ମୁକ୍ତିର ଆନନ୍ଦ
ବୋଉ ରଖିଥିଲା ପଞ୍ଜୁରୀ ଭିତରେ
ଦୁଇଗୋଟି ଶୁଆଶାରୀ
ନିଇତି ସକାଳୁ ଶାରୀର କଣ୍ଠରୁ
ଶୁଭୁଥିଲା ହରିହରି ।। (୧)
ସରାଗରେ ମୁନି ଖାଇବାକୁ ଦିଏ
ପିଜୁଳି ଓ ନାନା ଫଳ
କ୍ଷୀର ଭାତ ସଙ୍ଗେ ପିଠାପଣା ଦିଏ
ଶୁଆଶାରୀ କୁ ତାହାର।। (୨)
ପ୍ରତିଦିନ ବୋଉ ଶୁଆଶାରୀ ପାଶେ
ରାମ ହରି ନାମ ଗାଏ
ପକ୍ଷୀ ହେଲେ ମଧ୍ୟ ତା ମିଠା କଥାକୁ
ଶୁଆଶାରୀ ଶୁଣୁଥାଏ।। (୩)
ପାଠ ପଢ଼ା ବେଳେ ଗୁରୁଜୀ କହିଲେ
ମୁକ୍ତିର ଆନନ୍ଦ ସୁଖ
ସେହିଦିନ ଠାରୁ ଭାବୁଥିଲା ମୁନି
ଶୁଆଶାରୀଙ୍କର ଦୁଃଖ।। (୪)
ନ ଦେଖନ୍ତି ସିଏ ଆତ୍ମୀୟ ସ୍ୱଜନ
ଗଛ ତରୁଲତା ଡାଳ
ଡେଣା ଝାଡ଼ି ସୁଖେ ନ ଉଡ଼ନ୍ତି ସିଏ
ନ ପାଆନ୍ତି ମିଠା ଫଳ।। (୫)
ଜହ୍ନମାମୁଁ ମୁଖ ନ ଦେଖନ୍ତି କେବେ
ପଞ୍ଜୁରୀ ମଧ୍ୟରେ ଥାଇ
ଘର କ୍ଷୀର ଭାତ ଫଳ ପିଠାପଣା
(ତାଙ୍କ) ଦୁଃଖ କି ପାରିବ ଫେଇ ।। (୬)
ଏ କଥା ବିଚାରି ଦିନକର ମୁନି
ସକାଳୁ ସଅଳ ଉଠି
ଶୁଆଶାରୀ ମୁକ୍ତ କରିବା ପାଇଁକି
ଖୋଲିଲା ପିଞ୍ଜରା କାଠି।। (୭)
ମନ ଆନନ୍ଦରେ ଉଡ଼ିଗଲେ ଦୁହେଁ
ନୀଳ ଗଗନ ର ତଳେ
ମୁକ୍ତିର ଜୀବନ ସତେ କି ଆନନ୍ଦ
ଟିକି ମନେ ମୁନି ଭାଳେ ।। (୮)
( ସନ୍ଧ୍ୟାରାଣୀ ହୋତା )
( ଡାବୁଗାଁ, ନବରଙ୍ଗପୁର )
( ଫୋନ୍_୯୧୭୮୭୩୨୦୨୨ )
