111

ଫଜଲ ହକ ଖାଁ

ସତ୍ୟ ଯୁଗରେ ନୃସିଂହ ଅବତାର ଆସିଥିଲେ । ପାପି ହିରଣ୍ୟକଷପକୁ ବଧ କରି ଅବତାରତ୍ୱର ସମ୍ମାନ ଓ ମର୍ଯ୍ୟାଦା ସ୍ଥାପିତ କରିଥିଲେ । ତ୍ରେତୟା ଯୁଗରେ ରାମଚନ୍ଦ୍ର ଅବତାରତ୍ୱର ବେଷରେ ଆସିଥିଲେ । ପାପି ରାବଣର ଲଙ୍କାକୁ ଧ୍ୱଂସକରି ରାବଣକୁ ନିପାତ କଲେ । ଏବଂ ଅଧର୍ମକୁ ବିନାଶ କରି ଧର୍ମକୁ ପ୍ରତିଷ୍ଠା କଲେ । ସେହିଭଳି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅବତାର ରୂପରେ ଆସି ପାପି କଂସର ଅନ୍ୟାୟ ଓ ଅତ୍ୟାଚାରକୁ ଦମନ କରି “ବିନାଶାୟଃ ଚ ଦୁଷ୍କୃତାଂ’’ର ନିଦର୍ଶନ ଦେଖାଇଲେ । ଏଇଭଳି ସବୁ କାଳରେ, ସବୁ ସମୟରେ ଏବଂ ସବୁ ସମ୍ପ୍ରଦାୟରେ ଅବତାରବାଦୀ ମହାପୁରୁଷମାନେ ଆସି ସତ୍ୟଧର୍ମର ଜୟଗାନ କରିଥାନ୍ତି ।
ଧ୍ୱଂସ, ନିପାତ ଏବଂ ବିନାଶ ପରିସ୍ଥିତି ଆସିବା ପୂର୍ବରୁ ବହୁବାର ସେହି ଅତ୍ୟାଚାରୀ, ବ୍ୟଭିଚାରୀ, ଥଟ୍ଟା ପରିହାସକାରୀମାନଙ୍କୁ ସତର୍କ ସୂଚନା ଦିଆ ଯାଇଥାଏ ଏବଂ ଆବଶ୍ୟକ ସ୍ଥଳେ ସେହି ଅମାନ୍ୟ ଗୋଷ୍ଠୀଙ୍କୁ ମଧ୍ୟ ଶାସ୍ତି ଦିଆ ଯାଇଥାଏ । କିନ୍ତୁ ଅନେକ କ୍ଷେତ୍ରରେ ଅନୁତାପକାରୀମାନଙ୍କୁ କ୍ଷମା କରି ଦିଆ ଯାଇଥାଏ । ଏହିଭଳି କେତେକ ଶାସ୍ତିର ବର୍ଣ୍ଣନା ଐଶୀପୁସ୍ତକ ପବିତ୍ର କୁରଆନ ଏବଂ ପବିତ୍ର ବାଇବେଲରେ ମଧ୍ୟ ଲିପିବଦ୍ଧ ଅଛି । ଆଜିର ସମୟରେ ପୃଥିôବୀ ପୃଷ୍ଠରେ ଭିନ୍ନ ଭିନ୍ନ ରକମର ରୋଗବ୍ୟାଧି ଓ ବିତ୍ପାପ୍ତ ଦେଖିବାକୁ ମିଳୁଛି । ଏହା ମଧ୍ୟରୁ କେତେକ ବିଷୟରେ ଲୋକମାନେ ଆଗରୁ ଅବଗତ ଓ ପରିଚିତ ଥାନ୍ତି ତ ଆଉ କେତେକ ବିଷୟ ଅଚିହ୍ନା ମାତ୍ର । ଯାହାର ସଂକ୍ରମଣରେ ବା ଯାହାର କାୟାବିସ୍ତାରରେ ହଜାର ହଜାର ସଂଖ୍ୟାରେ ଲୋକମାନେ ପ୍ରାଣ ହରାଇ ଥାନ୍ତି । ଏହିଭଳି ଏବେ ବିଶ୍ୱରେ କରୋନାର ତାଣ୍ଡବ ଶେଷ ହୋଇ ନାହିଁ କି ଆଉ ଏକ ଫସଲ ନଷ୍ଟକାରୀ ପଙ୍ଗପାଳର ଭୟ ଲୋକମାନଙ୍କୁ ଘାରିଛି । ଏମାନେ ଦେଶର ଅନେକ ରାଜ୍ୟର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ ଲାଗିଛନ୍ତି । ଏହି ପଙ୍ଗପାଳ ଗୋଷ୍ଠୀଙ୍କ ସାମ୍ନାରେ ଆସୁଥିବା ପ୍ରତ୍ୟେକ ଜିନିଷକୁ ସେମାନେ ନଷ୍ଟ କରି ଦେଉଥିବା କାରଣରୁ ହଜାର ହଜାର ଚାଷୀଙ୍କ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମି ସେମାନଙ୍କ କବଜାକୁ ଆସି କ୍ଷତିଗ୍ରସ୍ତ ହେଉଛି ।
ଏହି ପଙ୍ଗପାଳ ଗୋଷ୍ଠୀଙ୍କର ବଂଶ ବିସ୍ତାର କରିବାର କ୍ଷମତା ଢେର ଅଧିକ । ପ୍ରତ୍ୟେକ ବର୍ଗ କଲୋମିଟରରେ ଏକାସାଥିରେ ପ୍ରାୟ ୧୫୦ମିଲିୟନ ପଙ୍ଗପାଳ ଦଳ ଦଳ ହୋଇ ଯାଇଥାନ୍ତି । ଉଚ୍ଚ ତାପମାନ ଯୁକ୍ତ ଅଂଚଳ ସେମାନଙ୍କୁ ବେଶି ସୁହାଇ ଥାଏ । ସେମାନେ ଏହିପରି ଅଂଚଳରେ ଚାଷ ଜମିଗୁଡ଼ିକର ବିଶେଷ କ୍ଷତି ଘଟାଇ ପାରନ୍ତି । ଏହି ପଙ୍ଗପାଳମାନେ ଗୋଟିଏ ଦିନରେ ୩୫ ହଜାର ଲୋକଙ୍କର ଖାଦ୍ୟଶସ୍ୟ ଖାଇ ପାରନ୍ତି । ସେମାନେ ସବୁଜ ପନିପରିବାରୁ ନେଇ ଶସ୍ୟ, ଦାନା ଓ ଖିର ଜାତୀୟ ଖାଦ୍ୟକୁ ଖାଇ ଦିଅନ୍ତି । ଗତ ଫେବୃଆରୀ ମାସରେ ଆଫ୍ରିକାର ଇଥୋପିଆ, କେନିଆ ଓ ସୋମାଲିଆର ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିକୁ ପଙ୍ଗପାଳମାନେ ନଷ୍ଟ କରିଛନ୍ତି । ଇଥୋପିଆ ଓ ସୋମାଲିଆରେ ଦୀର୍ଘ ୨୫ ବର୍ଷ ପରେ ଏପରି ଦୁର୍ଦ୍ଦିନ ଦେଖିବାକୁ ମିଳିଥିଲା । ଏହା କେନିଆରେ ପ୍ରାୟ ୭୦ବର୍ଷ ପରେ ଏପରି ଦେଖିବାକୁ ମିଳିଛି ।
୧୯୬୦, ୧୯୭୮,୧୯୯୩ ଓ ୧୯୯୮ ମସିହାରେ ପଙ୍ଗପାଳ ଦଳ ଭାରତରେ ବହୁତ କ୍ଷତି କରିଥିଲେ । ଆମ ଓଡ଼ିଶାରେ ୧୯୬୦ ମସିହାରେ ପଙ୍ଗପାଳ ଦଳ ପାରଳାଖେମଣ୍ଡି ମାର୍ଗ ଦେଇ ଗଞ୍ଜାମର ବିଭିନ୍ନ ଅଂଚଳ, ମଧ୍ୟପ୍ରଦେଶ ବସ୍ତର ଦିଗରୁ କୋରାପୁଟର ବିଭିନ୍ନ ଅଂଚଳକୁ ପଶି ଆସି ବହୁତ କ୍ଷୟକ୍ଷତି ଘଟାଇ ଥିଲେ । ପରେ ଏମାନେ ଫୁଳବାଣୀ, ନୟାଗଡ଼, ଖୋର୍ଦ୍ଧା, ବାଣପୁର, ବ୍ରହ୍ମଗିରି, ପିପିଲି, ପୁରୀ, ଖଲିକୋଟ, ଯାଜପୁର, କଟକ, ଆଠଗଡ଼ ଆଦି ଅଂଚଳରେ ପ୍ରଭାବ ପକାଇଥିଲେ ।
