ଦାରୁବ୍ରହ୍ମ ଜଗନ୍ନାଥ
ରଞ୍ଜନ କୁମାର ଦାସ
*******************
ରେ ଆତ୍ମନ୍ !
ଶୂନ୍ୟେ ଶୂନ୍ୟେ ପାରି କର୍ଣ୍ଣ
କର କର ତୁ ଶ୍ରବଣ,
ଅଖିଳ ବ୍ରହ୍ମାଣ୍ଡ ଭେଦି
ଶୁଭେ ମିଶି ନିଶୀ ଦିନ।
ଓଁକାର ଶବଦେ ଜାଣ, କମ୍ପୁଛି ଗଗନ।
ରେ ଆତ୍ମନ୍…..
ଓଁକାର ଶବଦେ ଜାଣ, କମ୍ପୁଛି ଗଗନ।(୦)
ଅ, ଅଜଃ, ଅନନ୍ତ ବୀର୍ଜ୍ୟ
ଅଯୋନୀସମ୍ଭୂତ ସେତ,
ଅନାଦି ଅରୂପ ରୂପ
କଳାକାର ଜଗନ୍ନାଥ।
କୋଟିଏ ବିଶ୍ବର ପ୍ରାଣ, ଗୋଟିଏ ଜୀବନ।
ରେ ଆତ୍ମନ୍…..(୧)
ସ୍ଵୟଂ ସୃଷ୍ଟି ସ୍ଵୟଂ ସ୍ରଷ୍ଟା
ଅବତାରୀ ସ୍ଵୟଂ ସିଦ୍ଧ,
ନ ବିଲୟଃ, ନ ଚ କ୍ଷୟଃ
ପରାର୍ଦ୍ଧ ପରାର୍ଦ୍ଧ ଅବ୍ଦ।
ଅପଲକେ ସବୁ ଦେଖେ, ଗୋଲୋକ ନୟନ।
ରେ ଆତ୍ମନ୍…..(୨)
ଏକ ବ୍ରହ୍ମ ଦ୍ଵୟେ ନାସ୍ତି
ଛପନ ବ୍ରହ୍ମାଣ୍ଡ ଭେଦ,
ଏକାକ୍ଷରେ ଚାରି ବେଦ
ବ୍ରହ୍ମରୁ ଶୁଭୁଛି ନାଦ।
ନାଦରୁ ଶବଦ ବାଦ୍ୟ, ବିନ୍ଦୁରୁ ଜୀବନ।
ରେ ଆତ୍ମନ୍…..(୩)
କ୍ଷିତି ଅପ ତେଜ ବ୍ୟମ
ମରୁତର ପଞ୍ଚଭୂତ,
ମହାଶୂନ୍ୟ ମଣ୍ଡଳରୁ
କୋଟି ସୃଷ୍ଟି ଗୁଢ଼ ତତ୍ତ୍ୱ।
କୋଟି କୋଟି ଛାୟାପଥ, ନରେ ଅଗଣନ।
ରେ ଆତ୍ମନ୍…..(୪)
ମହୋଦଧି ସାଗରରେ
ମହାଦାରୁ ଭାସମାନ,
ଦାରୁ ମଧ୍ୟେ ବ୍ରହ୍ମ ସତ୍ତା
ଦିବ୍ୟଜ୍ୟୋତି ଦାରୁବ୍ରହ୍ମ।
ଯାବତ୍ ଚନ୍ଦ୍ର ସୂର୍ଯ୍ୟ ସ୍ଥିତି, ତାବତ ପ୍ରମାଣ।
ରେ ଆତ୍ମନ୍…..(୫)
ଇଦଂ ତସ୍ୟ ଦାରୁବ୍ରହ୍ମ
ଜଗନ୍ନାଥ ପରଂବ୍ରହ୍ମ,
ବ୍ରହ୍ମରୁ ସ୍ଵତଃ ଉତ୍ପନ୍ନ,
କ୍ଷେତ୍ରେ ଶ୍ରୀକ୍ଷେତ୍ର ମହାନ।
ପୁରୁଷ ଉତ୍ତମ ଧାମ, ଶ୍ରେଷ୍ଠ ତ୍ରିଭୂବନ।
ରେ ଆତ୍ମନ୍…..(୬)
ବାରମାସେ ତେରଯାତ
ଶ୍ରୀମନ୍ଦିରେ ଭକ୍ତ ଭିଡ଼,
ଭକ୍ତ ହିତେ ସ୍ଵୟଂ ପୁନଃ
ନନ୍ଦିଘୋଷେ ରଥାରୂଢ଼।
ଦର୍ଶନେ ପାତକ ନାଶେ, ପତିତପାବନ।
ରେ ଆତ୍ମନ୍…..
ଓଁକାର ଶବଦେ ଜାଣ, କମ୍ପୁଛି ଗଗନ।(ଶେଷ)
ଜୟ ଜଗନ୍ନାଥ !
