ନାରୀ ଯୌନନିର୍ଯାତନାକାରୀଙ୍କୁ ଫାଶୀ ଦିଆଯାଉ : କୁସ୍ତିଯୋଦ୍ଧା ଆନ୍ଦୋଳନ ସ୍ଥାନରେ ପହଞ୍ଚି କହିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନ ସ୍ଥାନରେ ପହଞ୍ଚିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆନ୍ଦୋଳନ ସ୍ଥାନର ବିଦ୍ୟୁତ ଓ ପାଣି ସଂଯୋଗ କାଟିବା ଉଚିତ ନୁହେଁ । କେନ୍ଦ୍ର ସରକାର ବ୍ରଜଭୂଷଣଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିବା ସହ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଲୋକମାନଙ୍କୁ ଫାଶୀ ଖୁଣ୍ଟରେ ଚଢାଇବା ଉଚିତ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ଏହି ଅଭିଯୋଗର ତଦନ୍ତ ପାଇଁ ଗଠିତ କମିଟି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ। କମିଟିର ରିପୋର୍ଟ ଶନିବାରଦିନ ଦିଲ୍ଲୀ ପୁଲିସକୁ ପ୍ରଦାନ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ଡବ୍ଲ୍ୟୁଏଫଆଇ ସଭାପତିଙ୍କ ବିରୋଧରେ ଦାଖଲ କରିଥିବା ଏଫଆଇଆରରେ କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଥିଲେ ଯେ ଡବ୍ଲୁଏଫଆଇ ମୁଖ୍ୟ କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ ପ୍ରତିଯୋଗିତା ସମୟରେ ମଧ୍ୟ ସେମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ।
ଅନ୍ୟପକ୍ଷରେ ଖୁବଶୀଘ୍ର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଶନିବାର ଦିନ ଦିଲ୍ଲୀ ପୁଲିସ କହିଛି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଦୁଇଟି ଏଫ୍ଆଇଆର୍ ରୁଜୁ କରିଛି। ତେବେ ପୋକ୍ସୋ ଅଧୀନରେ ରୁଜୁ ହୋଇଥିବା ଏଫଆଇଆରର ନକଲ କୁସ୍ତିଯୋଦ୍ଧାଙ୍କୁ ଦିଆଯାଇନାହିଁ, ଏହା କେବଳ ପୀଡ଼ିତାଙ୍କ ପରିବାରକୁ ଦିଆଯିବ। ଦିଲ୍ଲୀ ପୁଲିସ ଆଇପିସିର ଧାରା ୩୫୪, ୩୫୪ (ଏ), ୩୫୪ (ଡି) ଏବଂ ୩୪ ଅନୁଯାୟୀ ଏକ ଏଫଆଇଆର ରୁଜୁ କରିଛି। ସୂଚନାଯୋଗ୍ୟ ଯେ, ଏହି ମାମଲାରେ ଜଣେ ନାବାଳକଙ୍କ ସମେତ ସମୁଦାୟ ୭ ଜଣ କୁସ୍ତିଯୋଦ୍ଧା ଡବ୍ଲ୍ୟୁଏଫଆଇ ମୁଖ୍ୟଙ୍କ ବିରୋଧରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ।