ପଙ୍ଗପାଳକୁ ସଂପୂର୍ଣ୍ଣ ଦମନ କରିହେବ ନାହିଁ । କିନ୍ତୁ ଉପଚାର ମାଧ୍ୟମରେ ବଜାରରେ ମିଳୁଥିବା ୩୦୦ ପିପିଏମର ନିମ୍ବ ଔଷଧ ସିଂଚନ କରିବା, ଟିଣ ବା ଶବ୍ଦଧ୍ୱନି କରି ଘଉଡ଼ାଇ ପାରିବା । ପଙ୍ଗପାଳ ଏବେ ଆମ ଦେଶ ଭାରତରେ ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ହରିଆଣା ଏବଂ ଛତିଶଗଡ଼ ଆଦି ରାଜ୍ୟରେ ଅନେକ ଫସଲ ନଷ୍ଟ କରି ସାରିଲେଣି । ଏବେ ଏମାନେ ଓଡ଼ିଶା ମୁହାଁ ହେବାର ସୂଚନା ମିଳୁଛି । ବିପଦ ଆସିବା ପୂର୍ବରୁ ଆମ ରାଜ୍ୟ ସରକାରଙ୍କୁ ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ନେବା ଉଚିତ୍ । ଭୟ ନକରି, କୃଷକ ଭାଇ ଓ ଭଉଣୀମାନେ ସମନ୍ୱୟ ରକ୍ଷା କରି ପଙ୍ଗପାଳଙ୍କୁ ଘଉଡ଼ାଇ ନିଜର ସାହାସିକତାର ପରିଚୟ ଦେବାକୁ ହେବ ।
ମନରେ ଏକଥା ଉଙ୍କି ମାରୁଛି କି କାହିଁକି ଏସବୁ ବିତ୍ପାପ୍ତ ? କ’ଣ ଏହା ଭିତରେ ରହସ୍ୟ ରହିଛି ? ପରମବ୍ରହ୍ମ ପରମେଶ୍ୱର ଅଲ୍ଲାଃ ପବିତ୍ର କୁରଆନ ସୁରାଃ ବନି ଇସ୍ରାଇଲର ଶ୍ଳୋକ ୧୬ରେ କହିଛନ୍ତି; “ଆମ୍ଭେ କୌଣସି ସମ୍ପ୍ରଦାୟ ପ୍ରତି ଜଣେ ରସୁଲ ବା ଅବତାର ପ୍ରେରଣ ନକରିବା ପର୍ଯ୍ୟନ୍ତ କୌଣସି ଶାସ୍ତି ପ୍ରଦାନ କରୁନାହୁଁ ।”ଅହମଦୀୟା ମୁସଲିମ ସମ୍ପ୍ରଦାୟର ସଂସ୍ଥାପକ ହଜରତ ମିର୍ଜା ଗୁଲାମ ଅହମଦ ତାଙ୍କ ପୁସ୍ତକ ଅଲ-ୱସିୟତର ପୃଷ୍ଠା ୩ରେ ଉଲ୍ଲେଖ କରିଛନ୍ତି ଯେ ‘ସଂସାରରେ ଜଣେ ସତର୍କକାରୀ ଆସିଲେ ଅଥଚ ସଂସାରବାସୀ ତାଙ୍କୁ ସ୍ୱୀକାର କଲେ ନାହିଁ । କିନ୍ତୁ ପରମବ୍ରହ୍ମ ପରମେଶ୍ୱର ଅଲ୍ଲାଃ ତାଙ୍କୁ ସ୍ୱୀକାର କରିବେ ଓ ଅତି ବଳପୂର୍ବକ ସଂଘର୍ଷ ଦ୍ୱାରା ତାଙ୍କ ସତ୍ୟନିଷ୍ଠାକୁ ପ୍ରକଟିତ କରିବେ ।’ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଯଦି ସଂସାରରେ କୌଣସି ବିପତି ଓ ଅଘଟନ ଘଟିଥାଏ, ତାହା ହେଲେ ଜାଣିବା ଦରକାର ଯେ ପାପର ମାତ୍ରା ବଢୁଛି, ଅମାନୁଷିକ କର୍ମର ବୃଦ୍ଧି ଘଟିଛି । ଈଶ୍ୱରଙ୍କ ପ୍ରକୋପ ଏବେ ଆମ ଉପରେ ।
