନ୍ନ ବାବୁ ବାହାରକୁ ଆସି କହିଲେ -ଏଥର ବୁଝିଲ ତ ସୁମତି । କରୋନାସହ ଲଢିବାକୁ ହେଲେ ସତର୍କତା, ସଂଯମତା ଅବଲମ୍ବନ କରିବାକୁ ହେବ । ଏଥିରୁ ମୁକୁଳିବାକୁ ହେଲେ ଘରେ ରୁହ, ସୁରକ୍ଷିତ ହୁହ, ସାମାଜିକ ଦୂରତାରେ ରୁହ, ବାରମ୍ବାର ହାତ ଧୁଅ । ତେବେ ଯାଇ ଆମେ କରୋନାକୁ ଜିତିପାରିବା । ସୁମତି କହିଲେ- ହଁ ଲୋ ମା ଏଥର ବୁଝିଲି ସବୁକଥା । ଆମେ ଘରେ ରହି ସୁସ୍ଥ ରହିବା , କୋଭିଡ ନିୟମ ପାଳିବା କରିବାପାଇଁ ସଂକଳ୍ପବଦ୍ଧ ହେବା , ଆମ ପରିବାର ଓ ଦେଶକୁ ଏ ମହାମାରୀ କବଳରୁ ମୁକ୍ତ କରିବା । ସରକାରଙ୍କ ଟୀକା କରଣ ନୀତିକୁ ଆପଣେଇବା ତେବେ ଯାଇ ସୁସ୍ଥରେ ରହିପାରିବା ।

Leave a Reply

Your email address will not be published. Required fields are marked *