ପାଠ ପଢ଼ାରେ ବାଧକ ସାଜିଛି ଜାତିଗତ ପ୍ରମାଣ ପତ୍ର: ବାପା, ମାଆ ଥାଇବି ପ୍ରିନ୍ସ ଅନାଥ
ବଡ଼ବିଲ,(ଧରଣୀଧର ମହାନ୍ତ): ପାଠ ପଢ଼ାରେ ବାଧକ ସାଜିଛି, ଜାତିଗତ ପ୍ରମାଣ ପତ୍ର। ବାପା, ମାଆ ଥାଇବି ଅନାଥ ସାଜିଛି ପ୍ରିନ୍ସ ନାୟକ। ଯୋଡ଼ା ବ୍ଲକ, ଭୂୟାଁରୋଇଡ଼ା ପଚାୟତ, ଭୂୟାଁରୋଇଡ଼ା ଗ୍ରାମର ପରମା ମହାକୁଡ଼ ଓ ପାର୍ବତୀ ମହାକୁଡ଼ଙ୍କ ଝିଅ ସୁଷମା ମହାକୁଡ଼, ଗତ ୨୦୧୨ ମସିହାରେ ଭଲପାଇ, ତେଲକୋଇ ଥାନା, ସୋମାକୁଦ ଗ୍ରାମର ଚିନ୍ମୟ ନାୟକଙ୍କୁ ବିବାହାକରିଥିଲେ। ସୁଷମାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିବାହାପରେ ଯୌତୁକ ପାଇଁ ସୁଷମାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ ଚିନ୍ମୟଙ୍କ ପରିବାର। ଇତି ମଧ୍ୟରେ ସୁଷମାଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁତ୍ର ପ୍ରିନ୍ସକୁ ୭ ମାସ ହୋଇଥିବାବେଳେ, ଉଭୟ ଚିନ୍ମୟ ଓ ସୁଷମାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ, ଉଭୟ ଉଭୟଙ୍କୁ ଛାଡ଼ି ଅଲଗା ରହିଥିଲେ। ସୁଷମା ପୁତ୍ର ଚିନ୍ମୟକୁ ନିଜ ବାପା ଘରେ , ଭୂୟାଁରୋଇଡ଼ା ରେ ଛାଡି ଅନ୍ୟ ଜଣେ ପୁରୁଷ ସହ ବିବାହାକରି ଅନ୍ୟତ୍ର ରାହୁଥିବାବେଳେ, ଚିନ୍ମୟ ମଧ୍ୟ ଅନ୍ୟ ଜଣକୁ ବିବାହ କରି ତା ନିଜ ଗାଁ ସୋମାକୁଦ ଗ୍ରାମରେ ରହୁଅଛି। ପ୍ରିନ୍ସ ତାର ଅଜା ପରମା ମହାକୁଡ଼ ଓ ଆଈ ପାର୍ବତୀ ମହାକୁଡ଼ଙ୍କ ପାଖରେ ରହି ଭୂୟାଁରୋଇଡ଼ା ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରିବାପରେ ଏବେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରିବାକୁ ଥିବାବେଳେ, ବାଧକ ସାଜିଛି ତାର ଜାତିଗତ ପ୍ରମାଣପତ୍ର। ଆର୍ଥିକ ସଙ୍କଟ ଯୋଗୁ ଅଜା, ଆଈ ପ୍ରିନ୍ସକୁ ପଠା ପଢ଼ାଇବାକୁ ଅସମର୍ଥ ଥିବାରୁ, ପ୍ରିନ୍ସର ଜାତିଗତ ପ୍ରମାଣ ପତ୍ର ମିଳିପାରିଲେ ତାର ପାଠ ପଢ଼ାରେ ସହଜ ହେବା ଆଶାରେ ଅନେକ ଥର ବଡ଼ବିଲ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେହେଁ ନିରାଶ ହେବାକୁ ପଡୁଥିବା ଦେଖିବାକୁ ମିଳୁଛି। ପ୍ରିନ୍ସର ବାପାଙ୍କ ଆଧାର କିମ୍ବା ଅନ୍ୟ କୌଣସି (ଜାତିଗତ ପ୍ରମାଣ ପତ୍ର) କାଗଜପତ୍ର ନଥିବାରୁ ତାକୁ ତାର ଜାତିଗତ ପ୍ରମାଣ ପତ୍ର ମିଳିପାରୁନାହିଁ।ଏନେଇ ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲଙ୍କ ସହ ଯୋଗାଯୋଗ କରାଯାଇଥିଲେହେଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ବାପା, ମାଆ ଥାଇବି ଅନାଥ ସାଜିଥିବା ପ୍ରିନ୍ସ ର ପାଠପଢା ନେଇ ଚିନ୍ତାରେ ଅଜା ଆଈ ରହିଥିବା ବେଳେ , ପ୍ରଶାସନର ସହଯୋଗ ଅପେକ୍ଷାରେ ଅଛନ୍ତି ପ୍ରିନ୍ସର ଅଜା, ଆଈ।