ଅନେକ ଧର୍ମଶାସ୍ତ୍ର ମଧ୍ୟରୁ ପବିତ୍ର କୁରଆନ ଏବଂ ପବିତ୍ର ବାଇବେଲରେ ପଙ୍ଗପାଳଙ୍କ ବିଷୟରେ ଆମକୁ ଜଣାଇ ଦିଆଯାଇଛି । ପ୍ରୋଫେଟ ମୁସା(ମୋଜେଷ)ଙ୍କ ସମୟରେ ଯେତେବେଳେ ସେ ଐଶୀ ଆଦେଶାନୁଯାୟୀ ନିରାକାର ଏକ ବ୍ରହ୍ମ ଏକେଶ୍ୱରବାଦର ପ୍ରଚାର କଲେ, ସେତେବେଳେ ଅନେକ ଲୋକ ତାଙ୍କର ଏହି ଐଶୀବାଣୀକୁ ଶୁଣି ଥଟ୍ଟା-ପରିହାସ କରିବାକୁ ଲାଗିଲେ । ଏପରିକି ତାଙ୍କୁ ପାଗଳ ଓ ଯାଦୁକର ବୋଲି କହିଲେ । ସେ ସମୟର ତତ୍‌କାଳିନ ରାଜା ଫିରଔନ(ଫାରୋ) ମଧ୍ୟ ତାଙ୍କୁ ପରିହାସ କରିବା ସହ ଦୁଃଖ-କଷ୍ଟ ଦେଇଥିଲା । ଏପରିକି ନିଜ ରାଜ୍ୟର ବଡ଼ ବଡ଼ ଯାଦୁକରମାନଙ୍କୁ ଡ଼କାଇ ପ୍ରୋଫେଟ ମୁସା(ମୋଜେଷ)ଙ୍କ ସହ ମୁକାବିଲା କରାଇ ଥିଲା । ଫଳରେ ସେହି ଧର୍ମନିଷ୍ଠ ପ୍ରୋଫେଟ ମୁସା(ମୋଜେଷ)ଙ୍କ ସମ୍ମାନହାନୀକୁ ଈଶ୍ୱର ସହ୍ୟ ନକରି, ସେହି ଅମାନ୍ୟକାରୀ ରାଜା ଓ ଲୋକମାନଙ୍କ ଉପରେ ଭିନ୍ନ ଭିନ୍ନ ଶାସ୍ତି ସ୍ୱରୂପ ବିପତି ଆଣି ଥିଲେ । ପବିତ୍ର କୁରଆନର ସୁରାଃ ଅଲ-ଆରାଫର ୧୩୪ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଯେ “ତା’ପରେ ଆମ୍ଭେ ସେମାନଙ୍କ ପ୍ରତି ବିଭିନ୍ନ ନିଦର୍ଶନ ଯଥା; ଝଡ଼-ବାତ୍ୟା, ପଙ୍ଗପାଳ, ଉକୁଣି, ମଣ୍ଡୁକ ଓ ରକ୍ତ ପ୍ରେରଣ କରିଥିଲୁ । ତଥାପି ସେମାନେ ଅହଙ୍କାର କଲେ ଓ ସେମାନେ ଅପରାଧୀ ସମ୍ପ୍ରଦାୟ ହୋଇଗଲେ ।’ପ୍ରୋଫେଟ ନୋହାଙ୍କ ସମୟରେ ବି ଏହିଭଳି ଅମାନ୍ୟକାରୀଙ୍କ ପାଇଁ ପରମବ୍ରହ୍ମ ପରମେଶ୍ୱର ଅଲ୍ଲାଃଙ୍କ ନିକଟରୁ ଶାସ୍ତି ସ୍ୱରୂପ ଝଡ଼-ବାତ୍ୟା ଆସିଥିଲା । ଯାହା ଫଳରେ ଭିଷଣ ବନ୍ୟା ଉପୁଜି ଥିଲା । ଚାରିଆଡ଼େ ଜଳମଗ୍ନ । ଯେଉଁମାନେ ପ୍ରୋଫେଟ ନୋହାଙ୍କ ପ୍ରସ୍ତୁତ କର୍ତା ନୌକାରେ ଅରୋହଣ କଲେ, ସେମାନେ ବଂଚିଗଲେ । ଆଉ ଯେଉଁମାନେ ଅହଙ୍କାର କଲେ ଏବଂ ଥଟ୍ଟା-ପରିହାସ କଲେ, ସେମାନେ ଜଳମଗ୍ନ ହେଲେ । ପ୍ରୋଫେଟ ଲୁତଙ୍କ ସମୟରେ ବି ଅମାନ୍ୟକାରୀଙ୍କ ପାଇଁ ପଥର ବର୍ଷା ହୋଇଥିଲା । ଏପରିକି ସେଠାକାର ବସ୍ତିକୁ ଓଲଟ-ପାଲଟ କରିଦିଆ ଯାଇଥିଲା । ସେହିଭଳି ଆଉ ଅନେକ ଅବତାରଙ୍କ ସମୟରେ ଅମାନ୍ୟକାରୀଙ୍କ ପାଇଁ ମରୁଡ଼ି, ଭୂମିକମ୍ପ, ବଜ୍ର-କମ୍ପନ ଏବଂ ପ୍ଲେଗ ପରି ମହାମାରୀ ପିବତି ମଧ୍ୟ ଐଶୀ ନିର୍ଦ୍ଦେଶକ୍ରମେ ଶାସ୍ତି ସ୍ୱରୂପ ପୃଥିବୀ ପୃଷ୍ଠକୁ ପ୍ରେରଣ କରାଯାଇଥିଲା । ପବିତ୍ର ବାଇବେଲରେ ମଧ୍ୟ ଏହିଭଳି ଲେଖା ଯାଇଛି ।
ଏପରି ସ୍ଥିତିରେ ମଣିଷ ପାଇଁ ପୂର୍ବ ମହାପୁରଷଙ୍କ ଜୀବନ ଚରିତ୍ର ହିଁ ମାର୍ଗ ଦର୍ଶନ କରାଇଥାଏ । ପବିତ୍ର କୁରଆନରେ ଲେଖା ଅଛି, ପାପରୁ ପ୍ରାୟଶ୍ଚିତ ପାଇବାକୁ ହେଲେ ଯଦି ଅନୁତାପ କରାଯାଏ, ତେବେ ଈଶ୍ୱର ଶାସ୍ତି ଦେବାରେ ମନ୍ଥର ଗତିକୁ ପସନ୍ଦ କରନ୍ତି । କ୍ଷମା ଅର୍ଚ୍ଚନା ହିଁ ସବୁ ଦୁଃଖ ଦୂର କରିଥାଏ । ପ୍ରଭୁଙ୍କ ସରଣାଗତରେ ହିଁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଅହମଦୀୟା ମୁସଲିମ ସମ୍ପଦ୍ରାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ କହିଛନ୍ତି; ‘ଯଦି ତୁମେ ଈଶ୍ୱରଙ୍କର ହୋଇଯିବ, ନିଶ୍ଚିତ ରୂପେ ଜାଣିରଖ ଯେ ଈଶ୍ୱର ମଧ୍ୟ ତୁମର ହୋଇଯିବେ । ତୁମେ ଶୋଇ ରହିଥିବ, ଅଲ୍ଲାଃ ତୁମ ପାଇଁ ଜାଗ୍ରତ ରହିବେ । ତୁମେ ଶତ୍ରୁଙ୍କ ପ୍ରତି ଅମନଯୋଗୀ ଥିବ, କିନ୍ତୁ ପ୍ରଭୁ ତାଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବେ । ଶତ୍ରୁର ସମସ୍ତ ମନ୍ଦ ଯୋଜନାକୁ ପଣ୍ଡ କରିଦେବେ । ତୁମକୁ ଏପର୍ଯ୍ୟନ୍ତ ଜଣାନାହିଁ ଯେ ତୁମ ପ୍ରଭୁଙ୍କ ନିକଟରେ କେଉଁ ଶକ୍ତି ରହିଛି । ଯଦି ତୁମେ ଜାଣନ୍ତ, ତେବେ ତୁମ ଉପରେ ଏପରି କୌଣସି ଦିନ ବିତନ୍ତା ନାହିଁ ଯେ ତୁମେ ସଂସାର ପାଇଁ ବହୁତ ଦୁଃଖି ହୋଇ ଯାଆନ୍ତ ।” ଯେଉଁ ଲୋକମାନେ ଅନୁତାପ କରିବେ ଓ ପାପ ଆଚରଣରୁ ନିବୃତ ରହିବେ, ଅଲ୍ଲାଃ ସେମାନଙ୍କ ପ୍ରତି ସଦୟ ହେବେ ।… ସଦାଚାରୀମାନେ କ୍ଷତିଗ୍ରସ୍ତ ନହୋଇ ଶାନ୍ତିରେ ରହିବେ । ତେଣୁ ତୁମେମାନେ ସଦାଚାରୀ ହୁଅ ଓ ଅଲ୍ଲାଃଙ୍କୁ ଭୟ କର । ତଦ୍ଦ୍ୱାରା ତୁମେମାନେ ପରିତ୍ରାଣ ପାଇବ । ଆଜି ଠାରୁ ହିଁ ପ୍ରଭୁଙ୍କୁ ଭୟ କର, ତା’ ହେଲେ ସେଦିନର ଭୟାବହ ପରିଣାମରୁ ସୁରକ୍ଷିତ ରହିବ ଓ ଶାନ୍ତିରେ ଜୀବନ ଯାପନ କରିବ ।
ଯଦି ବିଶ୍ୱବାସୀ ହଜରତ ଅହମଦଙ୍କ ଏହି ଅମୂଲ୍ୟ ମନ୍ତ୍ରକୁ ବୁଝି ତଦନୁଯାୟୀ କାର୍ଯ୍ୟ ନିର୍ବାହ କରନ୍ତେ ତାହେଲେ ବିଶ୍ୱରେ ମନୁଷ୍ୟ ଜାତି ଆଉ ଅଧିକ ଦିନ ତିଷ୍ଠି ରହି ପାରନ୍ତା । ପରମତପ ଅଲ୍ଲାଃଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ସେ ସମସ୍ତ ମାନବ ସମାଜକୁ ଏଥିପାଇଁ ସାମର୍ଥ୍ୟ ପ୍ରଦାନ କରନ୍ତୁ । ବିଶ୍ୱବାସୀ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଓ ବସ୍ତୁବାଦର ଲାଳସାକୁ ଜଳାଞ୍ଜଳୀ ଦେଇ ନିଜର ଦାୟିତ୍ୱ ପ୍ରତି ସଚେତନ ରହିବା ସଂଗେ ସଂଗେ ନିଜ କର୍ତବ୍ୟକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ପ୍ରୟାସ କରନ୍ତୁ । ଏହା ହିଁ ଆମର କାମନା ।

                                                                         ମୌଲାନା ଫଜଲ ହକ ଖାଁ 
                                                                           ୟୁନିଟ-୪, ଭୁବନେଶ୍ୱର
                                                                            ୯୬୯୨୨୨୫୦୫୭

Leave a Reply

Your email address will not be published. Required fields are marked *